ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି (ବିଜେପି) ମଙ୍ଗଳବାର ଦିନ ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି।। ନିକଟରେ ବିଜୁ ଜନତା ଦଳ (ବିଜେଡି) ଛାଡ଼ି ବିଜେପିରେ ମିଶିଥିବା ମମତା ମହାନ୍ତଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି। ରାଜ୍ୟସଭା ପ୍ରାର୍ଥୀ ପାଇଁ ବିଜେପି ରାଷ୍ଟ୍ରୀୟ ମହାସଚିବ ଓ ମୁଖ୍ୟାଳୟ ପ୍ରଭାରୀ ଅରୁଣ ସିଂହ ଘୋଷଣା କରିଛନ୍ତି।

Advertisment

ଯେଉଁ ଭରସା ରଖି ବିଜେପି ମୋତେ ଚୟନ କରିଛି, ଏହା ଖୁସି ଲାଗୁଛି। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିରେ ଡବଲ ଇଂଜିନର ସରକାରରେ ଓଡ଼ିଶାର ବିକାଶ ହେବ। କୁଡୁମୀ ସମାଜ ପାଇଁ କାମ ଜାରି ରଖିବି। ଆଦିବାସୀ ଲୋକଙ୍କର ବିକାଶ ପାଇଁ କାମ କରିପାରିବି ବୋଲି ମୋର ଦୃଢ଼ ବିଶ୍ବାସ, ଆଶା ଓ ଭରସା। 

-ମମତା ମହାନ୍ତ, ବିଜେପି, ରାଜ୍ୟସଭା ପ୍ରାର୍ଥୀ

ସୂଚନାଯୋଗ୍ୟ, ମମତା ମହାନ୍ତ ୨୦୨୦ ମସିହାରେ ବିଜେଡି  ରାଜ୍ୟସଭା ପଠାଇଥିଲା। ଗତ ଜୁଲାଇ ୩୧ ତାରିଖରେ ସେ ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡିରୁ ଇସ୍ତଫା ବେଳେ ଅସନ୍ତୋଷ ଝାଡ଼ିଥିଲେ ମମତା। ତାଙ୍କୁ ଦଳରେ ଅଣଦେଖା କରାଯାଇଥିବା ସେ ଅଭିଯୋଗ ଆଣିଥିଲେ। ତା’ପର ଦିନ ସେ ବିଜେପିରେ ମିଶିଥିଲେ। ମମତା ମହାନ୍ତ ହେଉଛନ୍ତି କୁଡ଼ୁମୀ ସଂପ୍ରଦାୟର ଜଣେ ଟାଣୁଆ ନେତ୍ରୀ। ନିଜ ସମ୍ପ୍ରଦାୟ ପାଇଁ ଅନେକ କାର୍ଯ୍ୟ କରିଛନ୍ତି। ଏହି ସମ୍ପ୍ରଦାୟରେ ମୟୂରଭଞ୍ଜ ଓ ପଡ଼ୋଶୀ କେନ୍ଦୁଝର ଜିଲ୍ଲାରେ ବହୁ ଲୋକ ଅଛନ୍ତି।

୨୦୧୧ରେ ରାଜନୀତିରେ ପାଦ ଥାପିଥିବା ମମତା ୨୦୧୨ରେ ବିଶୋଇ ବ୍ଲକ୍‌ର ୩୪ ନମ୍ବର ଜୋନ୍‌ରୁ ଜିଲ୍ଲା ପରିଷଦ ସଦସ୍ୟା ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ସାଂଗଠନିକ ଦକ୍ଷତା ଓ ନେତୃତ୍ବ ନେବାର ସାମର୍ଥ୍ୟକୁ ଦୃଷ୍ଟିରେ ରଖି ତାଙ୍କୁ ମହିଳା ମୋର୍ଚ୍ଚା ସଭାପତି କରାଯାଇଥିଲା। ବି‌ଶେଷ କରି ମହିଳା ସ୍ବୟଂସହାୟିକା ଗୋଷ୍ଠୀ ସହିତ ତାଙ୍କର ସଂପୃକ୍ତି ଶୀର୍ଷ ନେତୃତ୍ବଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍‌ଙ୍କ କାର୍ଯ୍ୟକାଳ ପୂରଣ ହେବା ପରେ ବିଜେଡି ଏଠାରୁ କାହାକୁ ରାଜ୍ୟସଭା ପଠାଇବ, ସେ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଥିଲା। ଶେଷରେ କୁଡୁମୀ ସମ୍ପ୍ରଦାୟ ତଥା ଓବିସି ବର୍ଗର ମହିଳା ମମତାଙ୍କ ପ୍ରାର୍ଥିତ୍ବ ଉପରେ ମୋହର ଲଗାଇଥିଲେ ନବୀନ।