ମାଲକାନଗିରିର ବିଅର ଗ୍ରିଲ ରାଜେଶ : ଜଂଗଲରେ ବଂଚିବାର ଶୈଳୀ ଶିଖାଉଛନ୍ତି

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଏମଭି-୭୯ ଗ୍ରାମର ରବୀନ୍ଦ୍ର ନାଥ ମଣ୍ଡଳଙ୍କ ପୁଅ ରାଜେଶ ମଣ୍ଡଳ। ରାଜେଶ ଜଣେ ମେଧାବୀ ଛାତ୍ର। ଭୋପାଳ ଏନଆଇଟିରେ ପାଠ ସାରି ଚାକିରି ପଛରେ ନଧାଇଁ କିଛି ଅଲଗା କରିବାର ନିଶା ତାଂକୁ ଏବେ ଚର୍ଚ୍ଚାର ପରିଧିକୁ ଆଣିଛି। ଡିସ୍କକୋଭରି ଚ୍ୟାନେଲରେ ମେନ ଭରସେସ ଵାଇଲ୍ଡରେ ବିଅର ଗ୍ରିଲ ଯେପରି କୌଣସି ପରିସ୍ଥିତିରେ ଜଂଗଲରେ ନିଜକୁ ବଂଚାଇ ବାହାରି ପାରିଛନ୍ତି। ରାଜେଶକୁ ଏହି କାର୍ଯ୍ୟକ୍ରମ ଅନୁପ୍ରାଣିତ କରିଥିଲା। ଏବେ ସେ ବଡ ବଡ ଚାକିରି ଛାଡି ଜଂଗଲରେ ରହିବା, ପାହାଡ ଚଢିବା ଭଳି ଜ୍ଞନକୌଶଳ ୟୁଟ୍ୟୁବ ମାଧ୍ୟମରେ ଲୋକଙ୍କୁ ଜଣାଉଛନ୍ତି। ପ୍ରତିକୂଳ ପରିସ୍ଥିତିରେ କିପରି ଜଂଗଲରେ ଜଣେ ଜୀବନ ବଂଚାଇପାରିବ ସେନେଇ ଶିକ୍ଷା ଦେଉଛନ୍ତି।

ସେ ଚାହିଁଥିଲେ ବଡ ବଡ ଚାକିରି କରିପାରିଥାନ୍ତେ। କିନ୍ତୁ ନିଜର ରୁଚି ଅନୁଯାୟୀ ସେ ନିଜର କାମ କରିବେ ବୋଲି ପରିବାର ଲୋକଙ୍କୁ ରୋକଠୋକ କହିଥିଲେ। ଏପଟେ ପରିବାର ଲୋକେ ପୁଅର ଜିଦ ଆଗରେ କିଛି କରିପାରୁନାହାନ୍ତି। ପୁଅ ଏତେ ପାଠ ପଢିଲା ବଡ ଚାକିରି କରିବ ବୋଲି ପରିବାର ଲୋକେ ଦେଖିଥିବା ସ୍ବପ୍ନ ଏବେ ଧୂଳିସାତ ହୋଇଛି। ପୁଅ ରାଜେଶ କିନ୍ତୁ ନିଜର ନିଶାକୁ ପେଶା କରିବେ ବୋଲି ଚିନ୍ତା କରିଛନ୍ତି। ତେବେ ପୁଅର ଜିଦ ଆଗରେ ପରିବାର ହାର ମାନିଛି। ବହୁ ବୁଝାଇବା ପରେ ମଧ୍ୟ ରାଜେଶ ନମାନିବାରୁ ବାଧ୍ୟ ହୋଇ ରାଜେଶକୁ ସମର୍ଥନ କରୁଛନ୍ତି। ତାଂକର ଉଜ୍ୱଳ ଭବିଷ୍ୟତ କାମନା କରୁଛନ୍ତି।

