କାଳିଆପାଣି: ଅପପୁଷ୍ଟିଜନିତ ଶିଶୁମୃତ୍ୟୁ ପାଇଁ ଅପଖ୍ୟାତି ଅର୍ଜିଥିବା ନଗଡ଼ା ପୁଣି ଦୁର୍ନାମ ମୁଣ୍ଡାଇଛି। ଗତ ଗୁରୁବାର ନଗଡ଼ା ପଡ଼ୋଶୀ ଗୁହିଆଶାଳ ମୌଜା ତଳଡିହ ବସ୍ତିର ୨ଜୁଆଙ୍ଗ ଶିଶୁଙ୍କର ଅପପୁଷ୍ଟିଜନିତ ମୃତ୍ୟୁ ହୋଇଛି। ମୃତକ ଦ୍ବୟ ହେଲେ ଫୁଲମଣି ଓ ଅମିନ ପ୍ରଧାନଙ୍କ ପୁଅ ଠାକୁରା(୪ବର୍ଷ) ଏବଂ ରଇବାରୀ ଓ ଉଷା ପ୍ରଧାନଙ୍କ ଝିଅ ମିତା(୩ବର୍ଷ)। ଦାନଗଦୀ ବ୍ଲକ୍‌ର ଶିଳ୍ପ ସମୃଦ୍ଧ କଳିଙ୍ଗନଗର ଛାତି ଉପରେ ଅପପୁଷ୍ଟି କାରଣରୁ ଜଣେ ଶିଶୁର ମୃତ୍ୟୁ ପରେ ତମ୍ବିତୋଫାନ୍‌ ହୋଇଥିଲା। ଏବେ ସୁନାର ସୁକିନ୍ଦାର ନଗଡ଼ା ପାର୍ଶ୍ବବର୍ତ୍ତୀ ଗୁହିଆଶାଳ ମୌଜା ତଳଡିହରେ ଅପପୁଷ୍ଟିଜନିତ ଶିଶୁମୃତ୍ୟୁ ଘଟିଛି। ପୁଅର ମୃତ୍ୟୁ ସଂପର୍କରେ ଅମିନ କହନ୍ତି ଯେ ସପ୍ତାହ ପୂର୍ବରୁ ଠାକୁରା ଦେହରେ ଫୋଟକା ଭଳି ବାହାରିଲା। ଦେହରେ ଜର ଓ କମ୍ପ ରହୁଥିଲା। ମୃତ୍ୟୁର ୨ ଦିନ ପୂର୍ବରୁ ଜର ଛାଡ଼ିଗଲା, ହେଲେ ରକ୍ତଝାଡ଼ା ହେଲା। ଗୁରୁବାର ସକାଳୁ ଛୁଆଟା ମରିଗଲା। ଝିଅ ମିତାର ମୃତ୍ୟୁ ସଂପର୍କରେ ଉଷା ପ୍ରଧାନ କହନ୍ତି ଯେ ସୋମବାରଠାରୁ ଝିଅର ପତଳା

Advertisment

ଝାଡ଼ା ହେ‌ଲା, ଆଉ କମିଲାନି। ଗାଁ ବଇଦ କଥାରେ ଚେରମୂଳି ଓ ପତ୍ର ଖାଇବାକୁ ଦେଲେ ବି କାଟୁ କଲାନାହିଁ। ଗୁରୁବାର ସଂଧ୍ୟାରେ ମିତାର ଦେହ ନିସ୍ତେଜ ପଡ଼ିଗଲା, ହଲେଇ ଦେଖିଲା ବେଳକୁ ସେ ମରିଯାଇଛି। ସୋମବାରରୁ ୪ ଦିନ ଧରି ଲଗାଣ ବର୍ଷା ପାଇଁ ଘରୁ ବ‌ାହାରି ହେଲାନି। ଗାଁକୁ ତ ରାସ୍ତା ନାହିଁ। ପାହାଡ଼ି ରାସ୍ତାରେ ଦୁଇଦୁଇ ଜଣ ଛୁଆ କାଖେଇ ବାଟ ଚାଲିବା କେତେ କଷ୍ଟକର ଆପଣ ତ ଜାଣନ୍ତି। ଡାକ୍ତରମାନେ ଧାନବୁଣା ଦିନରୁ ଯାଇଛନ୍ତି ଯେ, ଆଉ ଗାଁକୁ ଆସିନାହାନ୍ତି। ଦେଖୁଦେଖୁ ପିଲା ଦୁଇଟା ଛଟପଟ ହୋଇ ମରିଗଲେ ବୋଲି କହିଛନ୍ତି ୨ ପଡ଼ୋଶୀ ଉଷା ଓ ଅମିନ। ଫୁଲମଣିଙ୍କ କୋଳରେ ଥିବା ପୁଅ ପଦୁ(୧୬ ମାସ) ଓ ରଇବାରୀଙ୍କ ସାନଝିଅ କୁମାରୀ(୮ ମାସ) ଆଜି ଜରରେ କମ୍ପୁଥିବା ଦେଖିବାକୁ ମିଳିଥିଲା। ଡାକିଲେ ବି ଶିଶୁ ଦ୍ବୟ ମୁହଁ ଖୋଲି ଚାହୁଁନଥିଲେ। ସେମାନଙ୍କୁ ଡାକ୍ତରଖାନା ଯିବାକୁ ପରାମର୍ଶ ଦେବାରୁ କଥାକୁ ଗ୍ରହଣ କରିନଥିଲେ। ଏବେ ଡାକ୍ତରଖାନା ନେଲେ ଅତିକମ୍‌ରେ ୮ ରୁ ୧୦ ଦିନ ସେଠାରେ ଛୁଆଙ୍କୁ ରଖିଦେବେ। ଆମେ ଶୁଦ୍ଧିକ୍ରିୟା ‌କିମିତି କରିବୁ ବୋଲି ଓଲଟା ପ୍ରଶ୍ନ କରିଥିଲେ।

