ଯାଜପୁର : ଯାଜପୁର ଜିଲ୍ଲାର ଶିଳ୍ପାଞ୍ଚଳ କଳିଙ୍ଗନଗର ହେଉ କି କେନ୍ଦୁଝର ଜିଲ୍ଲାର ଯୋଡ଼ା ଖଣି ଅଞ୍ଚଳରେ ଠାବ ହେଉଛନ୍ତି ମାଳ ମାଳ ଅପପୁଷ୍ଟି ଶିଶୁ। ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ର ଘାଟିସାହିର ବାଙ୍କୁ ହେମ୍ବ୍ରମ୍ ପରିବାରର ୨ ଶିଶୁ ସାଂଘାତିକ ଅପପୁଷ୍ଟିର ଶିକାର ହୋଇ ଚିକିତ୍ସାଧୀନ ଅଛନ୍ତି। ଏହାପରେ ଏହି ଅଞ୍ଚଳ ସମେତ ଆଖପାଖ ଅଞ୍ଚଳର ଶିଶୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା ବେଳେ ଆଉ ୫ଜଣ ଅପପୁଷ୍ଟି ପୀଡ଼ିତ ଶିଶୁଙ୍କୁ ଠାବ କରାଯାଇ ପୁଷ୍ଟି ସାଧନ କେନ୍ଦ୍ରକୁ ପଠାଯାଇଛି। ସେହିପରି ଯୋଡ଼ା ସହର ସର୍ଗିତଳିଆରେ ମଧ୍ୟ ଅପପୁଷ୍ଟି ଆକ୍ରାନ୍ତ ଶିଶୁଙ୍କୁ ଚିହ୍ନଟ କରାଯାଇ ପୁଷ୍ଟିକର ଖାଦ୍ୟ ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଛି। ଯୋଡ଼ା ଏବଂ କଳିଙ୍ଗନଗର ଭଳି ପ୍ରାଚୁର୍ଯ୍ୟ ଭରା ଅଞ୍ଚଳରେ ଅପପୁଷ୍ଟି ପୀଡ଼ିତ ଶିଶୁ ଠାବ ହେବା ଆମ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଉଛି।
ରାଜ୍ୟ ସରକାର ପୁଷ୍ଟିହୀନତା ଦୂର କରିବା ପାଇଁ ଅନେକ ଯୋଜନା କରିଛନ୍ତି। ଯେମିତି କି ସପ୍ଲିମେଣ୍ଟାରି ନ୍ୟୁଟ୍ରିସନ୍ ପ୍ରୋଗ୍ରାମ, ପୋଷଣ-୨.୦ କାର୍ଯ୍ୟକାରୀ ହେଉଛି। ଏହାଦ୍ବାରା ୬ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ ସମେତ କିଶୋରୀ, ପ୍ରସୂତି ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯାଉଛି। ସେହିପରି ଶିଶୁମାନଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ସୁରକ୍ଷା ପାଇଁ ‘ମିସନ ବାତ୍ସଲ୍ୟ’ କାର୍ଯ୍ୟକାରୀ କରାଯାଉଛି। ୬ ବର୍ଷରୁ କମ୍ ସାଂଘାତିକ ଅପପୁଷ୍ଟି ଏବଂ ମଧ୍ୟମ ଅପପୁଷ୍ଟି ଆକ୍ରାନ୍ତ ଶିଶୁଙ୍କ ପାଇଁ ‘ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା’ କରାଯାଇଛି। ଏତେସବୁ ଯୋଜନା ସତ୍ତ୍ବେ ଖଣି ଏବଂ ଶିଳ୍ପାଞ୍ଚଳରେ ଅପପୁଷ୍ଟି ପୀଡ଼ିତ ଶିଶୁ ଠାବ ହେଉଛନ୍ତି କିପରି ବୋଲି ପ୍ରଶ୍ନ ଉଠୁଛି।
www.prabhasakshi.comଯୋଡ଼ାର ସର୍ଗିତଳିଆ ଏବଂ ଗୋଡ଼ାସାହିର ଅପପୁଷ୍ଟି ସଂପର୍କରେ ଆଲୋଚନା କଲେ ଏଠାକାର ବାସିନ୍ଦା ମୁଖତଃ ଦିନ ମଜୁରିଆ। ଏମାନେ ନିକଟସ୍ଥ ଖଣିରେ କାମ କରି ଜୀବିକା ଉପାର୍ଜନ କରୁଥିଲେ। ହେଲେ, ଖଣି ବନ୍ଦ ପରେ ଜୀବିକା ହରାଇଲେ। ହାତରେ କାମ ନଥିବାରୁ ପିଲାଙ୍କ ପେଟକୁ ଦାନା ଦେବାରେ ଏମାନେ ଅକ୍ଷମ। ପ୍ରଦୂଷିତ ଅଞ୍ଚଳରେ ରହିବା ଏବଂ ଉପଯୁକ୍ତ ଖାଦ୍ୟ ନମିଳିବାରୁ ଶିଶୁମାନେ ଅପପୁଷ୍ଟିର ଶିକାର ହେଉଥିବା ଜଳଜଳ ଦିଶୁଛି। ଖଣି ଅଞ୍ଚଳର ଅପପୁଷ୍ଟି ପ୍ରସଙ୍ଗ ଉଠିବା ପରେ ଯୋଡ଼ା ଅଞ୍ଚଳର ସବୁ ଅଙ୍ଗନବାଡ଼ି କେନ୍ଦ୍ରରେ ଶିଶୁମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ନିଷ୍ପତ୍ତି ହୋଇଛି। ଶିଶୁମାନଙ୍କ ଯତ୍ନ ପାଇଁ ଏହା ଉତ୍ତମ ପଦକ୍ଷେପ ବୋଲି କୁହାଯାଉଛି।
ସେହିପରି, ଦାନଗଦି ବ୍ଲକ୍ ରଣାଗୁଣ୍ଡି ପଞ୍ଚାୟତର ରଗଡ଼ା-ଘାଟିସାହିରେ ୫ ଅପପୁଷ୍ଟି ଶିଶୁ ଉଦ୍ଧାର ହୋଇଛନ୍ତି। ଏହାସହ କିଆଝର, ଶାଳିଜଙ୍ଗା, ନଡ଼ିଆଭଙ୍ଗା, ଧୂଳିଗଡ, ଚାନ୍ଦିଆ ପ୍ରଭୃତିରେ ଶତାଧିକ ଅନାଥ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ଦେଖିବାକୁ ମିଳିଛି। ଏଠାକାର ଲୋକେ କଳ କାରଖାନାରେ କାମଧନ୍ଦା ନପାଇ ଦୟନୀୟ ଜୀବନ କାଟୁଛନ୍ତି। ଏଭଳି କି ଅନେକ ଲୋକଙ୍କ ଆଧାର କାର୍ଡ ନଥିବାରୁ ଆହାରରୁ ବଞ୍ଚିତ ହୋଇଛନ୍ତି। ଏହାସହ ପରିବାର ସବୁ ସଦସ୍ୟଙ୍କ ନାମ ରାସନ୍ କାର୍ଡରେ ଯୋଡ଼ା ଯାଇନଥିବା ଦେଖିବାକୁ ମିଳୁଛି। ଲୋକଙ୍କ ମଧ୍ୟରେ ସଚେତନତାର ଅଭାବ ସାଂଗକୁ ସରକାରୀ କଳର ଅବହେଳା ଏଭଳି ସ୍ଥିତି ପାଇଁ ଦାୟୀ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/Nutrition.jpg)