ମାଲକାନଗିରି: ମାଲକାନଗିରି ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବନଜା ପଣ୍ଡା ନ୍ୟାୟ ପାଇଁ ନିଜର ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହି ପରିପ୍ରେକ୍ଷୀରେ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣାରେ ମାଲକାନଗିରିର ତତ୍କାଳୀନ ଏସପି ରିଷିକେଶ ଦୟାନିଧି ଖିଲାରି, ଆଇଆଇସି ରାମ ପ୍ରସାଦ ନାଗ, ଆଇଆଇସି ସୌମ୍ୟ ଶେଖରର ତ୍ରିପାଠୀ ଏବଂ ଅନ୍ୟ କେତେକ ପୁଲିସ କର୍ମଚାରୀଙ୍କ ବିରୋଧରେ ସ୍ବର୍ଗତ ପଣ୍ଡାଙ୍କ ପତ୍ନୀ ବନଜା ପଣ୍ଡା ମାଲକାନଗିରି ଏସଡିଜେଏମ୍ କୋର୍ଟରେ ହତ୍ୟା ଘଟଣାରେ ସାହାଯ୍ୟକାରୀ, ପ୍ରମାଣ ନଷ୍ଟକାରୀ ଓ ମାମଲାକୁ ଚପାଇ ଦେବା ପାଇଁ ଖୋଲାଖୋଲି ସହାୟତା କରିବା ନେଇ ଆପାତ ପ୍ରମାଣଯୋଗ୍ୟ ତଥ୍ୟ ଦାଖଲ କରିଛନ୍ତି। ବନଜାଙ୍କ ଆବେଦନ ପରେ ଏହି ପୁଲିସ ଅଧିକାରୀମାନଙ୍କ ବିରୋଧରେ ବିଭିନ୍ନ ଫୌଜଦାରୀ ଦଫା ଲଗିବା ସହ  ୱାନସିସି ୦୫/୨୦୨୧ନଂ  ମାମଲା ଦାୟର ହୋଇଥିଲା।

Advertisment

ମାମଲାର ସମସ୍ତ ସାକ୍ଷ୍ୟପ୍ରମାଣକୁ ଭିତ୍ତି କରି ଏହି ପୁଲିସ ଅଫିସରମାନଙ୍କ ବିରୋଧରେ ବିଧିବଦ୍ଧ ଫୌଜଦାରୀ ମାମଲା ଚଳାଇବା ପାଇଁ ରାଜ୍ୟ ସରକାରଙ୍କଠାରୁ ସିଆରପିସି ୧୯୭ ଧାରାରେ ଅନୁମୋଦନ ଆଣିବା ପାଇଁ କୋର୍ଟ ନିର୍ଦେଶ ଦେଇଥିଲେ। ବନଜା ପଣ୍ଡା ଏସଡିଜେଏମଙ୍କ କୋର୍ଟ ନିର୍ଦେଶ ପରେ ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଗୃହ ସଚିବ, ୫ଟି ସଚିବ ଓ ପୁଲିସ ଡିଜିଙ୍କୁ ୨୦୨୧ ମସିହାରେ ବହୁବାର ଆବେଦନ କରି ଆସୁଥିଲେ। ତେବେ ଆବେଦନ ବାରମ୍ବାର କରିବା ପରେ ମଧ୍ୟ କୌଣସି ଫଳ ନମିଳିବାରୁ ବନଜା ପଣ୍ଡା ହାଇକୋର୍ଟରେ ରିଟ ପିଟିସନ ଦାଖଲ କରିବା ପରେ ଡିଭିଜନ ବେଞ୍ଚ ଗତ ଜାନୁଆରି ୫ ତାରିଖରେ ଶୁଣାଣି କରି ଏହି ମାମଲାରେ ଏତେ ଦିନ ପର୍ଯ୍ୟନ୍ତ କାହିଁକି ଅନୁମୋଦନ ଦିଆଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ।

ଗତକାଲି ଜଷ୍ଟିସ ସଂଜୟ କୁମାର ପାଣିଗ୍ରାହୀଙ୍କ କୋର୍ଟ ସରକାରୀ ଓକିଲଙ୍କ ଅଧିକ ସମୟ ମାଗିବା ଆବେଦନକୁ ଖାରଜ କରି ଆସନ୍ତା ୨୨ ତାରିଖ ସୁଦ୍ଧା ଏହି ପୁଲିସ ଅଫିସରମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତୁରନ୍ତ ଅନୁମୋଦନ ଅଣିବାକୁ ରାୟ ପ୍ରଦାନ କରିଥିବା ଜଣାପଡିଛି। ତେବେ ଗୃହ ବିଭାଗ ତରଫରୁ ଅନୁମୋଦନ ଆସିଲେ ଏସଡିଜେଏମ କୋର୍ଟ ତରଫରୁ କଗନିଜେନସ୍ କରାଯିବ ବୋଲି ଜଣାପଡିଛି।