ମାଲକାନଗିରି ପୀଡ଼ିତାଙ୍କ ମୃତ୍ୟୁ, ସ୍ପଷ୍ଟ ହୋଇପାରୁ ନାହିଁ ମୃତ୍ୟୁର ରହସ୍ୟ

ମାଲକାନଗିରି: ସ୍ଥାନୀୟ ପୁଲିସ କ୍ୟାଣ୍ଟିନରେ କାର୍ଯ୍ୟରତ ଜଣେ ଆଦିବାସୀ ମହିଳାଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ମାଲକାନଗିରି ଥାନାରେ ଏତଲା ହୋଇଛି । ତେବେ ୬ ଦିନ ହେବ ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ରହସ୍ୟ ସ୍ପଷ୍ଟ ହୋଇପାରି ନାହିଁ । ଏହାରି ମଧ୍ୟରେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା  ପୀଡ଼ିତାଙ୍କୁ କୋରାପୁଟରୁ ବ୍ରହ୍ମପୁର ନିଆଯାଉଥିବା ବେଳେ ରାୟଗଡ଼ା ନିକଟରେ ଗତକାଲି ରାତିରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆଜି ରାୟଗଡ଼ା ମେଡିକାଲରେ ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ଦକ୍ଷିଣାଞ୍ଚଳ ଡିଆଇଜି ସଫିନ ଅହମଦ୍ କହିଛନ୍ତି, ଘଟଣାର  ଉଚିତ ତଦନ୍ତ ହେବ।

ଏତଲାକୁ ଭତ୍ତିକରି ମାଲକାନଗିରି ପୁଲିସ ତଦନ୍ତ କରୁଥିବାବେଳେ ଗତ ୭ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ମାଲକାନଗିରି ମେଡିକାଲରେ ପୀଡ଼ିତା ଚିକିତ୍ସିତ ହେଉଥିଲେ । ତେବେ ସେ ୩ ତିନି ଦିନ ଧରି ଅଚେତ ରହିଥିଲେ । ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡିବାରୁ କୋରପୁଟ ନେବା ପାଇଁ ପରାମର୍ଶ ଦେଇଥିଲେ ଡାକ୍ତର । ତାଙ୍କୁ ଗତ ୧୦ ତାରିଖରେ କୋରାପୁଟ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ସେଠାରେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ପୁଣି ବ୍ରହ୍ମପୁର ମେଡିକାଲ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ ଡାକ୍ତର । କିନ୍ତୁ ଡାକ୍ତରଙ୍କ କହିବା ଅନୁଯାୟୀ ମହିଳାଙ୍କର ବଞ୍ଚିବାର କୌଣସି ସୁଯୋଗ ନ ଥିଲା । କିନ୍ତୁ ପୀଡ଼ିତାଙ୍କ ସ୍ୱାମୀ ପୀଡ଼ିତାଙ୍କୁ ବ୍ରହ୍ମପୁର ନେବାକୁ ବାହାରି ଥିଲେ ।

ଗତ ୬ ତାରିଖ ଦିନ ପୁଲିସ କ୍ୟାଣ୍ଟିନ ଦାୟିତ୍ବରେ ଥିବା ପୁଲିସ ଅଧିକାରୀ ବିବିସି ଦାସ କ୍ୟାଣ୍ଟିନ ଚାବି ଆଣିବାକୁ ପୀଡ଼ିତାଙ୍କ ଘରକୁ ଯାଇଥିଲେ। ଚାବି ଦେଇ ଦେହ ଭଲ ନଥିବାରୁ କାମକୁ ଯିବେ ନାହିଁ ବୋଲି ପୀଡ଼ିତା କହିଥିଲେ। ଚାବି ନେଇ ଫେରି ଆସିଥିବା ବେଳେ ୭ତାରିଖ ଦିନ କିଛି ମହିଳା ଶ୍ରୀ ଦାସଙ୍କୁ ଭେଟି ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିବା ସୂଚନା ଦେଇଥିଲେ। ଘରେ ପହଞ୍ଚି ଶ୍ରୀ ଦାସ ଦେଖିବା ପରେ ଏ ନେଇ ସ୍ବାମୀଙ୍କୁ ଖବର ଦେଇଥିଲେ। ସେହିଦିନ ହିଁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ ହୋଇଥିଲା।

ମାଲକାନଗିରି ଥାନା ଅଧିକାରୀ ରାମ ପ୍ରସାଦ ନାଗଙ୍କ କହିବା ହେଲା, ମହିଳା ରହୁଥିବା ଘର ଆଖପାଖର ସମସ୍ତ ସିସିଟିଭି କ୍ୟାମେରାକୁ ଯାଞ୍ଚ କରାଯାଇଥିଲା। ୬ତାରିଖ ଅପରାହ୍ନ ପ୍ରାୟ ଗୋଟାଏ ବେଳେ ପୀଡ଼ିତା ଘର ବାହାରକୁ ମାତ୍ର ୧୧ମିନିଟ ପାଇଁ ଯାଇଥିଲେ। ଏହାପରେ ସେ ଘରୁ ବାହାରି ନାହାନ୍ତି କିମ୍ବା ତାଙ୍କ ଘରକୁ କେହି ଯାଇ ନାହାନ୍ତି। ମେଡିକାଲ ରିପୋର୍ଟ ଆସିନଥିବାରୁ ତାଙ୍କ ସହ କଣ ହୋଇଛି କିଛି କହିହେବ ନାହିଁ ବୋଲି ପ୍ରକାଶ କରିଛନ୍ତି। ତଥାପି ସମ୍ଭାବ୍ୟ ଦିଗରେ ପୁଲିସର ତଦନ୍ତ ଚାଲିଥିବା କହିଛନ୍ତି।

ସମ୍ବନ୍ଧିତ ଖବର