ଛତିଶଗଡ଼ରେ ନିର୍ମାଣାଧିନ କୁକରାଲ ଡ୍ୟାମକୁ ବିରୋଧ କଲେ ମାଲକାନଗିରି ଜିଲ୍ଲାର ମହୁପଦର ଅଂଚଳବାସୀ

ମାଲକାନଗିରି: ମାଥିଲି ବ୍ଲକର ସୀମାନ୍ତକୁ ଲାଗି ରହିଥିବା ମହୁପଦର ଏବଂ କମାରପାଲ୍ଲୀ ପଞ୍ଚାୟତକୁ ଲାଗି ଛତିଶଗଡର କୁକରାଲ ଠାରେ ଛତିଶଗଡ ସରକାର କୋଲାବ ନଦୀ ଉପରେ ଏକ ବିରାଟ ଡ୍ୟାମ ନିର୍ମାଣ କରୁଛନ୍ତି। ଏହାକୁ ବନ୍ଦ କରିବା ନେଇ ଆଦିବାସୀ ସଂଘ ଏବଂ ଅଂଚଳବାସୀ ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର କମାରପାଲ୍ଲୀ ଠାରେ ଶହ ଶହ ଆଦିବାସୀ ରୁଣ୍ଡ ହୋଇ ଛତିଶଗଡର ଦାଦାଗିରିକୁ ବିରୋଧ କରିବା ସହ ଏହି ଅଂଚଳରେ ସରକାରଙ୍କର ଦ୍ବାରା ଲିଜ ପ୍ରଦାନ କରାଯାଇଥିବା ବକ୍ସସାଇଟ ଖଣି ଖନନକୁ ମଧ୍ୟ ବିରୋଧ କରାଯାଇଛି।

ଆଜି ପ୍ରାୟ ୧୨ ଖଣ୍ଡ ଗ୍ରାମର ଶହ ଶହ ଆଦିବାସୀ ଏକତ୍ରୀତ ହୋଇ ଏକ ବିରାଟ ରାଲିରେ ବାହାରିଥିଲେ। ଛତିଶଗଡ ସରକାରଙ୍କ ଦ୍ବାରା ନିର୍ମାଣ କୁକରାଲ ଡ୍ୟାମକୁ ବିରୋଧ କରି  ସ୍ଲୋଗାନ ଦେଇଥିଲେ। ଏଥିସହ ସରକାରଙ୍କର ଦ୍ବାରା ମାଫିଆମାନେ ଏଠାରେ ଖଣି ଖନନ କରିବା ପାଇଁ ଯୋଜନା କରୁଥିବାରୁ ଏହାକୁ ମଧ୍ୟ ବିରୋଧ କରିଥିଲେ। କୁକରାଲ ଡ୍ୟାମ ନିର୍ମାଣ ହେଲେ ୭ଟି ପଞ୍ଚାୟତର ପ୍ରାୟ ୪୮ଗ୍ରାମ ପାଣିରେ ବୁଡିବା ସହ ହଜାର ହଜାର ହେକ୍ଟର ଚାଷ ଜମି ପ୍ରଭାବିତ ହେବ। ଏଥିସହ ବକ୍ସସାଇଟ ଖଣି ଖନନ କରାଗଲେ ଏଠାକାର ଜଂଗଲ ନଷ୍ଟ ହେବାର ଆଶଙ୍କା ରହିଥିବା ନେଇ ଆୟୋଜିତ ସଭାରେ ଆଲୋଚନା କରାଯାଇଥିଲା।

ଏହି ସଭାରେ ଆଦିବାସୀ ସଂଘର ନେତାମାନେ ଉପସ୍ଥିତ ରହି ଲୋକଙ୍କୁ କୁକରାଲ ଡ୍ୟାମ ଏବଂ ବସ୍କସାଇନ ଖଣି ଖନନକୁ ବିରୋଧ କରିବା ପାଇଁ ଅଣ୍ଟା ଭିଡି ବାହାରିବାକୁ ପବର୍ତ୍ତାଇ ଥିଲେ। ଜଂଗଲ ନଷ୍ଟ ହେଲେ ଆଦିବାସୀଙ୍କର ଜୀବନଜୀବିକା ଉପରେ ପ୍ରଭାବ ପକାଇବା ସହ କୁକରାଲ ଡ୍ୟାମ ନିର୍ମାଣ ହେଲେ ଲୋକେ ବିସ୍ଥାପିତ ହେବେ ବୋଲି କୁହାଯାଇଥିଲା। ଏହି ଦୁଇଟି ଦାବି ନେଇ ଅଂଚଳବାସୀ ବାରମ୍ବାର ସରକାରଙ୍କ ନିକଟରେ ଉପସ୍ଥାପନା କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ନେଇ କୁହାଯାଇଥିଲା। ବିଡିଓଙ୍କୁ ଏନେଇ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଯଦି ଆଗାମୀ ଦିନରେ କୁକରାଲ ଡ୍ୟାମ ନିର୍ମାଣ ବନ୍ଦ ଏବଂ ବକ୍ସସାଇଟ ଖଣି ଖନନ ବନ୍ଦ କରାନଯାଏ ତେବେ ଆଦିବାସୀ ସଂଘ ସାରା ଜିଲ୍ଲାରେ ଆନ୍ଦୋଳନ କରିବା ସହ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ  ଦେଇଛି। ଛତିଶଗଡର କୁକରାଲ ଠାରେ ସରକାର ଡ୍ୟାମ ନିର୍ମାଣ ନେଇ ଦୀର୍ଘ ଦିନ ହେଲା ଯୋଜନା ପ୍ରସ୍ତୁତ କରୁଥିବା ବେଳେ ଏନେଇ ଅଂଚଳବାସୀ ସରକାରଙ୍କ ନିକଟରେ ଏହାକୁ ବନ୍ଦ କରିବା ନେଇ ଦାବି କରିଆସୁଛି।

ତେବେ ଓଡିଶା ସରକାର ଏନେଇ ଛତିଶଗଡ ସରକାରଙ୍କ ସହ ଆଲୋଚନା କରିବା ଆବଶ୍ୟକ ବୋଲି କୁହାଯାଇଛି।ଏହା ସଫଳ ହେଲେ ଓଡିଶା ବହୁ କ୍ଷତି ସହିବ ବୋଲି କୁହାଯାଇଛି। ଲୋକେ ପ୍ରଭାବିତ ହେଲେ ସେଥିପାଇଁ ସରକାର ଦାୟୀ ରହିବେ ବୋଲି କୁହାଯାଇଥିଲା। ତୁରନ୍ତ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର