ଇସ୍ପାତ ରାଜଧାନୀରେ ଅପପୁଷ୍ଟି: ଏନ୍‌ଆର୍‌ସିରେ ଭର୍ତ୍ତିହେଲା ଶିଶୁକନ୍ୟା

ଯାଜପୁର/ଟମକା/ଦାନଗଦୀ : ଇସ୍ପାତ ରାଜଧାନୀ କଳିଙ୍ଗନଗରରେ ଅପପୁଷ୍ଟିର ଶିକାର ହୋଇଥିବା ଜଣେ ଶିଶୁକନ୍ୟାକୁ ଏନ୍‌ଆର୍‌ସିରେ ଭର୍ତ୍ତି କରାଯାଇଛି। ଶିଶୁଟିର ଅବସ୍ଥା ସଂକଟାପନ୍ନ ରହିଛି। ତାକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯିବ ବୋଲି ସୂଚନା ମିଳିଛି। ସେପଟେ ‘ସମ୍ବାଦ’ରେ ଅପପୁଷ୍ଟି ସଂକ୍ରାନ୍ତ ଖବର ପ୍ରକାଶ ପାଇବାପରେ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପହଞ୍ଚି ତଦନ୍ତ କରିଛନ୍ତି।

ପ୍ରାଚୁର୍ଯ୍ୟର ଶିଖରରେ ଛୁଇଁଥିବା କୁହାଯାଉଥିବା ଇସ୍ପାତ ରାଜଧାନୀ କଳିଙ୍ଗନଗର ଶିଳ୍ପାଞ୍ଚଳ ପାର୍ଶ୍ବ ରଣାଗୁଣ୍ଡି ପଞ୍ଚାୟତରେ ଅପପୁଷ୍ଟି ଘଟଣା ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ରଣାଗୁଣ୍ଡି ପଞ୍ଚାୟତର ରଗଡ଼ା-ଘାଟିସାହି ଗ୍ରାମର ବାଙ୍କୁ ହେମ୍ବ୍ରମ୍‌ଙ୍କ ନଅ ଜଣ ସନ୍ତାନସନ୍ତତି ମଧ୍ୟରୁ ଗୋଟିଏ ଶିଶୁ ଅପପୁଷ୍ଟିରେ ମୃତ୍ୟୁବରଣ କରିଛନ୍ତି। ଅପପୁଷ୍ଟିର ଶିକାର ଆଉ ଜଣେ ଶିଶୁକନ୍ୟା ମୁମୂର୍ଷୁ ଅବସ୍ଥାରେ। ଏହି ଶିଶୁକନ୍ୟାକୁ ଆଜି ସକାଳୁ ସ୍ଥାନୀୟ ସେଚ୍ଛାସେବୀ ଅନୁଷ୍ଠାନ ‘ଟିକିଏ ହସ’ର ସଭାପତି ଅରବିନ୍ଦ ମହାରଣା, ସମ୍ପାଦକ ବିଶ୍ବଜିତ ମାଝି ଓ ବିଜୟ ଦାସ ପ୍ରମୁଖ ପହଞ୍ଚି ଯାଜପୁରରୋଡ ପୁଷ୍ଟି ସାଧନ କେନ୍ଦ୍ର (ଏନ୍ଆରସି)ରେ ଭର୍ତ୍ତି କରିଛନ୍ତି।

ଏ ସମ୍ପର୍କରେ ଖବର ପାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମଞ୍ଜୁଲତା ନାୟକ, ଅତିରିକ୍ତ ସମାଜ ମଙ୍ଗଳ ଅଧିକାରୀ ସୁବାସ ଚନ୍ଦ୍ର ସାମଲ, ଦାନଗଦୀ ବିଡିଓ ସାରଦା ପ୍ରସନ୍ନ ପଣ୍ଡା, ଦାନଗଦୀ ସିଡିପିଓ ଦେବକୀ ପାତ୍ର, ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରାଷ୍ଟ୍ରୀୟ ବାଳ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଡାକ୍ତର ଦଳ ସମେତ ସ୍ଥାନୀୟ ଅଙ୍ଗନବାଡି ଓ ଆଶାକର୍ମୀ ଗାଁରେ ପହଞ୍ଚି ତଦନ୍ତ କରିଥିଲେ। ଅପପୁଷ୍ଟିର ଶିକାର ଶିଶୁ ଡାକ୍ତରଖାନାରେ ଥିବା ଜାଣି ପଡ଼ୋଶୀଙ୍କ ସହ ଆଲୋଚନା କରି ଫେରିଯାଇଥିଲେ। ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶିବାଶିଷ ମହାରଣା ଏନ୍ଆରସିରେ ପହଞ୍ଚି ଶିଶୁର ଅବସ୍ଥା ପଚାରି ବୁଝିଥିଲେ।
ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ବାଙ୍କୁ ଜଣେ ଦିନମଜୁରିଆ ହୋଇଥିବା ବେଳେ ଏହି ପରିବାର ପାଖରେ ଆଧାରକାର୍ଡ ନଥିବାରୁ ଦୀର୍ଘ ତିନିବର୍ଷ ହେଲା ରାସନକାର୍ଡ ଅଚଳ। ଯାହାଫଳରେ, ବାଙ୍କୁଙ୍କ ପରିବାର ଖାଦ୍ୟ ଅଭାବର ଶିକାର ହୋଇଛନ୍ତି। କୌଣସି ଶିଶୁଙ୍କର ଆଧାର କାର୍ଡ କି ଜନ୍ମ ପ୍ରମାଣପତ୍ର ନାହିଁ। ଫଳରେ, ଆଶା ଓ ଅଙ୍ଗନବାଡ଼ି କେନ୍ଦ୍ରରେ ଥିବା ଶିଶୁଙ୍କ ତଥ୍ୟରେ ତାଳମେଳ ନାହିଁ। ବାଙ୍କୁଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଓ ଅନ୍ୟମାନଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର