ବିଜେଡି-ବୈଜୟନ୍ତ ଅଡ଼ୁଆ ତୁଟୁନି

ରିପୋର୍ଟ ଦେଲେ ପ୍ରମିଳା, ବିପକ୍ଷରେ ମତ ଅଧିକ

ତଦନ୍ତ ପାଇଁ ଆଜି ଯାଇପାରନ୍ତି ଉଷା
ଚର୍ଚାରେ ସ୍କ୍ରିନ୍‌ ସଟ୍‌, ଟ୍ଵିଟ୍‌

ଭୁବନେଶ୍ୱର : କେନ୍ଦ୍ରାପ଼଼ଡ଼ା ସଂସଦୀୟ କ୍ଷେତ୍ର, ସାଂସଦ ବୈଜୟନ୍ତ ପଣ୍ଡା ଓ ତୃତୀୟ ମହଲାକୁ ନେଇ ଲାଗି ରହିଥିବା ବିବାଦ ଦିନକୁ ଦିନ ଭୀଷଣ ରୂପ ଧାରଣ କରୁଛି। ଏମିତି ଯେ ବିଜେଡିର ସ୍ଥାନୀୟ ନେତାଙ୍କୁ କେହି ଶିଖେଇଲା ଭଳି ଜଣେ ପରେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଆସି ବୈଜୟନ୍ତଙ୍କ ବିରୋଧରେ ଫେରାଦ ହେଉଛନ୍ତି। ଦଳ ବିରୋଧୀ କାର୍ଯ୍ୟରେ ସେ ଲିପ୍ତ ଥିବା ନେଇ ହାଇକମାଣ୍ଡଙ୍କୁ ଜଣାଉଛନ୍ତି। ଅନ୍ୟପଟେ ସାଂସଦ ଶ୍ରୀ ପଣ୍ଡା ନା ପ୍ରତ୍ୟକ୍ଷ ଭାବେ ଗଣମାଧ୍ୟମକୁ ଭେଟି ନିଜର ପ୍ରତିକ୍ରିୟା ରଖୁଛନ୍ତି ନା ଲିଖିତ ଭାବେ ନିଜର ଅସନ୍ତୋଷ ହାଇକମାଣ୍ଡଙ୍କୁ ଜଣାଉଛନ୍ତି। ବରଂ ସୋସିଆଲ ମିଡିଆକୁ ଆୟୁଧ କରି ବିଜେଡି କନ୍ଦଳର ନିଆଁକୁ ସବୁଆଡ଼େ ବିଛାଡି ଚାଲିଛନ୍ତି। ଟ୍ଵିଟ୍‌, ଫେସବୁକ୍‌ ଜରିଆରେ ବୈଜୟନ୍ତ ଛାଡୁଥିବା ଏହି ବାଣ ବିଜେଡି ଆଭ୍ୟନ୍ତରୀଣ କନ୍ଦଳର ନିଆଁକୁ ବେଶ୍‌ ଇନ୍ଧନ ଯୋଗାଉଛି।

ଏମିତି ଏକ ପୃଷ୍ଠଭୂମିରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ ସାଂସଦ ଶ୍ରୀ ପଣ୍ଡାଙ୍କ ସଂପର୍କରେ ତାଙ୍କର ରିପୋର୍ଟ ହାଇକମାଣ୍ଡ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଛନ୍ତି। ଆଜି ରାତିରେ ଶ୍ରୀମତୀ ମଲ୍ଲିକ ନବୀନ ନିବାସ ଯାଇ ଏହି ରିପୋର୍ଟ ଦେଇଥିଲେ। ପରେ ସେ ‘ସମ୍ବାଦ’କୁ କହିଛନ୍ତି, ବିଭିନ୍ନ ବର୍ଗର ନେତାଙ୍କ ସହିତ ଆଲୋଚନା କରିଥିଲେ ଓ ଅଭିଯୋଗ ଆଣିଥିବା ନେତା ଓ କର୍ମୀଙ୍କ ସହିତ ବି କଥା ହୋଇଛନ୍ତି। ଆଜି ସାଂସଦ ଶ୍ରୀ ପଣ୍ଡାଙ୍କ ସହ ତାଙ୍କର ଟେଲିଫୋନ୍‌ରେ କଥାବାର୍ତା ହୋଇଛି। ୨ ପୃଷ୍ଠାର ରିପୋର୍ଟରେ ବିଶଦ ତଥ୍ୟ ପ୍ରଦାନ କରାଯାଇଛି। ତେବେ ବୈଜୟନ୍ତ କର୍ମୀଙ୍କୁ ଅବହେଳା କରୁଥିବା ନେଇ ସେ ବେଶି ଅଭିଯୋଗ ପାଇଛନ୍ତି ଓ ତାଙ୍କ ସପକ୍ଷରେ କମ୍‌ ଲୋକ ଯୁକ୍ତି ରଖିଥିଲେ। ଶ୍ରୀମତୀ ମଲ୍ଲିକଙ୍କ ଏହି ମନ୍ତବ୍ୟ ସୂଚାଇ ଦେଇଛି ଯେ ରିପୋର୍ଟଟି ବୈଜୟନ୍ତଙ୍କ ସପକ୍ଷରେ ସମ୍ଭବତଃ ନାହିଁ। ଏଥିସହିତ ଏହି ପ୍ରସଙ୍ଗଟି ଏବେ ମୁଖ୍ୟମନ୍ତ୍ରୀଙ୍କ କୋର୍ଟକୁ ଯାଇଛି। ଅନ୍ୟତମ ପର୍ଯ୍ୟବେକ୍ଷକ ଉଷା ଦେବୀ ଏଯାଏ ନିଶ୍ଚିନ୍ତକୋଇଲି କିମ୍ବା ସାଲେପୁର ଯାଇନାହାନ୍ତି। ସମ୍ଭବତଃ ଆସନ୍ତାକାଲି ସେ ତଦନ୍ତ କରିବା ଲାଗି ଯିବେ। ଏହି ରିପୋର୍ଟ ମିଳିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ନିର୍ଣ୍ଣୟ ରଖିପାରନ୍ତି ବୋଲି କୁହାଯାଉଛି।

