ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ସରକାର ମାଳମାଳ ଯୋଜନା କରିଛନ୍ତି। କିନ୍ତୁ ଏହାର ସୁଫଳ ଅନେକ ଲୋକଙ୍କୁ ମିଳିପାରୁ ନାହିଁ। ସେମାନଙ୍କ ମଧ୍ୟରୁ ଲଛମା ଅନ୍ୟତ। ମାଲକାନଗିରି ଜିଲ୍ଲା ଦୁର୍ଗମ ଖଇରପୁଟ ବ୍ଲକ ଅନ୍ତର୍ଗତ ମାଝିଗୁଡା ଗ୍ରାମର ଲଛମା ମାଝିଙ୍କ ପାଇଁ ସରକାରୀ ଯୋଜନା ସାତସପନ। ପଥର ଫଟାଇଲେ ହିଁ ଜଳୁଛି ତାଂକର ଚୁଲି।
ମାଝିଗୁଡା ଗ୍ରାମରେ ଲଛମାଙ୍କର ଏକ ସୁଖି ପରିବାର ଥିଲା। କିନ୍ତୁ ସ୍ୱାମୀ କୌଣସି ଏକ ଅଜଣା ରୋଗରେ ମୃତ୍ୟୁବରଣ କରିବା ପରେ ପୁଅ ଝିଅଙ୍କୁ ନେଇ ବଂଚିବାର ସଂଘର୍ଷ ଜାରି ରଖିଲେ ଲଛମା। ସେ ଦିନ ତମାମ ଫଥର ଫଟାଇ ଯାହା ରୋଜଗାର କରନ୍ତି ସେତିକିରେ ତିନି ପ୍ରାଣୀ କୁଟୁମ୍ବ ଚଳିଯାଏ।
ଝିଅ ଅନ୍ୟତ୍ର ବାହା ହୋଇ ଚାଲିଯିବା ପରେ ଏବେ ଲଛମା ଓ ତାଂକ ମାନସିକ ଅଗ୍ରସର ପୁଅ ସହଦେବ ଘରେ ରହୁଛନ୍ତି। ନିଜର ବୋଲି ଗୋଟିଏ ଛୋଟିଆ କୁଡିଆ ଘର। ସ୍ୱାମୀ ଥିଲାବେଳେ ଝାଟିମାଟିରେ ଏହି କୁଡିଆ ଘର ତିଆରି କରିଦେଇଥିଲେ। ଏବେ ଏହା ଭଙ୍ଗା ଦଦରା ପାଲଟିଯାଇଛି। ପୁଅର ମାନସିକ ସ୍ଥିତି ଖରାପ ଥିବା ବେଳେ ତାକୁ ଡାକ୍ତରଖାନା ନେଇ ଚିକିତ୍ସା କରାଇପାରୁ ନାହାନ୍ତି ଲଛମା। ଦୁଇ ବେଳା ଭାତ ମୁଠାଏ ପାଇଁ ଅହରହ ପରିଶ୍ରମ କରୁଥିବା ଲଛମା ପୁଅ ସହଦେବର ଚିକିତ୍ସା ପାଇଁ କେଉଁଠୁ ଅର୍ଥ ଯୋଗାଡ କରିବେ ବୋଲି କହିଥିଲେ।
ପ୍ରତିଦିନ ଲଛମା ସକାଳୁ ଉଠି ନିକଟସ୍ଥ ଝରଣା ନିକଟରେ ପହଞ୍ଚି ପଥର ଫଟାଇ ଚିପସ୍ ତିଆରି କରିଥାନ୍ତି। ଗୋଟିଏ ଡବା ଚିପସ ତିଆରି କଲେ ମାତ୍ର ୩୦ ଟଙ୍କା ହିଁ ମିଳେ। ବଳ ଥିବା ପର୍ଯ୍ୟନ୍ତ ସେ ପଥର ଫଟାଇବେ, ତାପରେ ବୟସ ଗଡିଗଲେ କଣ କରିବେ ଚିନ୍ତାରେ ପଡିଛନ୍ତି। ଗ୍ରାମରୁ ପ୍ରାୟ ତିନି କିଲୋମିଟର ଯାଇ ବଡ ବଡ ପଥକୁ ଛୋଟ ଛୋଟ ପଥର ଖଣ୍ଡ କରିବା କେତେ ଯେ କଷ୍ଟକର ଜଣେ ପୁରୁଷକୁ ପଚାରିଲେ ସେ ହିଁ କହିପାରିବେ। ଜଣେ ମହିଳା ହୋଇ ପଥର ଫୁଟାଇବା ଦୃଶ୍ୟ ଯେ କେହି ବି ଦେଖିବ ଆଶ୍ଚର୍ଯ୍ୟ ହୋଇଯିବ। ବଡ ବଡ ପଥରଗୁଡିକକୁ କିଛି ଘଣ୍ଟା ମଧ୍ୟରେ ଗୁଣ୍ଡ କରିଦିଅନ୍ତି ଲଛମା। ଦିନକୁ ଗୋଟିଏ କିମ୍ବା ଅତି ବେଶୀ ହେଲେ ଦୁଇଟି ଡବା ଚିପସ୍ ତିଆରି କରିପାରନ୍ତି। ଅର୍ଥାତ ଦିନକୁ ତିରିଶିରୁ ଷାଠିଏ ଟଂକା ପର୍ଯ୍ୟନ୍ତ ହିଁ ରୋଜଗାର କରିପାରିନ୍ତି।
ସବୁଠାରୁ ବିଡମ୍ବନାର ବିଷୟ ଯେ ୫ ବର୍ଷ ତଳେ ସେ ବିଧବା ହୋଇଥିଲେ ମଧ୍ୟ ତାଂକୁ ଆଜି ପର୍ଯ୍ୟନ୍ତ ବିଧବା ଭତ୍ତା ମିଳିପାରିଲା ନାହିଁ। ଏପରିକି ସରକାରଙ୍କର ପ୍ରଧାନମନ୍ତ୍ରୀ ପକ୍କା ଘର ଯୋଜନାରେ ମଧ୍ୟ ତାଂକୁ ସାମିଲ କରାଯାଇପାରିଲା ନାହିଁ। ସେହିପରି ଏନଏଫବିଏସ ଯୋଜନାରେ ମଧ୍ୟ ତାଂକୁ ଟଂକାଟିଏ ମିଳିନଥିବା ସେ କ୍ଷୋଭର ସହ ପ୍ରକାଶ କରିଥିଲେ। ବାରମ୍ବାର ପ୍ରଶାସନ ନିକଟରେ ଗୁହାରି କରୁଥିଲେ ମଧ୍ୟ କେହି ତାଂକ କଥା ଶୁଣୁନଥିବା କହିଥିଲେ। ତାଂକ ନିକଟରେ ଟଂକା ନଥିବାରୁ ହୁଏତ ତାଂକୁ ସାହାଯ୍ୟ କରାଯାଉନଥିବା ସେ କହିଥିଲେ। ତୁରନ୍ତ ତାଂକୁ ଭତ୍ତା ଓ ପକ୍କା ଘର ଯୋଗାଇ ଦେବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି।