ଅନୁଗୁଳ: ବିକଶିତ ଜିଲ୍ଲା ଅନୁଗୁଳକୁ ଅପପୁ‌ଷ୍ଟି ଅପବାଦ ଘାରିଛି। ଗତ ୫ ବର୍ଷରେ ଜିଲ୍ଲାରେ ପ୍ରାୟ ୧୭ ଶହ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ବେଳେ ଏହା ସରକାରୀ ଯୋଜନାର ବିଫଳତାକୁ ପଦାରେ ପକାଇଛି। ଅପପୁ‌ଷ୍ଟି ରୋକିବାକୁ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି। ଶିଶୁମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ ସହ ଅଙ୍ଗନବାଡ଼ି କେନ୍ଦ୍ରରୁ ଦୂରରେ ରହୁଥିବା ଶିଶୁମାନଙ୍କ ଘରେ ଖାଦ୍ୟ ସାମଗ୍ରୀ ପହଞ୍ଚାଇ ଦିଆଯାଉଛି। ତଥାପି ଅନୁଗୁଳ ପରି ଶିକ୍ଷିତ ଓ ଉନ୍ନତ ଜିଲ୍ଲାରେ ଅପପୁଷ୍ଟି ନ ହଟିବା ଚିନ୍ତାର ବିଷୟ ହୋଇଛି। ସରକାରୀ ତଥ୍ୟ ଅନୁସାରେ, ଜିଲ୍ଲାରେ ଅପପୁଷ୍ଟି କମିଥିଲେ ମଧ୍ୟ ଏହାକୁ ସମ୍ପୂର୍ଣ୍ଣ ରୋକା ଯାଇପାରି ନାହିଁ। ୨୦୨୩-୨୪ରେ ଜିଲ୍ଲାର ୬ ମାସରୁ ୫ ବର୍ଷ ଭିତରେ ରହିଥିବା ୨୦୧ ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇଥିଲେ। ଏହାର ପୂର୍ବ ବର୍ଷ ଏହି ସଂଖ୍ୟା ଅପେକ୍ଷାକୃତ କମ ରହିଥିଲା। ୨୦୨୨-୨୩ରେ ୧୯୬ ଜଣ ଓ ୨୦୨୧-୨୨ରେ ୨୮୮ ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ଜଣାପଡ଼ିଛି। 

Advertisment

ଏହା ପୂର୍ବରୁ ଅପପୁଷ୍ଟି ଶିଶୁମାନଙ୍କ ହାର ବେଶ ଅଧିକ ରହିଥିଲା। ୨୦୨୧-୨୨ରେ ୪୫୯ ଜଣ ଶିଶୁ ଓ ୨୦୧୯-୨୦ରେ ୫୬୬ ଜଣ ଶିଶୁଙ୍କୁ ଅପପୁଷ୍ଟି ହୋଇଥିବା ସରକାରୀ ତଥ୍ୟ କହୁଛି। ଏମିତି ଗତ ୫ ବର୍ଷରେ ପ୍ରାୟ ୧୭ ଶହ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି। ପରିପୂରକ ପୁଷ୍ଟି ଯୋଜନାରେ ଅପପୁଷ୍ଟି ଦୂର କରିବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଥିଲେ ହେଁ ଏହା ନିୟନ୍ତ୍ରଣକୁ ନ ଆସିବା ଭିନ୍ନ ବାର୍ତ୍ତା ଦେଉଛି। ଜିଲ୍ଲାରେ ୬ ମାସରୁ ୫ ବର୍ଷ ବୟସର ଶିଶୁଙ୍କୁ ବର୍ଷକୁ ୩ ଶହ ଦିନର ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଥିବା କୁହାଯାଉଛି। ପୁଣି ଯେଉଁ ଶିଶୁମାନଙ୍କର ଓଜନ କମ୍‌ ରହିଛି ଓ ଉପଯୁକ୍ତ ବିକାଶ ହୋଇପାରିନି ସେମାନଙ୍କୁ ନିୟମିତ ଅଣ୍ଡା, ଛତୁଆ ପ୍ରଦାନ କରାଯିବା ସହ ଗୁରୁତର ଥିବା ଶିଶୁମାନଙ୍କୁ ବେସନ ମିଶ୍ରଣ ଅଟା ସହ କଦଳୀ ଓ ଅଣ୍ଡା ଦିଆଯାଉଛି।

ଏପଟେ ଜିଲ୍ଲା ଡିଏମ୍‌ଏଫ୍‌ ପାଣ୍ଠିରେ ଟଙ୍କାର ଅଭାବ ନାହିଁ। ଏହା ସତ୍ତ୍ବେ କେମିତି ଅପପୁଷ୍ଟି କମୁନି ତା’କୁ ନେଇ ବୁଦ୍ଧିଜୀବୀ ପ୍ରଶ୍ନ ଉଠାଇଛନ୍ତି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ‌ଗୌରୀ ଶଙ୍କର ବେହେରା କହିଛନ୍ତି, ଏତେ ଯୋଜନା ଥାଇ ବି ଅପପୁଷ୍ଟି ନ ହଟିବା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଏ ଦିଗରେ ତୃଣମୂଳ ସ୍ତରରେ ଅଧିକ କାମ କରିବାର ଆବଶ୍ୟକତା ରହିଛି। ଗ୍ରାମାଞ୍ଚଳରେ ଅଧିକ ସଚେତନତା ସୃଷ୍ଟି କରାଯିବା ଦରକାର। ଅପପୁଷ୍ଟିରୁ ମୁକୁଳିବା ପାଇଁ ଗାଁ କଲ୍ୟାଣ ସମିତି ବୈଠକରେ ନିୟମିତ ସମୀକ୍ଷା କରାଗଲେ ନିଶ୍ଚିତ ଭାବେ ଏହାର ସୁଫଳ ମିଳିବ। ଏ କ୍ଷେତ୍ରରେ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ଏଏନ୍‌ଏମ୍‌ଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ବେହେରା କହିଛନ୍ତି।