ନବୀନଙ୍କୁ ଭେଟିଲେ ମମତା

ଭୁବନେଶ୍ବର : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଙ୍ଗ ବସ୍ତ୍ର ଦେଇ ସ୍ବାଗତ କରିବା ସହିତ ତିନି ରଥର କାଠ ତିଆରି ପ୍ରତିକୃତି ଉପହାର ପ୍ରଦାନ କରିଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀ ରୁପା ତାରକସିର କାରୁକାର୍ଯ୍ୟ ଓ ଛେନାପୋଡ଼ ମଧ୍ୟ ଉପହାର ଦେଇଥିଲେ।

ଏହି ଅବସରରେ ପଶ୍ଚିମବଙ୍ଗ ଜନସାଧାରଣଙ୍କ ପ୍ରତି ସଦିଚ୍ଛା ସ୍ୱରୂପ ମୁଖ୍ୟମନ୍ତ୍ରୀ ପୁରୀରେ ଅତିଥି ଭବନ ନିର୍ମାଣ ପାଇଁ ଓଡ଼ିଶାବାସୀଙ୍କ ପକ୍ଷରୁ ପଶ୍ଚିମବଙ୍ଗ ସରକାରଙ୍କୁ ଦୁଇ ଏକର ଜମି ଉପହାର ସ୍ବରୂପ ଦେଇଥିଲେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ବିଶ୍ୱ ବାଂଲା ଦ୍ୱାରା ପ୍ରସ୍ତୁତ ଏକ ସାଲ ଉପହାର ଦେଇଥିଲେ। ଏହା ସହିତ ବିଜୁ ବାବୁ ଓ ଜ୍ଞାନ ପଟ୍ଟନାୟକଙ୍କ ଫଟୋରେ ଜାମଦାନି ଶାଢ଼ୀ ଦେଇ ଶ୍ରଦ୍ଧା ନିବେଦନ କରିଥିଲେ। ଭୁବନେଶ୍ବରରେ ଗତ ୨୧ ତାରିଖ ଦିନ ପହଞ୍ଚିବା ପରେ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ବେଙ୍ଗଲ ମିଠା ପଠାଇଥିଲେ। ଆଜି ସାକ୍ଷାତ ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ।

ସାକ୍ଷାତ ପରେ ଗଣମାଧ୍ୟମ ସାମ୍ନାରେ ଓଡ଼ିଶା ସରକାର ଓ ନବୀନ ପଟ୍ଟନାୟକଙ୍କ ଆତିଥେୟତାକୁ ପ୍ରଶଂସା କରିଥିଲେ ମମତା ବାନାର୍ଜୀ। ସେ କହିଥିଲେ, ନବୀନ ପଟ୍ଟନାୟକ ହେଉଛନ୍ତି ଜଣେ ତୁଙ୍ଗ ନେତା। ମୁଁ ପୂର୍ବରୁ ଦୁଇ ତିନି ଥର ନବୀନ ନିବାସ ଆସିଛି। ଓଡ଼ିଶା ସରକାର ବହୁତ ଭଲ ଆତିଥେୟତା ଦେଇଛନ୍ତି। ଏଠାକାର ଅଫିସର୍ ବହୁତ ଭଲ। ମହାପ୍ରଭୁ ଜଗନ୍ନାଥଙ୍କ ପୂଜା ବହୁତ ଭଲରେ ସମ୍ପନ୍ନ ହେଲା। ପୁରୀରେ ବଙ୍ଗ ଭବନ ନିର୍ମାଣ ପାଇଁ ନବୀନ ବାବୁ ୨ ଏକର ଜମି ଦେଇଥିବାରୁ ମୁଁ କୃତଜ୍ଞ। ପଶ୍ଚିମବଙ୍ଗର ଦୀଘାରେ ମଧ୍ୟ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ହେଉଛି। ମୁଁ ପଶ୍ଚିମବଙ୍ଗ ଯିବା ପାଇଁ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଛି। ପଶ୍ଚିମବଙ୍ଗ ଓ ଓଡ଼ିଶା ମିଳିତ ଶିଳ୍ପ କରିଡର୍ କରିବା ପାଇଁ ସୁଯୋଗ ରହିଛି। ଏହାଦ୍ବାରା ଦୁଇ ରାଜ୍ୟର ଅର୍ଥନୈତିକ ପ୍ରଗତି ହୋଇପାରିବ।

କୌଣସି ଜାତୀୟ ପ୍ରସଙ୍ଗରେ ଆଲୋଚନା ହୋଇଥିଲା କି ବୋଲି ପ୍ରଶ୍ନରେ ମମତା କହିଥିଲେ, ଦେଶର ସଂଘୀୟ ବ୍ୟବସ୍ଥା ମଜବୁତ୍ ହେବା କଥା ବୋଲି ନବୀନ ବାବୁ ମତ ଦେଇଥିଲେ। ମୁଁ ମଧ୍ୟ ଏହାକୁ ଦୃଢ଼ ଭାବେ ସମର୍ଥନ କରୁଛି। ଲୋକଙ୍କ ଗଣତାନ୍ତ୍ରିକ ଅଧିକାର ଓ ସୁରକ୍ଷା ନିଶ୍ଚିତ କରାଯିବା ଆବଶ୍ୟକ। ଦେଶର ରାଜନୈତିକ ସ୍ଥିତି ଓ ୨୦୨୪ ନିର୍ବାଚନ ସମ୍ପର୍କରେ ଆଲୋଚନାକୁ ମମତା ଅସ୍ବୀକାର କରିଥିଲେ। ସେ କହିଥିଲେ, ମୁଁ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାକୁ ଆସିଥିଲି। ମୁଁ ତାଙ୍କ ଉପସ୍ଥିତିରେ ରାଜନୀତି ସମ୍ପର୍କରେ କୌଣସି ମନ୍ତବ୍ୟ ଦେବା ଠିକ୍ ହେବନାହିଁ। ହୁଏତ ତାଙ୍କର କିଛି କଥାରେ ମୋର ସମର୍ଥନ ନ ଥାଇପାରେ। ମୋର କିଛି କଥାରେ ତାଙ୍କର ସମର୍ଥନ ନଥାଇପାରେ। ତେଣୁ ରାଜନୀତି ସମ୍ପର୍କରେ ମତାମତ ଦେବା ପାଇଁ ଏହା ଉପଯୁକ୍ତ ସ୍ଥାନ ନୁହେଁ। ମୁଁ ଏକା ଥିଲା ବେଳେ ଯେ କୌଣସି ବିଷୟରେ ମୋତେ ପଚାରିଲେ ମୁଁ କହିପାରିବି।

 

ସମ୍ବନ୍ଧିତ ଖବର