ମାଲକାନଗିରିର ବିଚ୍ଛିନ୍ନାଞ୍ଚଳ ପଞ୍ଚାୟତ: କେବେ ଦେଖିବେ ବିକାଶର ଆଲୋକ

ଶିକ୍ଷା ବିପର୍ଯ୍ୟସ୍ତ; ସ୍କୁଲ ଅଛି, ଶ୍ରେଣୀଗୃହ ନାହିଁ
ଅନେକ ଗାଁରେ କଲେଜ ମାଡ଼ି ନାହାନ୍ତି ପିଲା
ମନରେଗାବି କାର୍ଯ୍ୟକାରୀ ହୋଇନି

ଭୁବନେଶ୍ବର : ମାଲକାନଗିରି ଜିଲ୍ଲାରେ ବାଲିମେଳା ମାଟିବନ୍ଧ ପ୍ରକଳ୍ପ ନିର୍ମାଣ ପରେ ବିଚ୍ଛିନ୍ନାଞ୍ଚଳ ହେଲା ୮ ପଞ୍ଚାୟତ। ମାଓବାଦୀ ଭୟ ସହିତ ରାସ୍ତା ନଥିବାରୁ ପୂର୍ବରୁ ନିର୍ବାଚନ ବେଳକୁ କୌଣସି ପ୍ରାର୍ଥୀ ପ୍ରଚାର ପାଇଁ ଆସୁନଥିଲେ, ଭୋଟ କେନ୍ଦ୍ର ମଧ୍ୟ ନଥିଲା। ମାଓବାଦୀ ଭୟରେ ଅନେକ ଲୋକ ଲଗାତାର ୩ ଥର ଭୋଟ ବର୍ଜନ ମଧ୍ୟ କରିଛନ୍ତି। ପ୍ରଥମେ ଗୁରୁପ୍ରିୟା ସେତୁ ଏବଂ ପରେ ବିଭିନ୍ନ ଗାଁକୁ ରାସ୍ତା ନିର୍ମାଣ ପରେ ଚଳିତ ନିର୍ବାଚନର ସ୍ଥିତିରେ ପରିବର୍ତ୍ତନ ଆସିଛି। ବିଚ୍ଛିନ୍ନାଞ୍ଚଳରେ ରାଜନୈତିକ ଦଳଙ୍କ ବ୍ୟାନର, ପୋଷ୍ଟର, ପତାକା ଲାଗିବା ସହିତ ପ୍ରାର୍ଥୀ ଏବଂ ସେମାନଙ୍କ ସମର୍ଥକ ଲୋକଙ୍କ ପାଖକୁ ପହଞ୍ଚିଲେଣି। ଯୋଗାଯୋଗ ବ୍ୟବସ୍ଥା ସୁଗମ ହେବା ସହିତ ମାଓବାଦୀ ଗତିବିଧି ମଧ୍ୟ ନାହିଁ। ତେଣୁ ଚଳିତ ବର୍ଷ ବିଚ୍ଛିନ୍ନାଞ୍ଚଳର ଅନେକ ଭୋଟର ଅଧିକ ସଂଖ୍ୟାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭାଗ ନେଉଛନ୍ତି।

