ମାଲକାନଗିରି: ମାଲକାନଗିରି ଜିଲ୍ଲା ଏବେ ତତଲା କଢେଇରେ ଶିଝୁଛି। ଜିଲ୍ଲାରେ ରେକର୍ଡ ସୃଷ୍ଟି କଲା ଗ୍ରୀଷ୍ଣ। ଖରାରେ ସନ୍ତୁଳି ହେଲେ ଲୋକେ। ସକାଳ ୫ଟାରୁ ହିଁ ଗରମ ପବନ ଚାରିଆଡେ ଦେଖିବାକୁ ମିଳିଥିଲା। ଦିନ ୮ଟା ବେଳକୁ ଘରୁ ପଦାକୁ ବାହାରିବା ମୁସକିଲ ହୋଇପଡିଲା। ଗତ ଚାରି ଦିନ ହେଲା ଗରମ ଲୋକଙ୍କୁ ଦାଉ ସାଧୁଛି।ଗତ ଏକ ସପ୍ତାହର ରିପୋର୍ଟ ଯଦି ଦେଖିଲା ପାରଦ ୪୦ ଡିଗ୍ରିରୁ ତଳକୁ ଖସିଲା ନାହିଁ।
ଗୁରୁବାର ଦିନର ସର୍ବୋଚ୍ଚ ତାପମାତ୍ରା ୪୪ ଡିଗ୍ରି ଥିବା ବେଳେ ଶୁକ୍ରବାର ଏହା ବୃଦ୍ଧି ପାଇଥିଲା। ଲୋକେ ଘରେ ବସି ଫ୍ୟାନ ତଳେ ମଧ୍ୟ ଶାନ୍ତିରେ ବସି ପାରିଲେ ନାହିଁ। ଏସି ନହେଲେ ଏହି ଗରମକୁ ଜୁଝିବା ଗଷ୍ଟକର ହୋଇପଡୁଛି। ଅନ୍ୟଦିଗରେ ବିଦ୍ୟୁତର ଲୁଚକାଳି ଖେଳ ମଧ୍ୟ ଗରମକୁ ଦ୍ବିଗୁଣିତ କରୁଛି। ଲୋକେ ଗରମରୁ ରକ୍ଷା ପାଇବା ପାଇଁ ଦେହରେ ଓଦା କପଡା ପକାଇବା ସହ ଘରୁ ପଦାକୁ ବାହାରୁନଥିବା ଦେଖିବାକୁ ମିଳିଛି। ଗରମକୁ ଆଖି ଆଗରେ ରଖି ବଜାରରେ କିନ୍ତୁ ଥଣ୍ଡା ପାନୀୟ, ପଇଡ, ମିଶ୍ରିପାଣିର ବେପାର ଜମୁଛି। ବିଶେଷକରି ଗରିବ ଲୋକେ ଏହି ଗରମରେ ସନ୍ତୁଳି ଯାଉଛନ୍ତି। ଦିନ ତମାମ ଗଛମୂଳେ ଆଶ୍ରୟ ନେଉଥିବା ଲକ୍ଷ୍ୟ କରାଯାଇଛି। କୌଣସି ଆବଶ୍ୟକୀୟ କାମ ନହେଲେ ଲୋକେ ଘରୁ ପଦାକୁ ବାହାରୁ ନାହାନ୍ତି। ଘରୁ ପଦାକୁ ବାହାରିଲେ ଛତା ଏବଂ ବୋତଲ ପାଣି ଧରି ବାହାରୁଛନ୍ତି।
ଏହି ଗରମ ଆହୁରି କିଛି ଦିନ ରହିବ ବୋଲି ଏସଆରସି ତରଫରୁ ଘୋଷଣା ହେବା ପରେ ଲୋକେ ଚିନ୍ତାରେ ପଡିଛନ୍ତି। ଦିନ ୧୧ଟାରୁ ୩ ଟା ପର୍ଯ୍ୟନ୍ତ ଘରୁ ପଦାକୁ ନବାହାରିବା ପାଇଁ ନିର୍ଦେଶ ଦିଆଯାଇଛି। ଏହି ସମୟରେ କୌଣସି ସରକାରୀ କିମ୍ବା ବେସରକାରୀ କାମ ହେବ ନାହିଁ। ଦିନ ୧୦ଟା ହେଲେ ଦୋକାନ ବଜାର ଏକ ପ୍ରକାର ବନ୍ଦ ହୋଇପଡୁଥିବା ଲକ୍ଷ୍ୟ କରାଯାଉଛି। ସହର ଖାଁ ଖାଁ ହୋଇଯାଉଛି। କୌଣସି ଦୋକାନରେ ଭିଡ ଜମୁନଥିବା ଦେଖିବାକୁ ମିଳିଛି। ଜିଲ୍ଲାରେ କିନ୍ତୁ କୌଣସି ଲୋକ ଅଂଶୁଘାତରେ ମୃତ୍ୟୁବରଣ କରିନଥିବା ରିପୋର୍ଟ ରହିଛି। କିନ୍ତୁ ବହୁ ଲୋକ ଗରମ ଯୋଗୁଁ ଅଚେତ ହୋଇପଡ଼ିଥିବା ନଜିର ରହିଛି। ମେଡିକାଲରେ ଅଂଶୁଘାତ କକ୍ଷର ବ୍ୟବସ୍ଥା କରାଯାଇ ଡାକ୍ତର ଚିକିତ୍ସା ପାଇଁପ୍ରସ୍ତୁତ ରହିଛନ୍ତି। ବର୍ଷା ନହେଲେ ଲୋକେ ବହୁ ହଇରାଣ ହେବେ ବୋଲି ସାଧାରଣରେ ଆଲୋଚନା ହେଉଛି।