କଟକ : ସତ ନିଶ୍ଚିତ ସାମ୍ନାକୁ ଆସିବ। କେତେ ଜୀବନ ଚାଲିଗଲା...। ଏବେ ବିତର୍କର ସମୟ ନୁହେଁ। ବରଂ ଦୁର୍ଘଟଣା କେମିତି ହେଲା, କେତେ ଲୋକଙ୍କ ଜୀବନ ଚାଲିଗଲା ସେହି ସତ ସାମ୍ନାକୁ ଆସୁ। ଏହା ମୁଁ ଚାହୁଁଛି। କଟକ ବଡ଼ ମେଡିକାଲରେ ​ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଆହତ ମାନଙ୍କୁ ଭେଟିବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ମମତା କହିଛନ୍ତି ଯେ ବର୍ତ୍ତମାନ ସମୟରେ ସମସ୍ତେ ସହଯୋଗର ହାତ ବଢ଼ାଇବା ଆବଶ୍ୟକ। ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀ ମାନେ ଯେଭଳି ନିରନ୍ତର ଚିକିତ୍ସା ସେବା ଯୋଗାଇ ଚାଲିଛନ୍ତି ତାହା ପ୍ରଶଂସନୀୟ। କିନ୍ତୁ ଏବେବି ତାଙ୍କ ରାଜ୍ୟର ୩୧ଜଣଙ୍କ ପତ୍ତା ମିଳିପାରୁ ନଥିବାବେଳେ ୧୨୦ଜଣଙ୍କର ମୃତଦେହ ମିଳିଛି। ଏହି ଦୁର୍ଘଟଣାରେ ପଶ୍ଚିମବଙ୍ଗ ରାଜ୍ୟରୁ ଯେଉଁମାନେ ପ୍ରାଣ ହରାଇଛନ୍ତି ଓ ଯେଉଁମାନେ ସମ୍ପୂର୍ଣ୍ଣ ଅକ୍ଷମ ହୋଇଯାଇଛନ୍ତି, ସେମାନଙ୍କର ପରିବାରର ଜଣେ ଲେଖାଏ ବ୍ୟକ୍ତିଙ୍କୁ ହୋମଗାର୍ଡ ଚାକିରି ଦିଆଯିବ ବୋଲି ମମତା କହିଛନ୍ତି। କିନ୍ତୁ ଦୁର୍ଘଟଣାର ସିବିଆଇ ତଦନ୍ତ ପ୍ରସଙ୍ଗରେ ମମତା କୌଣସି ଉତ୍ତର ଦେଇ ନାହାନ୍ତି।

Advertisment

publive-image

ମମତା ମଙ୍ଗଳବାର ଦିନ ହେଲିକପ୍ଟରରେ ଭୁବନେଶ୍ବରରୁ ଆସି ରେଭେନ୍ସା ବିଶ୍ବବିଦ୍ୟାଳୟ ପଡ଼ିଆରେ ଓହ୍ଲାଇଥିଲେ। ଜିଲ୍ଲାପାଳ ଡକ୍ଟର ଭବାନୀଶଙ୍କର ଚୟନୀ ଓ ଅନ୍ୟ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିବା ସହିତ କଟକ ବଡ ମେଡିକାଲକୁ ନେଇଥିଲେ। ସେଠାରେ ମମତା ଦୁର୍ଘଟଣାରେ ଆହତ ରୋଗୀ ଓ ସେମାନଙ୍କର ସଂପର୍କୀୟଙ୍କୁ ଭେଟିବା ସହିତ ଏସ୍‌ସିବି ଅଧୀକ୍ଷକ ଓ ଡାକ୍ତରମାନଙ୍କ ସହିତ ଆଲୋଚନା କରିଥିଲେ। ମମତା କହିଛନ୍ତି ଯେ ଟ୍ରେନ ଦୁର୍ଘଟଣାର ପୀଡିତ ମାନଙ୍କୁ ସେବା ଯୋଗାଇବା ପାଇଁ ଉଭୟ ଓଡିଶା ଓ ପଶ୍ଚିମବଙ୍ଗ ସରକାର ମିଳିତଭାବେ କାର୍ଯ୍ୟ କରୁଛନ୍ତି। ଦୁର୍ଘଟଣା ପୀଡିତମାନଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଇ ଦିଆଯାଉଛି। ଉଭୟ ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ସମସ୍ତ ଖର୍ଚ୍ଚ ଭରଣା କରୁଛନ୍ତି। ପଶ୍ଚିମବଙ୍ଗ ସରକାର ପକ୍ଷରୁ ପୀଡିତ ମାନଙ୍କୁ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ବାଲେଶ୍ଵର ଓ ଏହାର ସୀମାନ୍ତ ଅଞ୍ଚଳରେ ୩/୪ ଟି ଅସ୍ଥାୟୀ ସହାୟତା ଶିବିର ଖୋଲାଯାଇଛି। ତା ସହିତ ୧୦୦ଟି ଆମ୍ବୁଲାନ୍ସ, ଡାକ୍ତରୀ ଦଳ ଓ ୪୦ ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଏଥି ପାଇଁ ନିଯୋଜିତ କରାଯାଇଛି। ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଏସ୍‌ସିବିରେ ସହାୟତା କେନ୍ଦ୍ର ଖୋଲା ଯାଇଛି। ଯଦି ଅଧିକ ଚିକିତ୍ସା ପାଇଁ କାହାରିକୁ ବାହାରକୁ ନେବାକୁ ପଡେ ସେଥିପାଇଁ ତାଙ୍କ ସରକାର ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଏସ୍‌ସିବି କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଛନ୍ତି ବୋଲି ମମତା କହିଛନ୍ତି।

