ଦିନକରେ ୮୭୦ ପଜିଟିଭ୍, ୨ ମୃତ; କରୋନାମୁକ୍ତ ହେଲା ମାଲକାନିଗିରି

ଭୁବନେଶ୍ବର : ରାଜ୍ୟରେ କରୋନାର ଚତୁର୍ଥ ଲହର ଜାରି ରହିଥିବା ବେଳେ ଏକ ଆଶ୍ବସ୍ତିକର ଖବର ଆସିଛି। ମାଲକାନଗିରି ଜିଲ୍ଲାରେ ସମସ୍ତ ଚିକିତ୍ସାଧୀନ ରୋଗୀ ସୁସ୍ଥ ହେବା ପରେ ଜିଲ୍ଲା ବର୍ତମାନ ପାଇଁ କରୋନାମୁକ୍ତ ହୋଇଛି। ତେବେ ସୁନ୍ଦରଗଡ଼ ଜିଲ୍ଲାରେ ଏବେ ବି ସର୍ବାଧିକ ସଂଖ୍ୟକ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ରାଜ୍ୟରେ ଦୈନିକ ସଂକ୍ରମଣ ୮ଶହ ଉପରେ ସ୍ଥିର ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୮୭୦ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ୧୮ବର୍ଷରୁ କମ୍ ୧୫୭ଜଣ ପିଲା ରହିଛନ୍ତି। ସଂକ୍ରମିତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୨୨୦ ଜଣ ରହିଛନ୍ତି।

ସେହିପରି ଖୋର୍ଧାରୁ ୧୪୦, ସମ୍ବଲପୁର ୭୨, ମୟୂରଭଞ୍ଜ ୫୯, କଳାହାଣ୍ଡି ୬୩, ବଲାଙ୍ଗୀର ୪୫, ବରଗଡ଼ ୩୬, ଝାରସୁଗୁଡ଼ା ୨୩, କଟକ ୨୦, ନୟାଗଡ଼ ୨୧ ଓ ଷ୍ଟେଟ୍‌ ପୁଲରୁ ୨୭ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୩,୧୬,୪୭୩କୁ ବୃଦ୍ଧି ପାଇଛି। ଅପରପକ୍ଷରେ ରାଜ୍ୟରେ ଆଉ ୨ଜଣ କରୋନାରେ ପ୍ରାଣ ହରାଇଥିବା ନେଇ ସରକାରୀ ଘୋଷଣା ହୋଇଛି। ଏହାକୁ ମିଶାଇ ଚଳିତ ଲହରରେ ରାଜ୍ୟରେ ବର୍ତମାନସୁଦ୍ଧା ୧୮ଜଣଙ୍କ କରୋନାରେ ମୃତ୍ୟୁ ହେଲାଣି। ରାଜ୍ୟର ମୋଟ କୋଭିଡ ମୃତ୍ୟୁ ୯୧୪୪କୁ ବୃଦ୍ଧି ପାଇଛି। ଗୁରୁବାର ଦିନ ରାଜ୍ୟରେ ୯୭୯ଜଣ କୋଭିଡରେ ସୁସ୍ଥ ହୋଇଛନ୍ତି। ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୫୩୪୬କୁ ହ୍ରାସ ପାଇଛି। ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୩,୦୧,୯୩୦କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର