ଚନ୍ଦନେଶ୍ୱର/ଫୁଲବଣୀ: ପଶ୍ଚିମବଙ୍ଗର ଦୀଘା ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଥମିବାର ନାମ ନେଉନି। ଜିଦ୍ରେ ଅଟଳ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ‘ଜଗନ୍ନାଥ ଧାମ’ ନାମଫଳକ ହଟାଇବା ପାଇଁ ଦାବି ହେଉଥିବା ବେଳେ ଆଜି ସ୍ଥାୟୀ ନାମଫଳକ ଲଗାଯାଇଛି। ମମତାଙ୍କ ଜିଦ୍ଖୋର ମନୋଭାବକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ଅକ୍ଷୟ ତୃତୀୟା ଦିନ ଓଡ଼ିଶା ସୀମାନ୍ତ ଦୀଘା ସମୁଦ୍ର କୂଳରେ ଉଦ୍ଘାଟିତ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟକ୍ରମରେ ଦଇତାପତି ନିଯୋଗର ସଂପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କ ସମେତ ୬୦ରୁ ଅଧିକ ଦଇତାପତି ଯୋଗ ଦେବା, ମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ପଥର ମୂର୍ତ୍ତି ସ୍ଥାପିତ ହେବା, ପୁରୀର ବଳକା ଦାରୁ ବ୍ୟବହାର, ଠାକୁରଙ୍କ ପ୍ରସାଦ କାଠଚୁଲା ବଦଳରେ ଗ୍ୟାସ୍ ଦ୍ବାରା ପ୍ରସ୍ତୁତ ହେବା ନେଇ ବିବାଦ ଦେଖା ଦେଇଥିଲା। ସେହିପରି ଲଗାଯାଇଥିବା ଅସ୍ଥାୟୀ ‘ଜଗନ୍ନାଥ ଧାମ’ ନାମଫଳକକୁ ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରି ସମୟରେ ଅସ୍ଥାୟୀ ନାମଫଳକକୁ ହଟାଇ ଦିଆଯାଇଥିଲା। କୁହାଗଲା, ମମତା ନରମିଲେ ଏବଂ ନାମଫଳକକୁ ହଟାଇନେଲେ। ହେଲେ ସେ ନା ଧର୍ମକୁ ମାନିଛନ୍ତି ନା ନରମିଛନ୍ତି। ଯାହାର ପ୍ରମାଣ ଆଜି ଦେଖିବାକୁ ମିଳିଛି। ମନ୍ଦିର ସମ୍ମୁଖରେ ‘ଜଗନ୍ନାଥ ଧାମ’ ଲେଖାଥିବା ସ୍ଥାୟୀ ନାମଫଳକ ଲଗାଯାଇଛି। ମମତାଙ୍କ ଏପରି ଜିଦ୍ଖୋର ମନୋଭାବକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ସେହିପରି ଓଡ଼ିଶାର କିଛି ସଂଗଠନ ଚେତାବନୀ ଦେଇଛନ୍ତି, ତୁରନ୍ତ ନାମଫଳକ ନ ହଟିଲେ ଆନ୍ଦୋଳନ ହେବ।
ଉଲ୍ଲେଖଥାଉକି; ଦୀଘା ଶ୍ରୀଜଗନ୍ନାଥ ମନ୍ଦିର ବିବାଦ ନେଇ ମମତା ଗତକାଲି କିଛି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ‘ଜଗନ୍ନାଥ ଧାମ’ ଲେଖାଯିବା ନେଇ ଏତେ ରାଗ କାହିଁକି? ସାରା ଦେଶରେ ଶ୍ରୀଜଗନ୍ନାଥଙ୍କ ମନ୍ଦିର ରହିଛି। ହେଲେ ଦୁର୍ଭାଗ୍ୟ; ଦୀଘା ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ଓଡ଼ିଶାର ବିଜେପି ସରକାର ଅସହିଷ୍ଣୁ ହୋଇପଡ଼ୁଛି। ଠାକୁରଙ୍କୁ ନେଇ ଚାଲିଥିବା ରାଜନୀତି ବନ୍ଦ ହେଉ ବୋଲି କହିଥିଲେ। ହେଲେ ଆଜି ସ୍ଥାୟୀ ‘ଜଗନ୍ନାଥ ଧାମ’ ଫଳକ ଲଗାଇ ନିଆଁରେ ପୁଣି ଘିଅ ଢାଳିଛନ୍ତି।