ପ୍ରକାଶ ଥାଉକି ରାଜେଶଙ୍କ ପିତାମାତା ଶିକ୍ଷକତା କରନ୍ତି। ଏକମାତ୍ର ପୁଅକୁ ଭଲ ପାଠ ପଢାଇ ବଡ ଚାକିରିରେ ଅବସ୍ଥାପିତ କରିବାର ଲକ୍ଷ୍ୟ ରଖିଥିଲେ। ରାଜେଶ ବିଟେକ ସରିବା ପରେ ହାଇଦ୍ରାବାଦରେ କୋଚିଂ ନେଇ ଗେଟ(ଗ୍ରାଜୁଏଟ ଆପ୍ଟିଚ୍ୟୁଡ ଟେଷ୍ଟ ଇନ ଇଂଜିନିୟରିଂ) ପାସ କରିବା ପରେ ଏମଟେକ ପାଠ ସଂପୂର୍ଣ୍ଣ କରିଥିଲେ। ଚାହିଁଥିଲେ ରାଜେଶ ଜଣେ ବଡ ଇଂଜିନିୟର ଭାବେ ଉଭା ହୋଇପାରିଥାନ୍ତେ। ଏପରିକି ବଡ କମ୍ପାନୀରେ ଚାକିରି ପାଇଁ ମଧ୍ୟ ତାଂକୁ ସୁଯୋଗ ମିଳିଥିଲା। ତେବେ ବିଅର ଗ୍ରିଲକୁ ନିଜର ଆଦର୍ଶ ରୂପେ ଗ୍ରହଣ କରି ଏବେ ସେ ଜଂଗଲରେ ତିନି ରାତି କଟାଇଛନ୍ତି। କିପରି ଜଂଗଲେ ବନ୍ୟଜନ୍ତୁଙ୍କ ସହ ସାକ୍ଷାତ ହେଲେ ନିଜର ଜୀବନକୁ ବଂଚାଇବେ ସେନେଇ ସେ ଭିଡିଓ ୟୁଟୁବରେ ଅପଲୋଡ କରିଛନ୍ତି। ତେବେ ବେକାର ଥିବା ତାଂକର ପିଲା ଦିନର ସାଂଗମାନଙ୍କୁ ଏଥିରେ ସାମିଲ କରି ରୋଜଗାରକ୍ଷମ କରାଇବେ ବୋଲି କହିଛନ୍ତି।

ସେ ଦୁଇ ହଜାର ଫୁଟ ପାହାଡ ଚଢିଥିବା ଜଣାପଡିଛି। ରାତିରେ ମଂଚାକରି ଗଛ ଉପରେ ରହୁଥିବା ଦେଖିବାକୁ ମିଳିଥିଲା। ଜଂଗଲରେ ରାତି କଟାଇବା ବିପଦଜନକ ହୋଇଥିଲେ ମଧ୍ୟ ସେ ଏହାକୁ ସଫଳ କରି ଦେଖାଇଛନ୍ତି। ସେ ଜଂଗଲି ଖାଦ୍ୟର ଭରପୁର ମଜା ନେଉଥିବ ଦେଖିବାକୁ ମିଳିଥିଲା। ପ୍ରତ୍ୟେକ ଜଂଗଲି ଖାଦ୍ୟର ଆବଶ୍ୟକତା ଓ ତାର ଶକ୍ତି କେତେ ସେ ଭିଡିଓ ମାଧ୍ୟମରେ ବୁଝାଉଥିବା ଦେଖିବାକୁ ମିଳିଛି। ମାଲକାନଗିରି ଭଳି ଜଂଗଲ ଘେରା ଅଂଚଳରେ ସେ ଏଭଳି ବହୁ ଭିଡିଓ ପ୍ରସ୍ତୁତ କରି ସିରିଜ କରି ୟୁଟୁବରେ ଅପଲୋଡ କରିବେ ବୋଲି ଜଣାପଡିଛି। ଜିଲ୍ଲାରେ ରହିଥିବା ସୌନ୍ଦର୍ୟ୍ୟମୟ ପରିବେଶକୁ ଲୋକଲୋଚନକୁ ଆଣିବେ ବୋଲି କହିଛନ୍ତି। ତେବେ ତାଂକର ଏହି ସଫଳତା ଆହୁରି ବଢୁ ଏତିକି ଆମର କାମନା।

ସମ୍ବନ୍ଧିତ ଖବର