the hindu
ଯାଜପୁର: ଯାଜପୁର ଜିଲ୍ଲାରେ ପୁଣି ଏକ ଅପପୁଷ୍ଟିଜନିତ ମୃତ୍ୟୁ ଘଟିଥିବାର ଖବର ମିଳିଛି। ମୃତକ ହେଲେ ଦାନଗଦୀ ବ୍ଲକ, ତ୍ରିରଙ୍ଗା ପଞ୍ଚାୟତ ସୋଲେଇ ଗାଁର ବାବୁଲି ତିରିଆଙ୍କର ଝିଅ ଶୁଭଲକ୍ଷ୍ମୀ (୮)। ଏହାଫଳରେ ସିମାମ ଯୋଜନା ଏଠାରେ ଫେଲ୍ ମାରିଥିବା କୁହାଯାଉଛି।
ଉଲ୍ଲେଖଯୋଗ୍ୟ, ଖଣି ଓ ଶିଳ୍ପ ଥିବା ଯାଜପୁର ଜିଲ୍ଲାର ଦୁଇ ବ୍ଲକ୍ ସହ ଯେମିତି ଯୋଡ଼ି ହୋଇଯାଇଛି ‘ଅପପୁଷ୍ଟି’। ପୂର୍ବରୁ ସୁକିନ୍ଦା ବ୍ଲକ୍ର କ୍ରୋମ୍ ଉପତ୍ୟକା ନିକଟବର୍ତ୍ତୀ ନଗଡ଼ାର ଅପପୁଷ୍ଟିକୁ ନେଇ ଚର୍ଚ୍ଚା ହୋଇଥିଲା। ଏବେ ଦାନଗଦୀ ବ୍ଲକ୍ ଅନ୍ତର୍ଗତ କଳିଙ୍ଗନଗର ଶିଳ୍ପାଞ୍ଚଳ ନିକଟ ଘାଟିସାହିରେ ଅପପୁଷ୍ଟି ଆକ୍ରାନ୍ତ ଶିଶୁ ମୃତ୍ୟୁ ଘଟଣା ଏଥିରେ ଯୋଡ଼ି ହୋଇଯାଇଛି। ଫଳରେ, ସରକାରଙ୍କ ସିମାମ୍ ଭଳି ଯୋଜନା କାହାପାଇଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏହି ଦୁଇ ବ୍ଲକ୍ ସୁକିନ୍ଦା ଓ ଦାନଗଦୀକୁ ସରକାର ସିମାମ ଯୋଜନାରେ ସାମିଲ କରିଛନ୍ତି। ରାଜ୍ୟରେ ଅପପୁଷ୍ଟିକୁ ଲକ୍ଷ୍ୟ କରି ଯାଜପୁରର ୧୦ଟି ବ୍ଲକ୍ ମଧ୍ୟରୁ ଏହି ଦୁଇ ବ୍ଲକ୍କୁ ଏହି ଯୋଜନାରେ ସାମିଲ୍ କରାଯାଇଛି। ମାତ୍ର, ସରକାରଙ୍କ ଅନ୍ୟାନ୍ୟ ଯୋଜନା ଭଳି ଏହା କେବଳ କାଗଜପତ୍ରରେ ସୀମିତ ରଖିଛି। ପୁଷ୍ଟିକର ଖାଦ୍ୟରେ ପରିବର୍ତ୍ତନ ଓ ରାଜ୍ୟ ସରକାର ୫-ଟି ଅନୁସରଣ କରି ଏକ ପରିବର୍ତ୍ତିତ ରଣନୀତି ମାଧ୍ୟମରେ ପାହାଡ଼ିଆ ଅଞ୍ଚଳର ଅପପୁଷ୍ଟି ନିରାକରଣ କରିବା ହେଉଛି ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ।
ଅପପୁଷ୍ଟି ନିରାକରଣ ପାଇଁ ଏତେ ସବୁ ନିୟମ ଓ ସିମାମ୍ ଭଳି କାର୍ଯ୍ୟକ୍ରମ ଥିଲେ ମଧ୍ୟ ଦାନଗଦୀ ଓ ସୁକିନ୍ଦା ବ୍ଲକ୍ରେ ମାଳମାଳ ଅପପୁଷ୍ଟି ଆକ୍ରାନ୍ତ ଶିଶୁ ପ୍ରସଙ୍ଗ ସରକାର ଓ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲିଟିଛି।
ଅପରପକ୍ଷରେ, ଅପପୁଷ୍ଟିରେ ଶିଶୁଙ୍କ ମୃତ୍ୟୁ ଓ ମାଳମାଳ ଶିଶୁ ଅପପୁଷ୍ଟି ଶିକାର ହେବା ଘଟଣା ହିଁ ରାଜ୍ୟ ଖାଦ୍ୟ ଅଧିକାର ଅଭିଯାନକୁ ମଧ୍ୟ ପ୍ରହସନରେ ପରିଣତ କରିଛି। ଏହାଉପରେ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।
Follow Us