କାମ ଦେଉନି କୁପୋଷଣ ନିୟନ୍ତ୍ରଣ ଯୋଜନା: ବୁଝେଇଲେ ବି ବୁଝୁନାହାନ୍ତି ଗାଁ ମହିଳା

ବାଲେଶ୍ବର ଜିଲ୍ଲାରେ ୬୧ ପ୍ରତିଶତ ମହିଳା ଓ ୪୩ ପ୍ରତିଶତ ଶିଶୁ ରକ୍ତହୀନତାର ଶିକାର

ବାଲେଶ୍ବର : ଓଡ଼ିଶାରେ ମହିଳା ଓ ଶିଶୁମାନଙ୍କ ମଧ୍ୟରେ ରକ୍ତହୀନତା ମାତ୍ରା ଅଧିକ। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌) ୨୦୧୯-୨୧ର ରିପୋର୍ଟ ହିଁ ଏଭଳି ଅସଙ୍ଗତିକୁ ସୂଚାଉଛି। ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟରକ୍ଷା ଦିଗରେ ସରକାରୀସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ବାସ୍ତବ ଚିତ୍ର ଓଲଟା। ଏହି କ୍ରମରେ ବାଲେଶ୍ବର ଜିଲ୍ଲାର ସ୍ଥିତି ମଧ୍ୟ ଚିନ୍ତାଜନକ।

ସୂଚନା ମୁତାବକ ୬ରୁ ୫୯ ମାସର ଶିଶୁ, ୧୫ରୁ ୪୯ ବର୍ଷ ବର୍ଗରେ ଥିବା ଗର୍ଭବତୀ ଓ ଅଣଗର୍ଭବତୀ ମହିଳା, ୧୫ରୁ ୧୯ ବର୍ଷ ବର୍ଗ ମଧ୍ୟରେ ଥିବା କିଶୋରୀ ବାଳିକାଙ୍କ କ୍ଷେତ୍ରରେ ରକ୍ତହୀନତା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ଶିଶୁ ଓ ମାତୃ ମୃତ୍ୟୁହାର ବୃଦ୍ଧି ପଛରେ ଏହା ଏକ ବଡ଼ କାରଣ। କେବଳ ସେତିକି ନୁହେଁ, ସୁସ୍ଥ ଶିଶୁ ଓ ଅଭିବୃଦ୍ଧି କ୍ଷେତ୍ରରେ ମଧ୍ୟ ଏହା ପ୍ରଭାବ ପକାଉଛି। ଥାଲାସେମିଆ ରୋଗୀଙ୍କ ସଂଖ୍ୟାବୃଦ୍ଧି ରକ୍ତହୀନତା ବୃଦ୍ଧି ପାଇବାର ଅନ୍ୟ ଏକ କାରଣ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତ। ତେବେ ଦାରିଦ୍ର୍ୟ, ପୋଷଣଯୁକ୍ତ ଖାଦ୍ୟର ଅଭାବ, ଚଟ୍‌ପଟି ଖାଦ୍ୟ (ଫାଷ୍ଟଫୁଡ୍‌)ର ବହୁଳ ବ୍ୟବହାର ଏବଂ ସର୍ବୋପରି ସଚେତନତା ଅଭାବରୁ ଏପ୍ରକାର ସ୍ଥିତି ଉପୁଜିଥିବା ରିପୋର୍ଟରେ କୁହାଯାଇଛି।