ତେବେ ବୈଜୟନ୍ତଙ୍କ କ୍ଷେତ୍ରରେ ସୃଷ୍ଟି ହୋଇଥିବା ବିବାଦ ସମାଧାନ ଲାଗି ସୁପ୍ରିମୋ କିଛି ବାଟ କାଢିବେ ନା ତାଙ୍କୁ ସବୁଦିନ ପାଇଁ ଦୂରେଇ ଦେବା ଲାଗି ବହିଷ୍କାର ପାଇଁ ନିର୍ଦେଶ ଦେବେ, ତାହାକୁ ନେଇ ଏବେ ସବୁ ମହଲରେ ଉତ୍ସୁକତା ପ୍ରକାଶ ପାଇଲାଣି।

ତେବେ କୌତୂହଳର କଥା ହେଉଛି, ଯେଉଁ ଅଭିଯୋଗକୁ ଆଧାର କରି ଏ ବିବାଦଟି ବଢିବାରେ ଲାଗିଛି, ରିପୋର୍ଟ ଦେବା ପୂର୍ବରୁ ସେହି ତୃତୀୟ ମହଲା ଜାଲରେ ପର୍ଯ୍ୟବେକ୍ଷକ ଶ୍ରୀମତୀ ମଲ୍ଲିକ ଛନ୍ଦି ହୋଇଯାଇଛନ୍ତି। ସୋସିଆଲ ମିଡ଼ିଆରେ ଭାଇରାଲ୍‌ ହୋଇଥିବା ସ୍କ୍ରିନ୍‌ ସଟ୍‌ ତାଙ୍କୁ ଏଭଳି ଏକ ଅଡୁଆ ଭିତରକୁ ଟାଣି ନେଇଛି। ଶିବ ଏସ୍‌ ଦାସମହାପାତ୍ର ନାମକ ଜଣେ ବ୍ୟକ୍ତି ଟ୍ଵିଟ୍‌ ଜରିଆରେ ଛାଡିଥିବା ସ୍କ୍ରିନ୍‌ ସଟ୍‌ରେ ଆଜି ଶ୍ରୀମତୀ ମଲ୍ଲିକ ସାଂସଦଙ୍କ ସହିତ କଥା ହେବା ପରେ ତୃତୀୟ ମହଲା ସହିତ ସଂପର୍କ ସ୍ଥାପନ କରିଥିବା କୁହାଯାଇଛି।

