ମହାପ୍ରଭୁଙ୍କ ଦର୍ଶନକଲେ ମମତା, ଆଜି ନବୀନଙ୍କୁ ଭେଟିବେ

ପୁରୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଅପରାହ୍ନରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଭିତରକାଠରୁ ଶ୍ରୀଜିଉଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି। ତା’ସହ ଦେଶବାସୀଙ୍କ ମଙ୍ଗଳକାମନା କରିଛନ୍ତି। ବେଢ଼ା ପରିକ୍ରମା କରିବା ପରେ ଭିତର ବେଢ଼ାରେ ଛିଡ଼ା ହୋଇ ଧ୍ବଜାବନ୍ଧା ଦେଖିଛନ୍ତି। ନିଜେ ହଳଦିଆ ରଙ୍ଗର ଧ୍ବଜା ବାନ୍ଧିଛନ୍ତି। ଯାହା ନୀଳଚକ୍ରର ଶୀର୍ଷରେ ଲଗାଯାଇଛି। ମମତା ଆଜି(ଗୁରୁବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ।

ଅପରାହ୍ନ ପ୍ରାୟ ୪ଟା ୧୦ରେ ମମତା ବୁଧବାର ଦିନ କଡ଼ା ସୁରକ୍ଷା ଭିତରେ ଶ୍ରୀମନ୍ଦିରଠାରେ ପହଞ୍ଚିବା ପରେ ସିଂହଦ୍ବାର ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିଲେ। ଘଣ୍ଟିଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ ପରେ ଭିରତକାଠରୁ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ପ୍ରଣାମ କରିଥିଲେ। ପରେ ମୁକ୍ତିମଣ୍ଡପ ସ୍ପର୍ଶ କରି ମୁଣ୍ଡିଆ ମାରିବା ସହ ବ୍ରାହ୍ମଣମାନଙ୍କ ଆଶୀର୍ବାଦ ନେଇଥିଲେ ଓ ଦାନ ଦେଇଥିଲେ। ପରେ ମା’ ବିମଳା ମନ୍ଦିର ଯାଇ ମୁଣ୍ଡିଆ ମାରିଥିଲେ। ଶେଷରେ ମହାଲକ୍ଷ୍ମୀଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବା ସହ ନିକଟରେ ଥିବା ଦଇତାପତି ନିଯୋଗ ଘରେ କିଛି ସମୟ ବିତାଇଥିଲେ।

ଏହି ଅବସରରେ ଦଇତାପତି ନିଯୋଗ ତରଫରୁ ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର, ଦଇତାପତି ନିଯୋଗ ସଂପାଦକ ରାମକୃଷ୍ଣ ଦାସମହାପାତ୍ର ପ୍ରମୁଖ ମମତାଙ୍କୁ ପିତଳ ଉପରେ ସୁନା ପାଣି ଦିଆ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି, ଶ୍ରୀଜିଉଙ୍କ ଫଟୋଚିତ୍ର, ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଉପହାରସ୍ବରୂପ ଦେଇଥିଲେ। ସେହିପରି, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମମତାଙ୍କୁ ମହାପ୍ରଭୁଙ୍କ ଗୀତଗୋବିନ୍ଦ ଖଣ୍ଡୁଆ ଓ ଫଟୋଚିତ୍ର ଉପହାର ସ୍ବରୂପ ଦିଆଯାଇଥିଲା।
ଏହି ଅବସରରେ ମମତା ଗଣମାଧ୍ୟମକୁ କହିଥିଲେ, ଆଜି ମହାପ୍ରଭୁଙ୍କ ଦର୍ଶନ କରି ଦେଶବାସୀଙ୍କ ସହ ପଶ୍ଚିମବଙ୍ଗ, ଓଡ଼ିଶାବାସୀ, ସର୍ବୋପରି ସମସ୍ତ ଜନସାଧାରଣଙ୍କ ମଙ୍ଗଳ କାମନା କରିଛି। ଏହି ଅବସରରେ ପୁରୀବାସୀଙ୍କ ସହ ଶ୍ରୀମନ୍ଦିର ସେବାୟତ, ଦଇତାପତି, ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନକୁ ସେ କୃତଜ୍ଞତା ଜଣାଇଥିଲେ।

ମମତା ଆଜି (ଗୁରୁବାର) ଅପରାହ୍ନ ସାଢ଼େ ୪ଟାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନନିବାସଠାରେ ଭେଟିବେ। ବୁଧବାର ଦିନ ଏଠାରେ ସେ ଏସମ୍ପର୍କରେ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ। ତୃତୀୟ ମେଣ୍ଟ ଉପରେ କିଛି ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି କି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଥିଲେ, ନବୀନବାବୁଙ୍କ ସହ ଏହା ମୋର ସୌଜନ୍ୟମୂଳକ ସାକ୍ଷାତକାର। ହକି ବିଶ୍ବକପ ସମୟରେ ସେ ମୋତେ ଆସିବାକୁ ନିମନ୍ତ୍ରଣ କରିଥିଲେ। ନିଜ ମନ୍ତ୍ରୀଙ୍କୁ ପଠାଇ ମୋତେ ନିମନ୍ତ୍ରଣ ଦେଇଥିଲେ। କିନ୍ତୁ, ବ୍ୟକ୍ତିଗତ କାରଣରୁ ମୁଁ ଆସି ପାରିନଥିଲି। ତଥାପି ଯେବେ ଓଡ଼ିଶା ଆସିବି, ନବୀନ ବାବୁଙ୍କୁ ଭେଟିବି ବୋଲି ପ୍ରତିଶ୍ରୁତି‌ ଦେଇଥିଲି। ପ୍ରତିଶ୍ରୁତି ରକ୍ଷାକରି ଓଡ଼ିଶା ଗସ୍ତ କାଳରେ ଆସନ୍ତାକାଲି ମୁଁ ନବୀନବାବୁଙ୍କୁ ଭେଟିବି।

ଏହି ଅବସରରେ ପଶ୍ଚିମବଙ୍ଗ ଅତିଥି ଭବନ ପାଇଁ ପୁରୀରେ ଚିହ୍ନଟ ଜମି ଉପରେ ଆଲୋଚନା କରିବି। ଏହାସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିବି। କୌଣସି ରାଜନୈତିକ ପ୍ରସଙ୍ଗ ନାହିଁ ବୋଲି ମମତା କହିଥିଲେ।

ସମ୍ବନ୍ଧିତ ଖବର