Tribune India

ପ୍ରତି ପାଞ୍ଚ ବର୍ଷରେ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ଭେ ରିପୋର୍ଟ ପ୍ରକାଶ ପାଇଥାଏ। ୨୦୧୫-୧୬ରେ ପ୍ରକାଶିତ ରିପୋର୍ଟରେ ବାଲେଶ୍ବର ଜିଲ୍ଲାରେ ୬ରୁ ୫୯ ମାସର ଶିଶୁଙ୍କ ମଧ୍ୟରେ ୨୮.୬ ପ୍ରତିଶତ ରକ୍ତହୀନତା ଚିହ୍ନଟ ହୋଇଥିବା ବେଳେ ୨୦୧୯-୨୧ରେ ଏହା ବୃଦ୍ଧି ପାଇ ୪୩.୨ ପ୍ରତିଶତରେ ପହଞ୍ଚିଛି। ସେହିପରି ୧୫ରୁ ୪୯ ବର୍ଷ ଅଣଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ୪୦.୬ ପ୍ରତିଶତ, ୨୦୧୯-୨୧ ରିପୋର୍ଟରେ ୬୧.୫ ପ୍ରତିଶତ ରହିଛି। ୨୦୧୫-୧୬ରେ ୧୫ରୁ ୪୯ ବର୍ଷ ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା ୫୫.୬ ପ୍ରତିଶତ ରହିଥିବା ବେଳେ ଚଳିତ ରିପୋର୍ଟରେ କିନ୍ତୁ ଏହା ଦର୍ଶାଯାଇନାହିଁ। ସେହିପରି ୧୫ରୁ ୧୯ ବର୍ଷର କିଶୋରୀ ବାଳିକାଙ୍କ କ୍ଷେତ୍ରରେ ରକ୍ତହୀନତା ୪୨.୯ ପ୍ରତିଶତ ରହିଥିବା ବେଳେ ଚଳିତ ରିପୋର୍ଟରେ ଏହା ୫୭.୩ ପ୍ରତିଶତ ଦର୍ଶାଯାଇଛି। ତେବେ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ସ୍ଥିତି ଆହୁରି ଖରାପ ରହିଛି।

ଶିଶୁ ଓ ମହିଳାଙ୍କ ମଧ୍ୟରେ ରକ୍ତହୀନତାକୁ ନିୟନ୍ତ୍ରଣ କରିବା ପାଇଁ ଅଙ୍ଗନବାଡ଼ି, ଆଶାକର୍ମୀଙ୍କ ଜରିଆରେ ଆଇରନ୍‌ ବଟିକା, ପୁଷ୍ଟିକର ଖାଦ୍ୟଠୁ ଆରମ୍ଭ କରି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। କୁପୋଷଣ ବିରୋଧରେ ସାମାଜିକ ସଂସ୍ଥାଗୁଡ଼ିକ ସଚେତନତା ସୃଷ୍ଟି କରିବା ସହ ଅହରହ କାମ ମଧ୍ୟ କରୁଛନ୍ତି। ତା ସତ୍ତ୍ବେ ବାଲେଶ୍ବର ଜିଲ୍ଲାରେ ଏଭଳି ସ୍ଥିତି କେମିତି ଉପୁଜିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। କରୋନା ମହାମାରୀ ସମୟରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ଥିଲା। ଘରକୁ ଯାଉଥିବା ପୋଷଣଯୁକ୍ତ ଖାଦ୍ୟ ପରିବାର ସଦସ୍ୟଙ୍କ ମଧ୍ୟରେ ବିଭାଜିତ ହୋଇଥିଲା। ଲୋକେ ଏହି ସମୟରେ ବେରୋଜଗାର ହୋଇ ମାନସିକ ଚିନ୍ତାରେ ରହିଥିଲେ। ଏହାମଧ୍ୟ ରକ୍ତହୀନତା ବୃଦ୍ଧି ପାଇବାର ଅନ୍ୟ ଏକ କାରଣ ବୋଲି କୁହାଯାଉଛି। ତେବେ କୁପୋଷଣକୁ ମହିଳାମାନେ ହାଲୁକା ଭାବେ ନେଉଛନ୍ତି। ଏମିତିକି ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଆଇରନ୍‌ ବଟିକାକୁ ବି ଖାଉନାହାନ୍ତି। ସେମାନଙ୍କ ପରିବାର ଏଥିପ୍ରତି ସଚେତନ ରହିଲେ ଏହି ସମସ୍ୟା କିଛି ଦୂର ହୋଇପାରନ୍ତା ବୋଲି ମହିଳା ଓ ପରିବାର କଲ୍ୟାଣ ପାଇଁ କାମ କରୁଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର