ମାଲକାନଗିରି: ମାଲକାନଗିରି ଏବେ ତତଲା କଢେଇରେ ସିଝୁଛି। ପାରଦ ୪୨ ଡିଗ୍ରୀରୁ ତଳକୁ ଖସୁନି। ସକାଳ ୧୦ଟା ହେଲେ ଆଉ ବାହାରେ ରହିବା କଷ୍ଟକର ହୋଇପଡୁଛି। ଜନଜୀବନ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି। ଆଗକୁ ଆହୁରି ଦୁଇ ମାସ ଲୋକେ ଗରମରେ ସନ୍ତୁଳି ଯିବେ ବୋଲି କୁହାଯାଉଛି। ଦିନ ୧୦ଟା ପରେ ଲୋକେ ଆଉ ଘରୁ ପଦାକୁ ବାହାରିବାକୁ ଅମଙ୍ଗ ହେଉଥିବା ବେଳେ ଦରକାର ପଡିଲେ ହିଁ ଘରୁ ଛଡା ଏବଂ ପାଣି ଧରି ବାହାରୁଛନ୍ତି।

Advertisment

ତେବେ ଏବେ ମାଲକାନଗିରି ସହରର ସମସ୍ତ ଦୋକାନରେ ଥଣ୍ଡା ମିଶ୍ରି ପାଣିର ସମ୍ଭାର। ଲୋକେ ଖାଲି ପାଣି ପିଇବା ଅପେକ୍ଷା ଥଣ୍ଡା ମିଶ୍ରି ପାଣି ପିଇବାକୁ ପସନ୍ଦ କରୁଛନ୍ତି। ମିଶ୍ରିପାଣିର ବେପାର ମଧ୍ୟ ଜୋର ଧରିଛି। ଏଥିସହ ଦହି ଚଲା, କାକୁଡି, ତରଭୂଜ, ତାଳ ଇତ୍ୟାଦିର ବେପାର ମଧ୍ୟ ଜୋର ଧରିଛି। ଲୋକେ ବାହାରେ ରହିବା ଅପେକ୍ଷା ଘରେ ରହିବାକୁ ପସନ୍ଦ କରୁଛନ୍ତି। ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାନୁଷ୍ଠାନରେ ଏସି ଲଗାଯାଇଥିବାରୁ କର୍ମଚାରୀମାନେ ସ୍ବଚ୍ଛନ୍ଦରେ କାମ କରିପାରୁଛନ୍ତି। ନଚେତ କାନ୍ଥଗୁଡିକ ଗରମ ହୋଇଯାଇଛି ଯେ ଛିଇଁଲେ ହାତ ପୋଡିଯାଉଛି। ଆଗକୁ ଆହୁରି ଗରମ ରହିଥିବା ବେଳେ ଲୋକେ କିପରି ଚଳିବେ ଏବେ ଠାରୁ ଚିନ୍ତାରେ ପଡିଛନ୍ତି।

ଆଜି ସ୍ଥାନୀୟ ଏକ ଦୋକାନରେ କିଛି ଲୋକେ ମିଶ୍ରି ପାଣି ପିଉଥିବାରୁ ଦେଖିବାକୁ ମିଳିଥିଲା। ଏନେଇ ସେମାନଙ୍କୁ ଗରମ ସଂପର୍କରେ ପଚାରିବାରୁ ମାଲକାନଗିରି ପ୍ରତିବର୍ଷ ମାର୍ଚ୍ଚରୁ ଜୁନ ପର୍ଯ୍ୟନ୍ତ ଗରମ ଅନୁଭବ ହୁଏ ବୋଲି କହିଥିଲେ। ଲୋକେ ଏହି ଗରମକୁ କିପରି ସହ୍ୟ କରିବେ ଶିଖିଗଲେଣି। କିନ୍ତୁ ନୂଆ ଲୋକ ଜିଲ୍ଲାରେ ପ୍ରବେଶ କଲେ ଏହାକୁ ସହ୍ୟ କରିବା ମୁସକିଲ ହୋଇପଡିବ ବୋଲି ଲୋକେ କହିଥିଲେ। ବିଶେଷକରି ଗରିବ ଲୋକେ ଗରମରେ ଅସ୍ତବ୍ୟସ୍ତ ହୋଇଗଲେଣି। ଘରେ ଫ୍ୟାନ କିମ୍ବା ଏସି ନଥିବାରୁ ଲୋକେ ଗଛର ଛାଇରେ ଦିନ ଓ ରାତି କାଟୁଥିବା ଦେଖିବାକୁ ମିଳିଛି। ଦିନ ୧୨ଟା ପରେ ସମସ୍ତ ଦୋକାନ ବଜାର ବନ୍ଦ ହୋଇଯାଉଥିବାରୁ ବଜାର ଖାଁ ଖାଁ ଲାଗୁଛି।ପୁଣି ସଂଧ୍ୟା ୫ଟା ପରେ ସମସ୍ତେ ଦୋକାନ ଖୋଲି ନିଜର ବେପାର କରୁଥିବା ଦେଖିବାକୁ ମିଳିଛି। ପ୍ରଶାସନ ତରଫରୁ ଅଂଶୁଘାତକୁ ରୋକିବାକୁ ସ୍ଥାନେ ସ୍ଥାନେ ସଚେତନତା ବାର୍ତ୍ତା ଲେଖିବା ସହ ମେଡିକାଲରେ ସ୍ବତନ୍ତ୍ର ଅଂଶୁଘାତ କକ୍ଷ ଖୋଲାଯାଇଛି। ପ୍ରଶାସନ ତରଫରୁ ଜଳଛତ୍ର ମଧ୍ୟ ଖୋଲାଯାଇଛି।