ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ଓ ବିଜେଡିରୁ ଇସ୍ତଫା ଦେବାର ୨୪ଘଣ୍ଟା ଭିତରେ ବିଜେପିରେ ଯୋଗ ଦେଇଛନ୍ତି ମମତା ମହାନ୍ତ। ଆଜି ନୂଆଦିଲ୍ଲୀସ୍ଥିତ ପାର୍ଟି ମୁଖ୍ୟାଳୟରେ ଶ୍ରୀମତୀ ମହାନ୍ତ ବିଧିବଦ୍ଧଭାବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିର ସାଧାରଣ ସଂପାଦକ ଅରୁଣ ସିଂହ ଓ ବିଜେପିର ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂହ ତୋମାର ପୁଷ୍ପଗୁଚ୍ଛ, ବିଜେପିର ସଦସ୍ୟତାପତ୍ର ଓ ଉତ୍ତରୀୟ ପିନ୍ଧାଇ ଶ୍ରୀମତୀ ମହାନ୍ତଙ୍କୁ ସ୍ବାଗତ କରିଥିଲେ।

Advertisment

ପାର୍ଟି ମୁଖ୍ୟାଳୟରେ ହୋଇଥିବା ସ୍ବତନ୍ତ୍ର ମିଶ୍ରଣ ପର୍ବରେ ରାଜ୍ୟ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ବିଜେପି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ଆସିକା ସାଂସଦ ଅନିତା ପ୍ରିୟଦର୍ଶନୀ, କେନ୍ଦୁଝର ସାଂସଦ ଅନନ୍ତ ନାୟକ, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ଉପସ୍ଥିତି ଥିଲେ। ଜଣକ ପରେ ଜଣେ ଶ୍ରୀମତୀ ମହାନ୍ତଙ୍କୁ ବିଜେପିର ଉତ୍ତରୀୟ ପିନ୍ଧାଇ ଦଳରେ ସ୍ବାଗତ କରିଥିଲେ। ବିଜେପିରେ ବିଧିବଦ୍ଧଭାବେ ସାମିଲ ହେବାପରେ ଶ୍ରୀମତୀ ମହାନ୍ତ କହିଲେ, ଗତକାଲି ସେ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥି‌ଲେ। ବିଜେଡି ତାଙ୍କୁ ଜିଲ୍ଲାପରିଷଦ ଓ ରାଜ୍ୟସଭା ସଦସ୍ୟ ଭାବେ ସେବା କରିବାର ସୁଯୋଗ ଦେଇଥିବାରୁ ସେ କୃତଜ୍ଞ। ସାର୍ବଜନୀନ ଜୀବନରେ ଲୋକଙ୍କ ସେବା ଓ ଜନକଲ୍ୟାଣ ତାଙ୍କ ଜୀବନର ଏକମାତ୍ର ଲକ୍ଷ୍ୟ। ବିଜେଡିରେ ଗତ କିଛି ଦିନ ହେଲା ମୋର ଆବଶ୍ୟକତା ଲୋଡ଼ାପଡୁନଥିଲା। ଓଡ଼ିଶାବାସୀ, ଜିଲ୍ଲାବାସୀ କୁଡ଼ୁମୀ ସମାଜ ତଥା ଅଧିକରୁ ଅଧିକ ଲୋକଙ୍କ ସେବା ପାଇଁ ସେ ବିଜେପିରେ ସାମିଲ ହୋଇଛନ୍ତି ବୋଲି ଶ୍ରୀମତୀ ମହନ୍ତ କହିଥିଲେ।

ମିଶ୍ରଣ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଦଳର ସାଧାରଣ ସଂପାଦକ ଅରୁଣ ସିଂହ କହିଲେ, ଓଡ଼ିଶାରେ ଡବଲ୍‌ ଇଂଜିନର ସରକାର ଦ୍ରୁତଗତିରେ ବିକାଶ କାର୍ଯ୍ୟ ଜାରି ରହିଛି। ବିଜେଡିକୁ ଛାଡ଼ି ବିଶ୍ବର ସର୍ବବୃହତ ଦଳ ବିଜେପିରେ ଶ୍ରୀମତୀ ମହାନ୍ତ ଯୋଗଦେଇଥିବା, ବିଜେପିର ବିଚାରଧାରାକୁ ଆପଣାଇଥିବା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ପ୍ରଭାବିତ ହୋଇ ବିଜେପିରେ ଯୋଗ ଦେଇଛନ୍ତି। ସେ ତାଙ୍କୁ ସ୍ବାଗତ କରୁଛନ୍ତି ବୋଲି ଶ୍ରୀ ସିଂହ କହିଥିଲେ।