ଏବେ ବି ଜୀବନ ଦୁର୍ବିଷହ, ବିକାଶ ସାତ ସପନ : ଜିଲ୍ଲାପାଳଙ୍କୁ ଭେଟିଲେ ବିଚ୍ଛିନ୍ନାଞ୍ଚଳବାସୀ, ମୌଳିକ ସୁବିଧା ଯୋଗାଇ ଦେବାକୁ ଦାବି

ମାଲକାନଗିରି : ବିଚ୍ଛିନ୍ନାଞ୍ଚଳରେ ପହଞ୍ଚୁନି ମୌଳିକ ସୁବିଧା। ବର୍ଷ ବର୍ଷ ହେଲା ଦୟନୀୟ ଅବସ୍ଥାରେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି। ମିଳୁନି ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟଜଳ ଭଳି ମୌଳିକ ସୁବିଧା। ବହୁ ପରିବାର ଆବାସ, ଆଧାର ଓ ରାସନ କାର୍ଡ ପାଇବାରୁ ବି ବଞ୍ଚିତ ହେଉଛନ୍ତି ସେମାନେ। ବାରମ୍ବାର ଦାବି ସତ୍ତ୍ବେ ସେମାନଙ୍କ ସମସ୍ୟାକୁ କେହି ଗୁରୁତ୍ବ ଦେଉ ନାହାନ୍ତି। ବିକାଶ ସେମାନଙ୍କ ପାଇଁ ସାତ ସପନ। ତେଣୁ ଜିଲ୍ଲପାଳଙ୍କୁ ଭେଟି ଦାବି ଜଣାଇବାକୁ ଆଜି ମାଲକାନଗିରି ପହଞ୍ଚିଥିଲେ ଶହ ଶହ ବିଚ୍ଛିନ୍ନାଞ୍ଚଳବାସୀ। ଧୂଳିପୁଟ ଓ ପେପରମେଟଲା ପଞ୍ଚାୟତବାସୀ ଜିଲ୍ଲାପାଳଙ୍କୁ ଭେଟି ନିଜ ଦୁଃଖ ଦୁର୍ଦ୍ଦଶା ସମ୍ପର୍କରେ ଜଣାଇ ଏସବୁ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ।

କେବଳ ଏହି ଦୁଇ ପଞ୍ଚାୟତ ନୁହେଁ; ବିଚ୍ଛିନ୍ନାଞ୍ଚଳର ସମସ୍ତ ୯ଟି ପଞ୍ଚାୟତରେ ଏହି ଏକା ସମସ୍ୟା। ଦୀର୍ଘ ବର୍ଷ ହେଲା ସେମାନଙ୍କ ସମସ୍ୟାକୁ ହୃଦୟଙ୍ଗମ କରିବାରେ ପ୍ରଶାସନ ବିଫଳ ହୋଇଛି। ତେଣୁ ସେମାନେ ବାଧ୍ୟ ହୋଇ ଏତେ ରାସ୍ତା ଅତିକ୍ରମ କରି ମାଲକାନଗିରି ଆସିଥିବା କହିଥିଲେ। ଜିଲ୍ଲାପାଳ ଗୋଟି ଗୋଟି କରି ସମସ୍ତ ସମସ୍ୟା ସଂପର୍କରେ ଅବଗତ ହେବାପରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏବେ ଏହି ଦୁଇ ପଞ୍ଚାୟତରେ ବିକାଶ କେବେ ପହଞ୍ଚିବ ତାହା ଦେଖିବାକୁ ବାକି ରହିଲା।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ମାସରେ ବିଚ୍ଛିନ୍ନାଞ୍ଚଳରୁ ହଜାର ହଜାର ଲୋକ ପ୍ରଶାସନକୁ ନିଜ ସମସ୍ୟା ଜଣାଇବାକୁ ମାଲକାନଗିରି ବାହାରିଥିଲେ। ସମସ୍ତଙ୍କୁ ଚିତ୍ରକୋଣ୍ଡାରେ ଅଟକାଇ ପ୍ରଶାସନ ଆଲୋଚନା କରିଥିଲା। ଗତମାସରେ ପ୍ରଶାସନ ପକ୍ଷରୁ ଜନସେବା କେନ୍ଦ୍ର ଖୋଲି ସମସ୍ୟାର ସମାଧାନ କରିବାକୁ ପଦକ୍ଷେପ ନିଆଯାଇଛି। ତଥାପି ସମସ୍ତ ବିଚ୍ଛିନ୍ନାଞ୍ଚଳବାସୀ ଏହାଦ୍ବାରା ଉପକୃତ ହୋଇପାରି ନାହାନ୍ତି। ତେଣୁ ଆଜି ପୁଣି ବିଚ୍ଛିନ୍ନାଞ୍ଚଳବାସୀ ମାଲକାନଗିରି ଆସି ଜିଲ୍ଲାପାଳଙ୍କୁ ‌ଭେଟିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର