ମାଲକାନଗିରି: ରାଜ୍ୟ ସରକାରଙ୍କ ଆସନ୍ତା ୨ ତାରିଖରୁ ଆରମ୍ଭ ହେବାକୁ ଥିବା ସର୍ବସାଧାରଣ ପରିବହନ ବ୍ୟବସ୍ଥା ଲକ୍ଷ୍ମୀ ଯୋଜନାକୁ ରାଜ୍ୟରେ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ବିରୋଧ କରି ଆସୁଛନ୍ତି। ଏହାକୁ ପ୍ରତିବାଦ କରି ଆସନ୍ତା ୧୦ ତାରିଖରୁ ରାଜ୍ୟବ୍ୟାପୀ ଯାତ୍ରୀବାହୀ ବସ୍ ଧର୍ମଘଟ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ମାଲକନଗିରି ଠାରେ ଲକ୍ଷ୍ମୀ ଯୋଜନାକୁ ସମର୍ଥନ ମିଳିଛି। ମାଲକାନଗିରି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସର୍ତ୍ତମୂଳକ ଭାବରେ ଏହାକୁ ସମର୍ଥନ କରିଥିବା ଜଣାପଡିଛି। ମାଲକାନଗିରି ସଂଘର କର୍ମକର୍ତ୍ତା ଓ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ମଧ୍ୟରେ ଆଲୋଚନାରେ ଏହି ନିଷ୍ପତ୍ତି ନିଆଯାଇଛି।

Advertisment

ସୂଚନା ଅନୁଯାୟୀ, ଲକ୍ଷ୍ମୀ ଯୋଜନାରେ ଶୁଭାରମ୍ଭ ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେବା ନେଇ ପ୍ରସ୍ତୁତି ଚାଲିଛି। ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଗ୍ରାମ, ପଞ୍ଚାୟତ ଓ ବ୍ଲକରେ ପରିବହନ ସୁବିଧା ପାଇଁ ମାଲକାନଗିରି ଠାରେ ୩୬ଟି ବସ୍ ପହଞ୍ଚି ସାରିଛି। ସେହି ବସଗୁଡିକୁ ରଙ୍ଗ ଦିଆଯାଉଥିବା ବେଳେ ଉଦଘାଟନ ପାଇଁ ପ୍ରସ୍ତୁତି କରାଯାଉଛି। ଅନ୍ୟପକ୍ଷରେ ମାଲକାନଗିରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସେଥିରେ ମାଲକାନଗିରି ଆଞ୍ଚଳିକ ପରିବହନ ଅଧିକାରୀ ମାସନ ମିଶ୍ର, ମାଲକାନଗିରି ଘରୋଇ ବସ ମାଲିକ ସଂଘର ସଭାନେତ୍ରୀ ରାଜେଶ୍ବରୀ ପ୍ରଧାନ, ସାଧାରଣ ସମ୍ପାଦକ ଇ. ଭେଙ୍କେଟ ରାଓ, କାର୍ଯ୍ୟକାରୀ ସଭାପତି ରାଜେଶ କୁମାର ରାଉତ, ଉପସଭାପତି ସ୍ବପ୍ନା ଦତ୍ତ, ଯୁଗ୍ମ ସମ୍ପାଦକ କେଦାରନାଥ ଦାସ ଓ କୋଷାଧ୍ୟକ୍ଷ ରାଜେଶ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ।

ଏହି ବୈଠକରେ ଲକ୍ଷ୍ମୀ ଯୋଜନାରେ ବସ ଚଳାଚଳ ଯୋଗୁଁ ଘରୋଇ ବସର ବିଭିନ୍ନ ସୁବିଧା ଓ ଅସୁବିଧା ବିଷୟରେ ଆଲୋଚନା କରାଯାଇଥିଲା। ଏହାପରେ ବସ ମାଲିକ ସଂଘର କର୍ମକର୍ତ୍ତାମାନେ ରାଜି ହୋଇଥିଲେ। ସରକାର ଯେଉଁ ରୁଟରେ ବସ ଚଳାଚଳ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ତେବେ ସେହି ରୁଟରେ ବସ ଚଳାଚଳ କରନ୍ତୁ ବୋଲି କହିଥିଲେ। କିନ୍ତୁ ସର୍ତ୍ତ ରଖିଥିଲେ ଯେ ଏକ ମାସ ମଧ୍ୟରେ ସେହ ବସଗୁଡିକର ନିର୍ଘଣ୍ଟ ସମୟ ଘରୋଇ ବସ୍ ସମୟକୁ ବାଧା ଉପୁଜିଲେ ତାହାକୁ ପରିବହନ ବିଭାଗ ପରିବର୍ତ୍ତନ କରିବେ ବୋଲି ଦାବି ରଖିଥିଲେ। ଏନେଇ ପରିବହନ ବିଭାଗ ଓ ଘରୋଇ ବସ ମାଲିକ ସଂଘ ମଧ୍ୟରେ ଚୁକ୍ତି ହୋଇଥିଲା। ସଂଘର ସାଧାରଣ ସମ୍ପାଦକ ଶ୍ରୀ ରାଓ କହିଛନ୍ତି ଯେ, ମାଲକାନଗିରି ଜିଲ୍ଲାରେ ଗ୍ରାମାଞ୍ଚଳରେ ପ୍ରାୟ ୨୦ଟି ଘରୋଇ ବସ ଚଳାଚଳ କରୁଛି। ତେଣୁ ଏହି ଯୋଜନାରେ ମାଲିକଙ୍କୁ ବେଶି କ୍ଷତି ହେବ ନାହିଁ, ଯଦି ଅସୁବିଧା ହୁଏ ତେବେ ଆରଟିଓ ବସର ସମୟକୁ ପରିବର୍ତ୍ତନ କରିବେ ବୋଲି କହିଛନ୍ତି। ଏଥିସହ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଅକ୍ଟୋବର ୨ ତାରିଖରେ ଏହି ଯୋଜନାକୁ ବିରୋଧ କରି ବସ ଚଳାଚଳ ବନ୍ଦ ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ବନ୍ଦ ପାଳନରେ ମାଲକାନଗିରି ସଂଘ ସମର୍ଥନ କରିବ କିମ୍ବା ନାହିଁ ତାହାକୁ ନେଇ ଆସନ୍ତାକାଲି ମାଲକାନଗିରି ଠାରେ ଘରୋଇ ବସ୍ ମାଲିକମାନଙ୍କ ମଧ୍ୟରେ ଆଲୋଚନା କରାଯିବ। ସେହି ବୈଠକ ନିଷ୍ପତ୍ତିକ୍ରମେ ମାଲକାନଗିରି ସଂଘ କାର୍ଯ୍ୟକରିବ ବୋଲି କହିଛନ୍ତି।