ପୁରୀ: ପୁରୀର ଶାମୁକା ପ୍ରକଳ୍ପ ଅଞ୍ଚଳରେ ମଙ୍ଗଳା ନଦୀକଡ଼ରେ ‘ପଶ୍ଚିମବଙ୍ଗ ଭବନ’ ନିର୍ମାଣ ପାଇଁ ମିଳିଥିବା ଜାଗାକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପସନ୍ଦ କରିଛନ୍ତି। ଏହା ପରେ ମମତା ବାନାର୍ଜୀ ଆଜି ଅପରାହ୍‌ଣ ୪ଟାରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପ୍ରଥମେ ସେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହିତ ଆଶୀର୍ବାଦ ନେଇଥିଲେ। ପରେ ସେ ମନ୍ଦିର ପରିସରରେ ମା’ ଲକ୍ଷ୍ମୀ, ବିମଳା ତଥା ଅନ୍ୟ ଦେବାଦେବୀଙ୍କୁ ଦର୍ଶନ କରିଥିଲେ। ମହାପ୍ରଭୁଙ୍କୁ ମମତାଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।

Advertisment

publive-image

ସୂଚନାଯୋଗ୍ୟ, ପୁରୀ ଜିଲ୍ଲା ପ୍ରଶାସନ ପଶ୍ଚିମବଙ୍ଗର ପର୍ଯ୍ୟଟକଙ୍କ ଉଦେଶ୍ୟରେ ‘ପଶ୍ଚିମବଙ୍ଗ ଭବନ’ ନିର୍ମାଣ ପାଇଁ ଜାଗା ଦେଇଛି। ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ଆଜି ଅପରାହ୍‌ଣରେ ମମତାଙ୍କୁ ଏହି ଜାଗା ଦେଖାଇଛନ୍ତି। ପଶ୍ଚିମବଙ୍ଗରୁ ଶ୍ରୀକ୍ଷେତ୍ର ଆସୁଥିବା ଦର୍ଶନାର୍ଥୀଙ୍କ ପାଇଁ ହେବ ଏହି ଜାଗାରେ ଅତିଥି ଭବନ ନିର୍ମାଣ ହେବ। ବଙ୍ଗୀୟ ପର୍ଯ୍ୟଟକମାନେ ସ୍ୱଳ୍ପ ଖର୍ଚ୍ଚରେ ଅତିଥି ଭବନରେ ରହିପାରିବେ।

publive-image

ମଙ୍ଗଳବାର ଠାରୁ ମମତା ବାନାର୍ଜୀ ଓଡ଼ିଶାକୁ ୩ଦିନିଆ ଗସ୍ତ କରିଛନ୍ତି। ସେ ମଙ୍ଗଳବାର ଅପରାହ୍ଣ ପ୍ରାୟ ୩ଟାରେ ପୁରୀରେ ପହଞ୍ଚିଥିଲେ। ସେଠାରେ ସେ ପ୍ରାୟ ୪୮ ଘଣ୍ଟା ରହିବେ। ନିର୍ମାଣ ନିବାସର ସମସ୍ତ କକ୍ଷ ୨୩ ତାରିଖ ପର୍ଯ୍ୟନ୍ତ ଶ୍ରୀମତୀ ବାନାର୍ଜୀ ଓ ସାଙ୍ଗରେ ଆସିଥିବା ମନ୍ତ୍ରୀ, ଅଧିକାରୀଙ୍କ ପାଇଁ ବୁକିଂ ରଖାଯାଇଛି। ନିର୍ମାଣ ନିବାସର ୨୦୫ ନମ୍ବର କକ୍ଷରେ ମମତାଙ୍କ ରହିବା ବ୍ୟବସ୍ଥା କରାଯାଇଥିବାବେଳେ ବାକି କକ୍ଷରେ ମନ୍ତ୍ରୀ, ଅଧିକାରୀମାନେ ରହିଛନ୍ତି। ମମତା ବାନାର୍ଜୀ ଗୁରୁବାର ଅପରାହ୍‌ଣ ୩ଟାରେ ପୁରୀରୁ ଭୁବନେଶ୍ବର ଅଭିମୁଖେ ବାହାରିବେ। ଅପରାହ୍‌ଣ ସାଢ଼େ ୪ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ସନ୍ଧ୍ୟା ୬ଟାରେ ଭୁବନେଶ୍ବରରୁ କୋଲକାତା ଅଭିମୁଖେ ବାହାରିବେ।