ଭୁବନେଶ୍ୱର : ରାଜ୍ୟର ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାକୁ ଅପପୁଷ୍ଟିମୁକ୍ତ ଜିଲ୍ଲାରେ ପରିଣତ କରାଯିବ। ଆସନ୍ତା ୫ବର୍ଷ ମଧ୍ୟରେ ଏହି ଦୁଇ ଜିଲ୍ଲାର ସମସ୍ତ ବ୍ଲକ୍ରେ ଆଉ କୌଣସି ଅପପୁଷ୍ଟିର ଶିକାର ଶିଶୁ ରହିବେ ନାହିଁ। ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ। ନିକଟରେ ନୀତି ଆୟୋଗ ପକ୍ଷରୁ ହୋଇଥିବା ବୈଠକରେ ଦେଶବ୍ୟାପୀ ୧୦୦ ଜିଲ୍ଲା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।
ସୂଚନା ଅନୁଯାୟୀ, କମ୍ପୋଜିଟ୍ ଇଣ୍ଡିକେଟର ଅନୁସାରେ ଓଡ଼ିଶାର ୨ଟି ଜିଲ୍ଲା ଅତ୍ୟଧିକ ଅପପୁଷ୍ଟିର ଶିକାର। ରାଜ୍ୟର ଅନ୍ୟ ଜିଲ୍ଲା ଅପେକ୍ଷା ନୂଆପଡ଼ା ଓ ରାୟଗଡ଼ାରେ ଅଧିକ ଅପପୁଷ୍ଟିର ଶିକାର ହୋଇଥିବା ଶିଶୁ ରହିଛନ୍ତି। ତେଣୁ ଅପପୁଷ୍ଟିକୁ ରୋକିବା ପାଇଁ ଏକ ୫ବର୍ଷିଆ ଯୋଜନା କରାଯାଇଛି। ଏଥିରେ ସ୍ୱାସ୍ଥ୍ୟ, ପଞ୍ଚାୟତିରାଜ, ମହିଳା ଓ ଶିଶୁ ବିକାଶ, ଜଳ ଓ ପରିମଳ ବିଭାଗ ଓ ଅନ୍ୟାନ୍ୟ ବିଭାଗକୁ ସାମିଲ କରାଯିବ। ଏଥିପାଇଁ ସ୍ଥାନୀୟ ଜିଲ୍ଲାପାଳଙ୍କୁ ଏହାର ଦାୟିତ୍ୱ ଦିଆଯିବ। ପ୍ରତି ମାସରେ ପ୍ରଧାନମନ୍ତ୍ରୀ ଏହାର ସମୀକ୍ଷା କରିବେ ବୋଲି ଜଣାପଡ଼ିଛି।
ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଦେଶରେ ଅପପୁଷ୍ଟିକୁ ରୋକିବା ପାଇଁ ନିକଟରେ ଦିଲ୍ଲୀରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦେଶର ୧୦୦ଟି ଜିଲ୍ଲାକୁ ଚୟନ କରାଯାଇଛି। ଓଡ଼ିଶାର ନୂଆପଡ଼ା ଓ ରାୟଗଡ଼ା ଜିଲ୍ଲାକୁ ଏଥିରେ ସାମିଲ କରାଯାଇଛି। ଆସନ୍ତା ୨୦୨୨ସୁଦ୍ଧା ଏହି ଦୁଇ ଜିଲ୍ଲାକୁ ଅପପୁଷ୍ଟିମୁକ୍ତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଅପପୁଷ୍ଟିର ଶିକାର ହୋଇଥିବା ମହିଳା ଓ ଶିଶୁମାନଙ୍କୁ ଉତ୍ତମ ଖାଦ୍ୟ ଯୋଗାଇବାର ବ୍ୟବସ୍ଥା କରାଯିବ। ଏହାସହ ସ୍ଥାନୀୟ ଅଞ୍ଚଳରେ କିଭଳି ପରିଷ୍କାର ପାଣି ଓ ପରିମଳ ବଜାୟ ରହିବ ସେଥିପାଇଁ ଗୁରୁତ୍ୱ ଦିଆଯିବ।
ସ୍ଥାନୀୟ ଲୋକଙ୍କ ରୋଜଗାର ବଢ଼ାଇବା ପାଇଁ ସରକାରଙ୍କ ପକ୍ଷରୁ ଚାଲୁଥିବା ବିଭିନ୍ନ ଯୋଜନା କିଭଳି ସେମାନଙ୍କ ନିକଟରେ ପହଞ୍ଚିବ ତାହା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ। ଏହାସହ ସ୍ଥାନୀୟ ଲୋକଙ୍କୁ କିଚେନ ଗାର୍ଡେନ୍, ମାଛ ଚାଷ ଓ ଅନ୍ୟାନ୍ୟ ରୋଜଗାର ପାଇଁ ପ୍ରୋତ୍ସାହିତ କରାଯିବ। ପୁରୁଷଙ୍କ ଅପେକ୍ଷା ମହିଳା ଓ ଶିଶୁ ଅପପୁଷ୍ଟିର ଅଧିକ ଶିକାର ହେଉଥିବାରୁ ଦୁହିଁଙ୍କୁ ଏଥିରେ ଅଧିକ ଗୁରୁତ୍ୱ ଦିଆଯିବ। ତେବେ ରକ୍ତହୀନତା ବା ଏନିମିଆରେ ଓଡ଼ିଶା ଜାତୀୟସ୍ତରରେ ବେଶ ଅଗ୍ରଗତି କରିଛି। ନିକଟରେ ହୋଇଥିବା ସର୍ବେକ୍ଷଣରେ ଓଡ଼ିଶାରେ ୩୦ପ୍ରତିଶତ ପର୍ଯ୍ୟନ୍ତ ରକ୍ତହୀନତା କମିଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/ray.jpg)