ଆଜି ଶ୍ରୀମତୀ ମଲ୍ଲିକ ଏହି ସ୍କ୍ରିନ୍‌ ସଟ୍‌ଟି ତାଙ୍କ ମୋବାଇଲର ନୁହେଁ ବୋଲି ‘ସମ୍ବାଦ’କୁ କହିଛନ୍ତି। ତାଙ୍କ ପ୍ରତିକ୍ରିୟା ହେଉଛି, ଗତକାଲି କଥା ନ ହୋଇ ଯେମିତି କଥା ହୋଇଛନ୍ତି ବୋଲି ଟ୍ଵିଟ୍‌ କରାଯାଇଥିଲା, ଆଜି ଇଏ ସେମିତି ଆଉ ଏକ ଭେଳିକି। ଦ୍ୱନ୍ଦ୍ୱ ସୃଷ୍ଟି କରିବା ଲାଗି ଏମିତି ନାଟକ ରଚନା କରାଯାଉଛି। ଏତେ ଶସ୍ତା ରାଜନୀତି କିଏ କରିପାରେ, ତାହା ବିଶ୍ୱାସ ହେଉନାହିଁ ବୋଲି ଶ୍ରୀମତୀ ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମହିଳା ସଭାନେତ୍ରୀ ଆହୁରି କହିଛନ୍ତି, ଆଜି ସେ ବୈଜୟନ୍ତଙ୍କ ସହ ଫୋନ୍‌ରେ ଆଲୋଚନା କରିଛନ୍ତି। ହାତରେ ସମୟ କମ୍‌ ଥିବାରୁ ଅଭିଯୋଗ ଲିଖିତ ଭାବେ ଦେଇ ପାରିବି ନାହିଁ ବୋଲି ସେ ସାଂସଦଙ୍କୁ ଜଣାଇଥିଲେ। କହିଥିଲେ, କର୍ମୀ ଓ ନେତାଙ୍କ ମଧ୍ୟରେ ଯାହା କିଛି ଦ୍ୱନ୍ଦ୍ୱ ରହିଛି, ସେ କଥାର ସମାଧାନ ଦଳ ସଭାପତି କରିବେ। ଘର କଥା ପଦାରେ ପଡ଼ିବା ଉଚିତ ନୁହେଁ। ତାଙ୍କର ଯଦି କିଛି କହିବାର ଅଛି ସଭାପତିଙ୍କୁ ଭେଟି କହିବା ଉଚିତ। ଫେସବୁକ ଓ ଟ୍ଵିଟରରେ ଏମିତି ମନ୍ତବ୍ୟ ଦେବା ଉଚିତ ନୁହେଁ।

ସେପଟେ ବୈଜୟନ୍ତଙ୍କ ଟ୍ଵିଟ୍‌ ମାଡ଼ ଜାରି ରହିଛି। ସ୍କ୍ରିନ୍‌ ସଟ୍‌ ସଂପର୍କରେ ପ୍ରତିକ୍ରିୟା ରଖି ଟ୍ଵିଟ୍‌ରେ କହିଛନ୍ତି ଯେ ‘ଦାଲ୍‌ ମେ କୁଛ୍‌ କାଲା ହୈ’। ସେ ପୁଣି କହିଛନ୍ତି, ଦୋଷ ଥିଲେ ଫାଶୀ ପାଇଁ ପ୍ରସ୍ତୁତ। ଏକଥା ବି କହିଛନ୍ତି, ଯେଉଁମାନେ ତାଙ୍କ ସଂପର୍କରେ ଆଖିବୁଜା ଅଭିଯୋଗ ଆଣୁଛନ୍ତି, ସେମାନଙ୍କ ଉପରେ ତାଙ୍କର କୌଣସି ଅସନ୍ତୋଷ ନାହିଁ। ଏଥିସହିତ ତୃତୀୟ ମହଲାର ଇସାରାରେ ଏସବୁ କରାଯାଉଥିବା ନେଇ ସେ ପୁଣି ସଙ୍ଗିନ୍‌ ଅଭିଯୋଗ କରିଛନ୍ତି।

କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀର ଏହି ଚିତ୍ର ଏବେ ସମୁଦାୟ ରାଜ୍ୟର ବିଜେଡି ଚେହେରାକୁ ମଧ୍ୟ ପ୍ରଭାବିତ କରିପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିଚାର କରୁଛନ୍ତି। ଏହି ମହଲର କହିବା କଥା ହେଉଛି, ବିଧାୟକ-ସାଂସଦଙ୍କ ମଧ୍ୟରେ ବର୍ଷ ବର୍ଷ ଧରି ଲାଗି ରହିଥିବା ଅସନ୍ତୋଷକୁ ପ୍ରଶମିତ କରିବାରେ ବିଜେଡି ବିଫଳ ହୋଇଛି। ବର୍ତମାନ କେନ୍ଦ୍ରାପଡାରେ କେବଳ ଏହାର ଭୟାନକ ରୂପ ଦେଖିବାକୁ ମିଳୁଛି। ଆସନ୍ତାଦିନରେ ଅନ୍ୟ ଜିଲ୍ଲାକୁ ଯେ ଏହା ନ ବ୍ୟାପିବ, ଏକଥାକୁ ପୂରା ଟାଳିଦେବା ଏବେଠାରୁ ମୁସ୍କିଲ୍‌। ବରଂ କେନ୍ଦ୍ରାପଡ଼ାର ଏ ସମସ୍ୟାକୁ ଯଦି ସୁପ୍ରିମୋ ଠିକଣା ଢଙ୍ଗରେ ମୁକାବିଲା କରିପାରିବେ, ତେବେ ଅନ୍ୟ ସବୁ ସ୍ଥାନରେ ରହିଥିବା ଅସନ୍ତୋଷ ମିଳାଇଯିବା ସମ୍ଭାବନା ଅଧିକ।

ସମ୍ବନ୍ଧିତ ଖବର