ତେବେ ବିଚ୍ଛିନ୍ନାଞ୍ଚଳରେ ଏବେ ବି ‌ଅନେକ ସମସ୍ୟା ରହିଛି। ଦୁଲିପୁଟ ପଞ୍ଚାୟତର ଦାଗୁଡ଼ୁପାଲି ଗାଁର କେହି ଆଜି ପର୍ଯ୍ୟନ୍ତ କଲେଜ ମାଟି ମାଡ଼ି ନାହାନ୍ତି। ଗାଁରେ ସ୍କୁଲ ଅଛି, କିନ୍ତୁ ସ୍କୁଲ ଗୃହ ନାହିଁ। ଜମି ଚିହ୍ନଟ ହୋଇଛି କିନ୍ତୁ ସ୍କୁଲ ନିର୍ମାଣ ପାଇଁ ଇଟାଟିଏ ମଧ୍ୟ ପଡ଼ି ନାହିଁ। ମାସକୁ ଥରେ କିମ୍ବା ଦୁଇ ଶିକ୍ଷକ ଆସନ୍ତି କାହା ଘରେ ପିଲାଙ୍କୁ କିଛି ଘଣ୍ଟା ପଢାଇ ଚାଲି ଯାଆନ୍ତି। ଗାଁରେ କାହାରି ପଟ୍ଟା ନାହିଁ ତେଣୁ କଲେଜ ପାଠ ପାଇଁ ଜାତି, ଆବାସୀୟ କିମ୍ବା ଆୟ ପ୍ରମାଣପତ୍ର ପ୍ରସ୍ତୁତ କରିପାରୁ ନାହାନ୍ତି କି କଲେଜରେ କେହି ନାଁ ଲେଖାଇ ପାରୁ ନାହାନ୍ତି। ଚିକିତ୍ସା ବ୍ୟବସ୍ଥା ଏଭଳି ଯେ ଚିତ୍ରକୋଣ୍ଡା ଉପରେ ନିର୍ଭର କରିବାକୁ ପଡ଼େ। ସେଠାରୁ ମଧ୍ୟ ଅଧିକାଂଶ ସମୟରେ ମାଲକାନଗିରି ଡାକ୍ତରଖାନାକୁ ରେଫର କରାଯାଏ। ନଳକୂଅ ପାଣିରୁ ଲୁହା, ଗୋଡ଼ି, ମାଟି ବାହାରେ ଯାହା ପିଇବାତ ଦୂରର କଥା ଧୋଇହେବା ପାଇଁ ମଧ୍ୟ ଅନୁପଯୋଗୀ। ନିକଟସ୍ଥ ଚୁଆ ସହିତ ଆଉ ଏକ ନଳକୂଅ ଲୋକଙ୍କ ସାହାରା। ପାଣି ପାଇଁ ୨ରୁ୩ କିଲୋମିଟର ଯିବାକୁ ପଡ଼ୁଛି। ଗେଦେଜ ଗାଁରେ ଥିବା ଝରଣାରୁ ସରକାରଙ୍କ ପକ୍ଷରୁ ପାଇପ ଲଗାଇଲେ ଲୋକଙ୍କ ପାଣି ସମସ୍ୟା ଦୂର ହୁଅନ୍ତା ବୋଲି କହନ୍ତି ସ୍ଥାନୀୟ ଅଧିବାସୀ। ଏହି ପଞ୍ଚାୟତର ସମସ୍ତେ ଆଦିବାସୀ ଏବଂ ଦାରିଦ୍ର୍ୟ ସୀମାରେଖା ତଳର। ଧାନ ସହିତ ହଳଦି, ବୁଟସେମ୍ବି, ମାଣ୍ଡିଆ, ସୁଆଁ ଚାଷ କରନ୍ତି। କିନ୍ତୁ ଜମିକୁ ଜଳ ଯୋଗାଣ ପାଇଁ ଚେକ ଡ୍ୟାମ ଟିଏ ହୋଇ ପାରିନାହିଁ। ବର୍ଷା ଉପରେହିଁ ଚାଷ ସମ୍ପୂର୍ଣ୍ଣ ନିର୍ଭର କରେ। ଯେଉଁ ବର୍ଷ ମରୁଡ଼ି ପଡ଼ିଲା, ଅବସ୍ଥା କଣ ହେଉଥିବ ସହଜରେ ଅନୁମାନ କରାଯାଇପାରେ। କିନ୍ତୁ ଆଜି ପର୍ଯ୍ୟନ୍ତ ଏଠାରେ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କାର୍ଯ୍ୟକାରୀ କରାଯାଇପାରିନଥିବା ଲୋକେ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ପଟ୍ଟା ନଥିବା ଏବଂ ଟଙ୍କା ଅଭାରୁ ଅନେକ ଆବାସ ଗୃହ ପାଇଁ ଆବେଦନ କରି ପାରନ୍ତ ନାହିଁ। କାର୍ଯ୍ୟାଦେଶ ପାଇ ମଧ୍ୟ ଦ୍ବିତୀୟ କିସ୍ତି ଟଙ୍କାନ ମିଳିବାରୁ ଘର ଅଧାପନ୍ତରିଆ ପଡ଼ି ରହିଥିବା ଅଭିଯୋଗ କରିଛନ୍ତିନ୍ତି ଲଇଚନ ପାଙ୍ଗିଙ୍କ ସମେତ ଆହୁରି ଅନେକ। ଆଜି ପର୍ଯ୍ୟନ୍ତ ଏଠାକୁ ବିଜୁଳି ଆସି ନାହିଁ। ସୂର୍ଯ୍ୟାସ୍ତ ସହିତ ପଞ୍ଚାୟତକୁ ଅନ୍ଧାର ଘୋଟି ଆସେ। ଏହା କେବଳ ଉଦାହରଣ ମାତ୍ର, ସମସ୍ୟା ତାଲିକା କାହିଁ କେତେ ଲମ୍ବା। ସ୍ଥାନୀୟ ଅଧିବାସୀ ବିଜୟ ଉପାଧ୍ୟାୟ କହନ୍ତି ଯେ ବାଲିମେଳା ପ୍ରକଳ୍ପ ନିର୍ମାଣ ବେଳେ ଯେଉଁ ବସ୍ତୁହରାଙ୍କ ୭୫ ପ୍ରତିଶତ ଜମି ଗଲା ନାହିଁ ସେମାନଙ୍କୁ ବିସ୍ଥାପିତ ମାନ୍ୟତା ଦିଆଗଲା ନାହିଁକି ଥଇଥାନ କରାଗଲା ନାହିଁ। ବିଚ୍ଛିନ୍ନାଞ୍ଚଳରେ ରହିଯାଇଥିବା ବିସ୍ଥାପିତମାନେ ଆଜି ମଧ୍ୟ ବିକାଶର ଆଲୋକର ଅପେକ୍ଷାରେ ଅଛନ୍ତି। ପ୍ରଶାସନିକ ଅବହେଳାର ଫାଏଦା ଉଠାଇ ୨୦୦୦ ମସିହା ବେଳକୁ ମାଓବାଦୀ ସଙ୍ଗଠନ ଏହି ଅଞ୍ଚଳକୁ ଏକପ୍ରକାର କବ୍ଜା କରି ନେଇଥିଲା। ସେମାନଙ୍କୁ ନିୟନ୍ତ୍ରିତ କରିବା ପାଇଁ ରାଜ୍ୟ ସରକାର ଗୁରୁପ୍ରିୟା ସେତୁ ସହିତ ରାସ୍ତା ନିର୍ମାଣ କରୁଛନ୍ତି।

ସମ୍ବନ୍ଧିତ ଖବର