publive-image

ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ସମୁଦାୟ ୯୭ ଜଣ ପୀଡିତ ଓଡିଶାରେ ବର୍ତ୍ତମାନ ଚିକିତ୍ସିତ ଥିବା ବେଳେ ୩୧ଜଣ ନିରୁଦ୍ଦିଷ୍ଟ ଅଛନ୍ତି। ୨୦୦ଜଣ ଆହତ କୋଲକାତାରେ ଚିକିତ୍ସିତ ହେଉଛନ୍ତି। ପଶ୍ଚିମବଙ୍ଗର ପ୍ରତ୍ୟେକ ମୃତକଙ୍କ ପରିବାରର ସଦସ୍ୟଙ୍କୁ ୫ ଲକ୍ଷ ଟଙ୍କା, ଗୁରୁତର ଆହତ ମାନଙ୍କୁ ୧ ଲକ୍ଷ ଟଙ୍କା, ସାମାନ୍ୟ ଆହତ ମାନଙ୍କୁ ୨୫ହଜାର ଟଙ୍କା ଦିଆଯାଇଛି। ଟ୍ରେନରେ ଯାତ୍ରା କରିଥିବା ଏବଂ ପ୍ରଚଣ୍ଡ ମାନସିକ ଆଘାତ ପାଇଥିବା ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ୧୦ ହଜାର ଟଙ୍କା ସହାୟତା ରାଶି ସହିତ ଆଗାମୀ ୩ମାସ ଯାଏ ମାସକୁ ଦୁଇ ହଜାର ଟଙ୍କା ହିସାବରେ ସହାୟତା ରାଶି ପ୍ରଦାନ କରାଯିବ ବୋଲି ମମତା ସୂଚନା ଦେଇଛନ୍ତି।

ମମତାଙ୍କ ଗସ୍ତ ସମୟରେ ଜିଲ୍ଲାପାଳ ଡ. ଭବାନୀ ଶଙ୍କର ଚଇନିଙ୍କ ସମେତ ସିଏମ୍‌ସି କମିସନର ନିଖିଲ ପୱନ କଲ୍ୟାଣ, ଡିସିପି ପିନାକ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ଶିବୋ ଟୋପୋ, ଏସ୍‌ସିବି ଅଧ୍ୟକ୍ଷ ପ୍ରଫେସର ଡାକ୍ତର ପ୍ରସେନ୍‌ଜିତ୍‌ ମହାନ୍ତି, ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ର, ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ, ପଶ୍ଚିମବଙ୍ଗ ସରକାରଙ୍କ ବରିଷ୍ଠ ପ୍ରଶାସନିକ ଓ ପୁଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।