ଫୁଲମଣି ଓ ଅମିନଙ୍କ ବୟସ ଅତିବେଶିରେ ୩୦ରୁ ୩୨ ମଧ୍ୟରେ। ଏହି ବୟସରେ ସେମାନଙ୍କର ପିଲାଛୁଆ ସଂଖ୍ୟା ୭। ଶ୍ରୀମତୀ(୧୪), ବିକାଶ(୧୨), ମାଣିକ(୧୦), ଡୁମୁଣି(୮), ପାର୍ବତୀ(୬), ଠାକୁରା(୪) ଓ ପଦୁ(୨)। ସେହିପରି ଉଷା ଓ ରଇବାରୀଙ୍କ ବୟସ ୨୬ ରୁ ୨୮ ବର୍ଷ ମଧ୍ୟରେ ହୋଇଥିଲେ ମଧ୍ୟ ସେମାନଙ୍କର ୬ ଜଣ ଝିଅ। ସମ୍ବାରୀ, କାନ୍ଦିରି, ସୀତା, ଗୀତା, ମିତା ଓ କୁମାରୀ। ବଡ଼ ଝିଅ ସମ୍ବାରୀକୁ ମାତ୍ର ୧୧ ବର୍ଷ ବୟସ। ରାସନ କାର୍ଡରେ ଫୁଲମଣିଙ୍କୁ ପୂର୍ବରୁ ମାସିକ ୪୦ କିଲୋ‌ ଚାଉଳ ମିଳୁଥିଲା। ଏବେ ମାସିକ ମାତ୍ର ୨୫ କିଲୋ ମିଳୁଛି ବୋଲି ଅମିନ ଅଭିଯୋଗ କରନ୍ତି। ତାଙ୍କୁ ବି ମାସକୁ ସମାନ ୨୫ କିଲୋ ମିଳୁଥିବା କହନ୍ତି ଉଷା। ପୋଡ଼ୁଚାଷ ପାଇଁ ବନ କଟକଣା ରହିଛି। ଏମିତିରେ ଅଭାବ ଅନଟନ ମଧ୍ୟରେ ରାସନ ଚାଉଳ ଗଣ୍ଡାକ ଅଧାମାସ ବି ଯାଉନି। ଏଣୁ ଜଙ୍ଗଲି ଆଳୁ, ପେଜ ପିଇ ବଞ୍ଚିବାକୁ ପଡ଼ୁଛି। ପିଲାମାନେ ମଧ୍ୟ ଭାତଲୁଣ ଖାଇ ବଞ୍ଚିଛନ୍ତି ବୋଲି ଉଭୟ କହିଥିଲେ। ରାସ୍ତା ଓ ଯୋଗାଯୋଗ ଅଭାବରୁ ତଳଡିହ ବସ୍ତି ଓ ଗୁହିଆଶାଳ ମୌଜା ଏଯାବତ୍ ଅପହଞ୍ଚ ରହିଛି। ସୁକିନ୍ଦା ସିଡିପିଓ ବିଜୟଲକ୍ଷ୍ମୀ ମାରାଣ୍ଡିଙ୍କୁ ପଚାରିବାରେ ୨ ଶିଶୁଙ୍କ ମୃତ୍ୟୁ ସଂପର୍କରେ ତାଙ୍କ ପାଖରେ ଆଦୌ ସୂଚନା ‌ନଥିବା କହିଥିଲେ।