ସାଧାରଣ ଗୃହିଣୀରୁ ସଫଳ ଉଦ୍ୟୋଗୀ : ପ୍ରତିକୂଳ ପରିସ୍ଥିତି ମମତାଙ୍କୁ ବାଟ ଦେଖାଇଛି

କଟକ : ‘ଅବଳା ଦୁର୍ବଳା ନୁହେଁ। ଆତ୍ମବିଶ୍ବାସ ଓ ଉଦ୍‌ଯୋଗ ବଳରେ ନାରୀ ମଧ୍ୟ ପୁରୁଷର ସମକକ୍ଷ ହୋଇପାରେ।’ ଏହି ଉକ୍ତିକୁ ବାସ୍ତବ ରୂପ ଦେଇଛନ୍ତି ମଙ୍ଗଳାବାଗ ମୀରକମଲପାଟଣାର ମମତା ପଣ୍ଡା। ପୂର୍ବରୁ ଘରୁ ଗୋଡ କାଢ଼ି ନ ଥିବା ମମତା ଏବେ ଜଣେ ସଫଳ ଉଦ୍ୟୋଗୀ। କଟକରେ ସେ ଏବେ ମମତା ଲେଡିଜ ଟେଲର ଭାବେ ଜଣାଶୁଣା। ନିଜ ପରିବାର ପ୍ରତିପୋଷଣ ସହିତ ମମତା ୬/୭ଟି ପରିବାର ଅନ୍ନଦାତ୍ରୀ ସାଜିଛନ୍ତି। ଏବେ ବି ଡ୍ରେସ୍ ପ୍ରସ୍ତୁତ କାରଖାନା କରି ୨୦ରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବାର ଭିତ୍ତିଭୂମି ପ୍ରସ୍ତୁତ କରିଛନ୍ତି।

ବାଲେଶ୍ବରର ମୂଳବାସିନ୍ଦା ମମତା ପଣ୍ଡା ମଙ୍ଗଳାବାଗରେ ୨୮ବ‌ର୍ଷ ହେଲା ରହୁଛନ୍ତି। ସ୍ବାମୀ ସୁରେଶ ପଣ୍ଡା, ପୁଅ ସୌମ୍ୟରଞ୍ଜନ, ଝିଅ ପ୍ରଜ୍ଞାକୁ ନେଇ ଖୁସିରେ ଚାଲିଥିଲା ତାଙ୍କ ସଂସାର। ୨୦୦୪ ଜାନୁଆରିରେ ଓଏମ୍‌ପି ଛକରେ ଏକ ସଡ଼କ ଦୁର୍ଘଟଣାରେ ସ୍ବାମୀ ସୁ‌ରେଶ ତାଙ୍କ ହାତ ଛାଡ଼ି ଆରପାରିକୁ ଚାଲିଗଲେ। ପୁଅକୁ ସେତେବେଳେ ୯ବର୍ଷ ଓ ଝିଅକୁ ୬ବର୍ଷ। ପରିବାର ପାଇଁ ସ୍ବାମୀ କିଛି ସଂପତ୍ତି ଛାଡ଼ି ଯାଇ ନ ଥିଲେ। ଶ୍ବଶୁର ଘରୁ ସହଯୋଗ ମିଳିଲା ନାହିଁ। ବାହାର ଦୁନିଆ ହାଲ୍‌ଚାଲ୍‌ ବିଷୟରେ ଜାଣି ନ ଥିବା ମମତାଙ୍କୁ ଚାରିଦିଗ ଅନ୍ଧାର ଦିଶିଲା। ରହିବା, ଖାଇବା, ପିଲାଙ୍କ ପଢ଼ା କଥା ଭାବିଲା ବେଳେ ମମତାଙ୍କ ପାଦ ତଳୁ ମାଟି ଖସିବା ଭଳି ଅନୁଭବ ହେଲା। ସିଲେଇ ଶିଖିଥିବା ମମତାଙ୍କୁ ସ୍ବୟଂଶ୍ରୀ ମହିଳା ସମବାୟ ମିମିତି ସଦସ୍ୟା ଲିତାରାଣୀ ପରାମର୍ଶ ଦେଇ ସମିତି ସହିତ ଯୋଡ଼ି ହେବାକୁ କହିଥିଲେ। ପ୍ରଥମେ ସ୍ବୟଂଶ୍ରୀରୁ ୫ହଜାର ଟଙ୍କା ‌ଋଣ ନେଇ ମମତା ଏକ ସିଲେଇ ମେସିନ କିଣିଲେ। ଏହି ମେସିନ୍‌ ସହାୟତାରେ ସାହି ପଡ଼ିଶାଙ୍କ ପୋଷାକପତ୍ର ତିଆରି କରିବା ଆରମ୍ଭ କଲେ। ସମୟ ଗଡ଼ିବା ସହ ଭଲ କାମ କରିବାରୁ ମମତାଙ୍କ କାମର ଚାହିଦା ବଢ଼ିଲା। ମମତା ଧୀରେ ଧୀରେ ଅଧିକ ମେସିନ କିଣିଲେ। ନ‌ିଜେ କାମ କରିବା ସହ ଅ‌ଧିକ‌ ଲୋକଙ୍କୁ ନିଯୁକ୍ତି ଦେଲେ। ଏବେ ସେ ୧୦ଟି ମେସିନ ପକାଇବା ସହିତ ୭ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ମହିଳାଙ୍କ ପୋଷକ ତିଆରି କରିବାରେ ନିଖୁଣ କାମ ପାଇଁ ମମତା ‌ଏବେ ‘ମମତା ଲେଡିଜ୍‌ ଟେଲର’ ଭାବେ ଜଣାଶୁଣା। ଯିଏ ଥରେ ଆସିଲେ ସେ ଆଉ ଅନ୍ୟତ୍ର ନ ଯାଇ ସବୁ କାମ ମମତାଙ୍କ ପାଖେ କରୁଛନ୍ତି। ଏବେ ମମତା ‘ବେବି ଡ୍ରେସ୍ କାରାଖାନା’ ଆରମ୍ଭ କରୁଛନ୍ତି। ଏଥିରେ ସେ ୨୦ ଜଣଙ୍କୁ ନିଯୁକ୍ତି ଦେବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ୨୦୦୪ ଅଘଟଣ ପରେ ଭାଙ୍ଗି ପଡ଼ିଥିବା ମମତା ‌ଏବେ ସ୍ବୟଂସିଦ୍ଧା। ତାଙ୍କ ପରିଶ୍ରମର ଫଳସ୍ବରୂପ ଝିଅ ପ୍ରଜ୍ଞା ଉଚ୍ଚଶିକ୍ଷା ପାଇ ଚାକିରି କରିଛି। ପୁଅ ସୌମ୍ୟ ଶିକ୍ଷା ପରେ ଏବେ ଚାକିରି ଅନ୍ବେଷଣରେ। ପରିଶ୍ରମ କରିବା ସହିତ ମନୋବଳ ଥିଲେ ଆଗକୁ ବଢ଼ିବାରେ ଅସୁବିଧା ନାହିଁ ବୋଲି କହନ୍ତି ମମତା। ଦିନେ ଅସହାୟ ହୋଇ ସାହାରା ଖୋଜୁଥିବା ମମତା ଏବେ ଅନେକ ଅସହାୟ ମହିଳାଙ୍କ ପାଇଁ ସାହାରା ଓ ପ୍ରେରଣା ପାଲଟିଛନ୍ତି।

ସମ୍ବନ୍ଧିତ ଖବର