ପୁରୀ: ନବକଳେବର ସମୟରେ ନିର୍ମାଣ ହୋଇଥିଲା ମାଳତୀପାଟପୁର ଓଭରବ୍ରିଜ୍ ଓ ବାଇପାସ୍ ରାସ୍ତା। ପ୍ରାୟ ୯୩ କୋଟି ଟଙ୍କା ଏ ବାବଦକୁ ଖର୍ଚ୍ଚ କରାଯାଇଥିଲା। ରାସ୍ତାକୁ ୭ ବର୍ଷ ବିତିଛି କି ନାହିଁ, ଦୁଇପାର୍ଶ୍ବ ଧସିବା ଆରମ୍ଭ କରିଛି। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ରାସ୍ତାର ଦୁଇପାର୍ଶ୍ବରେ ପିଚୁ ସବୁ ଫାଟି ଆଁ କଲାଣି। ୭ ବର୍ଷ ପରେ ଏହି ରାସ୍ତାକୁ ଅଟକାଇବା ପାଇଁ ଏବେ ରାସ୍ତା ପାର୍ଶ୍ବରେ କୋଟି କୋଟି ଟଙ୍କା ବ୍ୟୟରେ କଂକ୍ରିଟ୍ର ରିଟେନିଂ ୱାଲ୍ ନିର୍ମାଣ ଚାଲିଛି। କିନ୍ତୁ କଂକ୍ରିଟ୍ କାମ ଏତେ ନିମ୍ନମାନର କରାଯାଉଛି ଯେ ନିର୍ମାଣ ନ ସରୁଣୁ ଏହା ଭୁଶୁଡ଼ିବା ଆରମ୍ଭ କଲାଣି। ସାମାନ୍ୟ ବର୍ଷାରେ ଏହି ରିଟେନିଂ ୱାଲ୍ ଭୁଶୁଡ଼ି ପଡ଼ିବା ପରେ ସ୍ଥାୟୀ ପ୍ରତିକାର ବଦଳରେ ଏବେ ମାଟି ଘୋଡ଼ାଇ ଦୋଷକୁ ଲୁଚାଇବାକୁ ଉଦ୍ୟମ ଆରମ୍ଭ ହୋଇଛି।
୨୦୧୫ ନବକଳେବର ସମୟରେ ପୂର୍ତ୍ତ ବିଭାଗ ପକ୍ଷରୁ ନୂ୍ଆ କରି ମାଳତୀପାଟପୁର ଦୋହରା ବାଇପାସ୍ ସଡ଼କ(ନବକଳେବର ରାସ୍ତା-୨) ନିର୍ମାଣ କରାଯାଇଥିଲା। ଏହି ବାଇପାସ୍ ରାସ୍ତା ମାଳତୀପାଟପୁରଠାରେ ୨୦୩ ନମ୍ବର ପୁରୀ-ଭୁବନେଶ୍ବର ଜାତୀୟ ରାଜପଥରୁ ବାହାରି କୋଣାର୍କ-ପୁରୀ ୨୦୩(କ) ନମ୍ବର ଜାତୀୟ ରାଜପଥ ସହ ସଂଯୋଗ କରାଯାଇଥିଲା। ଏହି ବାଇପାସ୍ ରାସ୍ତା ପୁରୀ-ଭୁବନେଶ୍ବର ଜାତୀୟ ରାଜପଥକୁ ସଂଯୋଗୀକରଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ କାଞ୍ଚି ନଦୀ ଉପରେ ଏକ ଓଭରବ୍ରିଜ ବି ନିର୍ମାଣ କରାଯାଇଥିଲା। ବାଇପାସ୍ ରାସ୍ତା ବାବଦକୁ ୨୯ କୋଟି ୩୩ ଲକ୍ଷ ୭୪୬ ଟଙ୍କା ଓ ଓଭରବ୍ରିଜ ପାଇଁ ୬୩ କୋଟି ୮୭ ଲକ୍ଷ ୮୧ହଜାର ୫୧ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଯେଉଁ ପର୍ଯ୍ୟଟକମାନେ ଶ୍ରୀକ୍ଷେତ୍ର ନ ଆସି କୋଣାର୍କ ବୁଲି ଯିବାକୁ ଚାହୁଛନ୍ତି, ସେମାନେ ଏହି ବାଟ ଦେଇ ସହଜରେ ଯାଇପାରିବେ ବୋଲି ଲକ୍ଷ୍ୟ ରଖାଯାଇଥିଲା। ଅପରପକ୍ଷେ ଶ୍ରୀକ୍ଷେତ୍ରର ଟ୍ରାଫିକ୍ ଭିଡ଼ କମାଇବାରେ ଏହା ବେଶ୍ ସହାୟକ ହେବ ବୋଲି ଲକ୍ଷ୍ୟ ଥିଲା। କିନ୍ତୁ ନିମ୍ନମାନର କାମ ଯୋଗୁ ଏ ଭିତରେ ବାରମ୍ବାର ରାସ୍ତାର ମରାମତି କାମ ଜାରି ରହିଛି। ସେପଟେ ନିମ୍ନମାନର କାମ ପାଇଁ ରାସ୍ତାର ଦୁଇପାର୍ଶ୍ବ ଫାଟି ଆଁ ମେଲାଇଲାଣି। ଏଭଳି ସ୍ଥିତିରେ ୭ବର୍ଷ ପରେ ପୂର୍ତ୍ତ ବିଭାଗର ନିଦ ଭାଙ୍ଗିଛି। ରାସ୍ତା ପାର୍ଶ୍ବ ରିଟେନିଂ ୱାଲ୍ ନିର୍ମାଣରେ ଲାଗି ପଡ଼ିଛି। କିନ୍ତୁ ନିମ୍ନମାନର କାମ ଯୋଗୁ କଂକ୍ରିଟ୍ର ଏହି ରିଟେନିଂ ୱାଲ୍ ରାସ୍ତା ମଝିରେ ଏକ ଜାଗାରେ ଭୁଶୁଡ଼ି ପଡ଼ିଛି। ଏ ସମ୍ପର୍କରେ ପୂର୍ତ୍ତବିଭାଗ ଯନ୍ତ୍ରୀ ଇଂ. ଦିଲୀପ ବିଶ୍ବାଳ କହିଛନ୍ତି, ରିଟେନିଂ ୱାଲ୍ ପାଖରେ ଜଣେ ଠିକାଦାର ମାଟି ଖୋଳି ଦେବାରୁ ଏଭଳି ସ୍ଥିତି ଉପୁଜିଥିଲା। କିନ୍ତୁ ୱାଲ୍ ସଂପୂର୍ଣ୍ଣ ଭୁଶୁଡ଼ିନି। ତଥାପି ଠିକାଦାରଙ୍କୁ ଖୋଳିଥିବା ଜାଗାରେ ମାଟି ପକାଇବାକୁ କୁହାଯାଇଥିଲା। ସେ ମାଟି ପକାଇ ସାରିଛନ୍ତି ବୋଲି ଇଂ. ବିଶ୍ବାଳ କହିଛନ୍ତି।