କୋରେଇ : ଅପପୁଷ୍ଟି ଜନିତ ଅପମୃତ୍ୟୁ ପାଇଁ ୨୦୧୬ରେ ରତ୍ନଗର୍ଭା ସୁକିନ୍ଦା ବ୍ଲକ୍‌ର ନଗଡ଼ା ଜାତୀୟସ୍ତରରେ ଚର୍ଚ୍ଚିତ ହୋଇଥିଲା। ଆଉ ଏହାର ବର୍ଷକ ପରେ ଯାଜପୁର ଜିଲ୍ଲା କୋରେଇ ବ୍ଲକ୍‌ର ପଥରପଦା ପଞ୍ଚାୟତ ଅନ୍ତର୍ଗତ ବେଙ୍ଗାସାହିର ଅଲୋଡ଼ା ଚିତ୍ର ସାମନାକୁ ଆସିଥିଲା। ଏଠାରେ ବି ଅପପୁଷ୍ଟିରରେ ଶିକାର ଶିଶୁଙ୍କୁ ଠାବ କରାଯାଇଥିଲା। ‘ସମ୍ବାଦରେ ଖବର ପ୍ରକାଶନ ପରେ ଚେଇଁଥିଲା ପ୍ରଶାସନ। ୪ଜଣ ଶିଶୁଙ୍କୁ ଉଦ୍ଧାର କରି ପୁଷ୍ଟିସାଧନ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାରି ଭିତରେ ୫ ବର୍ଷ ବିତିଯାଇଛି, ହେଲେ ବେଙ୍ଗାସାହିର ଚିତ୍ର ବଦଳିନି। ଏବେ ବି ମାଳ ମାଳ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ଫୁଙ୍ଗୁଳା ଦେହରେ ଗାଁର ଅପରିଷ୍କାର ପରିବେଶ ମଧ୍ୟରେ ଖେଳାବୁଲା କରୁଛନ୍ତି। ଏଠି ଆଖି ବୁଲାଇଲେ ଖାଲି ଦେଖିବାକୁ ମିଳୁଛି ଭଙ୍ଗା ଦଦରା ଝାଟିମାଟି ଘର ଓ ଅସହାୟ ମଣିଷ। ସତେ ଯେମିତି ଏମାନଙ୍କ ପାଖରେ ବିକାଶ ବାଟ ହୁଡ଼ିଛି।

Advertisment

କୋରେଇ ବ୍ଲକ୍‌ ପଥରପଦା ପଞ୍ଚାୟତ ଅନ୍ତର୍ଗର ବେଙ୍ଗାସାହିର ଅବସ୍ଥିତି ନଗଡ଼ା ଭଳି ଦୁର୍ଗମ ଅଞ୍ଚଳରେ ନୁହେଁ। ଜାତୀୟ ରାଜପଥ କଡ଼ରେ ପ୍ରାୟ ୧ କିଲୋମିଟରରେ ଦୂରରେ ରହିଛି ଏହି ବସ୍ତି। ଏଠାରେ ବସବାସ କରୁଛନ୍ତି ୩୪ ପରିବାର। ଏଠାକାର ଜନସଂଖ୍ୟା ୧୮୪ଜଣ। ଏହି ଅବହେଳିତ ବସ୍ତିରେ ପହଞ୍ଚି ଖବର ନେବାରୁ ଜଣାଗଲା ପ୍ରଶାସନ ଏହି ବସ୍ତିକୁ ଭୁଲିଯାଇଛି। ବର୍ତ୍ତମାନ ବସ୍ତିର ସୁରେଶ ମୁଣ୍ତା ଓ ଗୁରୁବାରୀ ମୁଣ୍ତାଙ୍କ ବର୍ଷକର ଝିଅ ରାଧେ, କଦମା ମୁଣ୍ତା ଓ ଲାବୁ ମୁଣ୍ତାଙ୍କ ପାଖରେ ରହୁଥିବା ନାତି ଶୁକୁରୁ, ମଣିଆ ଓ ନାତୁଣୀ ମାଳ ପ୍ରମୁଖ ଅପପୁଷ୍ଟିର ଶିକାର ହୋଇଛନ୍ତି। ସେହିପରି ସାବିତ୍ରୀ ମୁଣ୍ତାଙ୍କ ପୁଅ ରଘୁଆ(୨ବର୍ଷ) ଏବଂ ଧନିଆ ମୁଣ୍ତାଙ୍କ ପୁଅ ସୁଲ(୧୦ ମାସ) ମଧ୍ୟ ଅପପୁଷ୍ଟିରେ ଘାଣ୍ଟି ହେଉଛନ୍ତି। ହେଲେ ସଚେତନତାର ଅଭାବ କାରଣରୁ ଅପପୁଷ୍ଟି କଣ ପରିବାର ସବୁ ଜାଣିପାରୁ ନାହାନ୍ତି।

publive-image

ଗାଁକୁ ଯାଇଥିବା ରାସ୍ତା କାଦୁଅ ପଚପଚ। ଗାଁ ସାରା ସନ୍ତସନ୍ତିଆ ପରିବେଶ। ସାହିର ସମସ୍ତେ ଶ୍ରମିକ ଶ୍ରେଣୀର। ରୋଜଗାରର ସିଂହଭାଗ ହାଣ୍ତିଆ ଓ ଦେଶୀ ମଦରେ ଖର୍ଚ୍ଚ କରନ୍ତି। ମାତ୍ର ୨ ଜଣ ଲୋକଙ୍କୁ ଆବାସ ଯୋଜନାରେ ଘର ମିଳିଥିଲେ ମଧ୍ୟ କାମ ସଂପୂର୍ଣ୍ଣ କରିପାରି ନଥିବା କହିଛନ୍ତି ବାବୁଲି ମୁଣ୍ତା ଓ ସୁରେଶ ମୁଣ୍ତା। ଅନେକଙ୍କ ଆଧାର କାର୍ଡ ନାହିଁ କି ଜମିପଟ୍ଟା ମଧ୍ୟ ନାହିଁ। ପାଖ ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କ ନାମ ରହିଥିଲେ ମଧ୍ୟ ପ୍ରାୟ କେହି ଯାଉନଥିବା ଲୋକେ କହିଛନ୍ତି। ଗର୍ଭବତୀ ମହିଳାଙ୍କ ନାମ ପଞ୍ଜୀକରଣ ହେଉନି। ୫ ବର୍ଷ ପୂର୍ବେ ଗାଁକୁ ଡାକ୍ତରୀ ଦଳ ଯାଇ ଚିକିତ୍ସା ସେବା ଯୋଗାଇଥିଲେ। ଏହାପରେ ଆଉ କାହାର ପାଦ ପଡ଼ିନଥିବା ଲୋକେ କହିଛନ୍ତି। କୋରେଇର ବିକାଶ ନେଇ ଅନେକ ବାହାସ୍ପଟ ମାରୁଛନ୍ତି। ହେଲେ ବେଙ୍ଗାସାହିରେ ସବୁ ବେଙ୍ଗା ହୋଇଯାଇଛି।

ଏନେଇ କୋରେଇ ବିଡିଓ ରଂଜନ କୁମାର ପରିଡାଙ୍କୁ ପଚରାଯିବାରୁ ବେଙ୍ଗାସାହିକୁ ନିଜେ ଯାଇ ସ୍ଥିତି ପରଖିବେ ଏବଂ ସ୍ଥାସ୍ଥ୍ୟ ବିଭାଗକୁ ତଦାରଖ କରିବାକୁ ନିର୍ଦେଶ ଦେବେ ବୋଲି କହିଛନ୍ତି।