ନୂଆଦିଲ୍ଲୀ: ବିଜେପିରେ ଯୋଗଦେଲେ ମମତା ମହନ୍ତ । ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟରେ ହେଲେ ସାମିଲ । ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ମମତା । ରାଜ୍ୟସଭା ସଦସ୍ୟତା ପଦରୁ ମଧ୍ୟ ଦେଇଥିଲେ ଇସ୍ତଫା । ବିଜେପିରେ ସାମିଲ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ମମତା । ସେ କହିଛନ୍ତି ଯେ କାଲି ରାଜ୍ୟସଭା ଓ ବିଜେଡିରୁ ଇସ୍ତଫା ଦେଇଥିଲି । ମୋତେ ବିଜେଡି ସୁଯୋଗ ଦେଇଥିବାରୁ କୃତଜ୍ଞ । ଲୋକଙ୍କ ସେବା ଓ ଜନକଲ୍ୟାଣ କରିବା ମୋର ଲକ୍ଷ୍ୟ । ମାତ୍ର ବିଜେଡି ମୋର ଆବଶ୍ୟକତା ମନେକରୁନି । କୁଡମୀ ସମାଜ ପାଇଁ ଅଧିକ କାମ କରିବାକୁ ଚାହୁଁଛି । ତେଣୁ ବିଜେପିରେ ସାମିଲ ହେବାକୁ ନିଷ୍ପତ୍ତି ନେଲି ।
ଉଲ୍ଲେଖ ଥାଉ କି ଏହି ମିଶ୍ରଣ ପର୍ବରେ ଆସ୍କା ସାଂସଦ ଅନିତା ଶୁଭଦର୍ଶିନୀ, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଓ ଅନ୍ୟ ସାଂସଦମାନେ ଉପସ୍ଥିତ ଥିଲେ | ଉଲ୍ଲେଖ ଥାଉ କି ନିର୍ବାଚନ ପରେ ବିଜେଡିକୁ ଗତକାଲି ବଡ଼ ଧକ୍କା ଲାଗିଥିଲା । ରାଜ୍ୟସଭା ସାଂସଦ ପଦରୁ ବିଜେଡି ସାଂସଦ ମମତା ମହାନ୍ତ ଇସ୍ତଫା ଦେଇଥିଲେ । ବୁଧବାର ହଠାତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ମୟୂରଭଞ୍ଜରୁ ରାଜ୍ୟସଭାକୁ ଯାଇଥିବା ମମତା ମହାନ୍ତ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ମମତା ରାଜ୍ୟସଭା ସଦସ୍ୟ ଭାବେ ୨୦୨୦ ଏପ୍ରିଲ୍ ୩ ତାରିଖରେ ନିର୍ବାଚିତ ହୋଇଥିଲେ। କାର୍ଯ୍ୟକାଳ ଶେଷ ହେବାର ୨୧ ମାସ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫା ପରେ ରାଜ୍ୟସଭାରେ ବିଜେଡି ସାଂସଦଙ୍କ ସଂଖ୍ୟା ୮କୁ ଖସିଛି।