ମମତାଙ୍କ ପ୍ରଶ୍ନ: କାହିଁକି ଲଗାଯାଇନି ଦୁର୍ଘଟଣାନିରୋଧୀ ଯନ୍ତ୍ର?

ଭୁବନେଶ୍ବର : ବାଲେଶ୍ବର ବାହାନଗାଠାରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରେଳ ଦୁର୍ଘଟଣାକୁ ନେଇ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଆଗରେ ପ୍ରଶ୍ନ ଉଠାଇଛନ୍ତି। କରମଣ୍ଡଳ ଏକ୍ସପ୍ରେସ୍‌ରେ କାହିଁକି ଦୁର୍ଘଟଣା ନିରୋଧୀ ଯନ୍ତ୍ର ଲଗାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଘଟଣାସ୍ଥଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ବାନାର୍ଜୀ କହିଛନ୍ତି, ସେ ରେଳମନ୍ତ୍ରୀ ଥିବା ବେଳେ ଦୁର୍ଘଟଣା ନିରୋଧୀ ଯନ୍ତ୍ର ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିଲା। ଯଦି କରମଣ୍ଡଳ ଏକ୍ସପ୍ରେସ୍‌ରେ ଏହି ଯନ୍ତ୍ର ବ୍ୟବହାର ହୋଇଥାନ୍ତା ତାହେଲେ ଏଭଳି ଦୁର୍ଘଟଣାକୁ ରୋକାଯାଇ ପାରିଥାନ୍ତା। ଆଜିର ସମୟରେ ରେଳ ବଜେଟ୍ ସଂପର୍କରେ କୌଣସି ସୂଚନା ଦିଆଯାଉ ନାହିଁ। ଜଣେ ରେଳବାଇ ପରିବାରର ସଦସ୍ୟଭାବେ ଯଦି ସରକାର ଚାହିଁବେ ତାହା ହେଲେ ପ୍ରସ୍ତାବ ଦେବାକୁ ପ୍ରସ୍ତୁତ। ତେବେ ଦୁର୍ଘଟଣାର ସଂପୂର୍ଣ୍ଣ ତଦନ୍ତ ପାଇଁ ସେ ଦାବି କରିଛନ୍ତି।

ଆକ୍ସନ୍ ମୋଡରେ ପଶ୍ଚିମବଙ୍ଗ ସରକାର
୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍, ବରିଷ୍ଠ ଆଇଏଏସ୍‌ଙ୍କୁ ଦାୟିତ୍ବ
ବାଲେଶ୍ବରରେ ୪ ବରିଷ୍ଠ ଆଇଏଏସ୍‌, ୪ ଡେପୁଟି ମାଜିଷ୍ଟ୍ରେଟ୍‌ ଓ ସିଡିପିଓ

ରେଳ ଦୁର୍ଘଟଣା ପରେ ପଶ୍ଚିମବଙ୍ଗ ସରକାର ଆକ୍ସନ୍ ମୋଡ୍‌କୁ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ବାହାନଗାରେ ଡେରା ପକାଇଛନ୍ତି। ଏହି ଦୁର୍ଘଟଣାରେ ପଶ୍ଚିମବଙ୍ଗର ମୃତାହତ ବ୍ୟକ୍ତିଙ୍କ ପାଇଁ ୫ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି।

ଦୁର୍ଘଟଣା ପରେ ପଶ୍ଚିମବଙ୍ଗ ସଚିବାଳୟ ‘ନବାନ୍ନ’ରେ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି। ଜଣେ ବରିଷ୍ଠ ଅଧିକାରୀ ଏହା ଉପରେ ନଜର ରଖିଛନ୍ତି। ପ୍ରତି ଘଣ୍ଟାର ରିପୋର୍ଟିଂକୁ ଏକାଠି କରାଯିବା ସହିତ ଜିଲ୍ଲା-ବ୍ଲକ୍‌ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଉଛି। ୪ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କ ସମେତ ୪ ଡେପୁଟି ମାଜି‌ଷ୍ଟ୍ରେଟ୍‌ ଓ ଜଣେ ଏସ୍‌ଡିପିଓ ଗତକାଲିଠାରୁ ବାଲେଶ୍ବରରେ ଆସି ପହଞ୍ଚିଛନ୍ତି। ସରକାରଙ୍କ ପକ୍ଷରୁ ୩୪ଜଣ ଡାକ୍ତରଙ୍କ ସହିତ ୭୦ ଆମ୍ବୁଲାନ୍‌ସ, ୧୦ଟି ବସ୍, ୨୦ ମିନି ଟ୍ରକ୍‌ ବାଲେଶ୍ବରରେ ପହଞ୍ଚିସାରିଛି। ପୁଲିସ୍‌ଙ୍କ ସହ ୨ଟି ବିପର୍ଯ୍ୟୟ ପରିଚାଳନା ଗ୍ରୁପ୍‌ ବ‌ାଲେଶ୍ବର ଆସୁଛନ୍ତି। ଦୁର୍ଘଟଣାରେ ଆହତ ହୋଇଥିବା ୫ଜଣ ମେଦିନିପୁର ମେଡିକାଲ କଲେଜ, ୬ଜଣ ଘଟଳ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର