ମାଲକାନଗିରି: ମାଲକାନାଗିରି ଜିଲ୍ଲାର ପଡ଼ିଆ ବ୍ଲକ୍ ଅନ୍ତର୍ଗତ ଶିମିଳିବାଞ୍ଛା ପଞ୍ଚାୟତର ଏମ୍ ଭି ୬୦ ଗ୍ରାମରୁ ପିଡିଏସ୍ ଚାଉଳ ଚୋରା ଚାଲାଣ ହେଉଥିବା ବେଳେ ଏମ୍ ଭି ୧୧୬ ଗ୍ରାମବାସୀ ଗାଡ଼ିକୁ ଅଟକାଇ ଯୋଗାଣ ବିଭାଗକୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି।
ସୂଚନା ମୁତାବକ ଗତ ମଙ୍ଗଳବାର ଦିନ ଅପରାହ୍ନ ସମୟରେ ଏମଭି୬୦ର ଜଣେ ବ୍ୟକ୍ତି ଓଡି ୩୦ ୫୬୩୭ ନମ୍ବର ଥିବା ମିନି ଟ୍ରକ୍ ଯୋଗେ ପ୍ରାୟ ୧ ଶହ ୩୦ ବସ୍ତା ଚାଉଳ ମାଲକାନଗିରି ଅଞ୍ଚଳକୁ ଚୋରା ଚାଲାଣ କରୁଥିଲେ। ଏହି ସମୟରେ ଖବର ପାଇ ଏମ ଭି ୧୧୬ ଗ୍ରାମବାସୀ ଶିମିଳିବାଞ୍ଛା – ଉଣ୍ଡୁରୁକୋଣ୍ଡା ମୁଖ୍ୟ ରାସ୍ତାରେ ଏହି ମିନି ଟ୍ରକକୁ ଅଟକାଇ ଯୋଗାଣ ବିଭାଗକୁ ଖବର ଦେବା ସହ ଗାଡ଼ିକୁ ଅଟକାଇ ରଖିଥିଲେ। ସନ୍ଧ୍ୟାବେଳେ ଯୋଗାଣ ବିଭାଗ ପକ୍ଷରୁ ଏକାଧିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିବା ପରେ ଗାଡ଼ିଟିକୁ ଏମଭି୬୨ ଗ୍ରାମକୁ ନିଆଯାଇ ଘଟଣାର ତଦନ୍ତ ଜାରି ରହିଛି। ଦିନ ଦ୍ୱିପହରେ ଶହ ଶହ ବସ୍ତା ପିଡିଏସ୍ ଚାଉଳ କେଉଁଠାରୁ ଓ କିଭଳି ଭାବେ ଚାଲାଣ ହେଉଥିଲା ତାହାର ତଦନ୍ତ ଜାରି ରହିଥିବା ବେଳେ ଚାଲାଣକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଶିମିଳିବାଞ୍ଛା ଅଞ୍ଚଳରୁ ଚାଉଳ ଚାଲାଣ ହୋଇଥିଲେ ମଧ୍ୟ ଏଥିରେ ପଞ୍ଚାୟତର କୌଣସି ସମ୍ପର୍କ ନାହିଁ। ସ୍ଥାନୀୟ ବ୍ୟବସାୟୀ ପଞ୍ଚାୟତ ବାହାରୁ ଚାଉଳ କିଣି ଚାଉଳ ଚାଲାଣ କରୁଥିବା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦୁର୍ଯ୍ୟୋଧନ ନାୟକ କହିଛନ୍ତି। ଅନ୍ୟପଟେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ପାଇଁ ପିଡିଏସ୍ ବ୍ୟବସ୍ଥାରେ ଆସିଥିବା ଚାଉଳକୁ ଅନେକ ସମୟରେ ବିଭାଗୀୟ ଅଧିକାରୀ ଓ ବ୍ୟବସାୟୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଘଟି ହଡ଼ପ କରାଯାଉଥିବା ବେଳେ ଏଥର ଏହା ଲୋକ ଲୋଚନକୁ ଆସିପାରିଛି। ଏହାର ନିରପେକ୍ଷ ତଦନ୍ତ କରିବା ସହ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବୀ କରିଛନ୍ତି