ମମିତାଙ୍କ ପାଖରେ କାହାର ପ୍ରମାଣ ଥିଲା? ମୃତ୍ୟୁ ପଛର କାରଣ ଖୋଜାରେ ସନ୍ଦେହ

ପରୀ ମାମଲାରେ ବୋଥ୍ରା ସବୁକଥା କହିଥିଲେ, ମମିତା ମାମଲାରେ କିଛି ବି ମେଳଖାଉନି

ଭୁବନେଶ୍ବର: ମମିତା ମେହେରଙ୍କ ପାଖରେ ଏମିତି କ’ଣ ପ୍ରମାଣ ଥିଲା; ଯାହାପାଇଁ ଗୋବିନ୍ଦ ସାହୁ ତାଙ୍କୁ ହତ୍ୟା କଲା? ଏହି ପ୍ରମାଣ ଯଦି ମମିତା ସାମ୍ନାକୁ ଆଣିଥାନ୍ତେ, ତେବେ ଗୋବିନ୍ଦର କି କ୍ଷତି ହୋଇଥାନ୍ତା? ପ୍ରମାଣ କେବଳ ମମିତାଙ୍କ ସଂପର୍କିତ, ନା ଆଉ କାହାର ଅନୈତିକ କାରବାରର ସେ ମୁକସାକ୍ଷୀ ଥିଲେ? ଅତି ସରଳ ଭାଷାରେ କହିଲେ, ମମିତା ହତ୍ୟା ପଛର ଅସଲ ଉଦ୍ଦେଶ୍ୟଟି କଣ?

ଅକ୍ଟୋବର ୧୩ ତାରିଖ (ମାମଲା ରୁଜୁ ଦିନ)ରୁ ଆଜି ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଗତ ୧୫ ଦିନ ମଧ୍ୟରେ ପୁଲିସ ହତ୍ୟାକାଣ୍ଡର ଏହି ଦିଗ ସଂପର୍କରେ ଉଁ କି ଚୁଁ କିଛି କହୁନାହିଁ। ସେ ଦିଗରେ ତଦନ୍ତ ହୋଇଛି କି ନାହିଁ, ତାହା ପୁଲିସକୁ ଜଣା। ସାଧାରଣ ଲୋକଙ୍କ ମନ ଭିତରର ଏହାକୁ ନେଇ ଅନକ ପ୍ରଶ୍ନ। କିନ୍ତୁ ଗଣମାଧ୍ୟମ ସାମ୍ନାରେ ବଲାଙ୍ଗୀର, କଳାହାଣ୍ଡି ପୁଲିସ କିମ୍ବା ପଶ୍ଚିମାଞ୍ଚଳ ଡିଆଇଜି କେହି ବି ଉତ୍ତର ରଖିନାହାନ୍ତି। ସବୁଠାରୁ ଉଦବେଗର ବିଷୟ ହେଲା ଯେ ହଷ୍ଟେଲରେ ଲାଗିଥିବା ସିସିଟିଭି କଣ କହୁଛି? ଅନ୍ତେବାସୀଙ୍କର ମତ କଣ? ମମିତାଙ୍କ ସହିତ ଗୋବିନ୍ଦର ବିବାଦ କେତେ ଦିନ ଧରି ଚାଲିଥିଲା, କାହିଁକି ଚାଲିଥିଲା? ପ୍ରଥମେ କେଉଁ କାରଣରୁ ମମିତା ଗୋବିନ୍ଦ ଉପରେ କ୍ଷୁବ୍ଧ ହେଲେ? ଏ ସଂପର୍କରେ ବି ପୁଲିସର ତଦନ୍ତ କେତେବାଟ ଆଗେଇଛି, ସେ ନେଇ ରାଜ୍ୟବାସୀ ଅନ୍ଧାରରେ ରହିଛନ୍ତି।

ପଶ୍ଚିମାଞ୍ଚଳ ଡିଆଇଜି ଦୀପକ କୁମାର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଏତଲା ଭିତ୍ତିରେ ତଦନ୍ତ ଆଗେଇଛି। ସିଆରପିସି ଅନୁସାରେ ତଦନ୍ତ ଚାଲିଛି। ହେଲେ ଡିଆଇଜିଙ୍କ ସାମ୍ବାଦିକ ସମ୍ମିଳନୀ, ଗୋବିନ୍ଦର ମତ, ପରିବାରର ବୟାନ ଭିତରେ ଅନେକ କଥାରେ ତାଳମେଳ ରହୁନାହିଁ। ସବୁସ୍ତରରେ କିଛି ନା କିଛି କଥା ଲୁଚିଯାଉଛି ବା ସାମ୍ନାକୁ ଆସିପାରୁନାହିଁ, ଏକଥା ଜଳ ଜଳ ହୋଇ ଦିଶିଲାଣି। କିଛି ବରିଷ୍ଠ ପୁଲିସ ଅଧିକାରୀ ନିଜ ନାମ ଗୋପନ ସର୍ତ୍ତରେ କହିଛନ୍ତି ଯେ ମହିଳାଙ୍କ ଯୌତୁକ ଜନିତ ମାମଲା ହେଉ କିମ୍ବା ନିଖୋଜ; ଏ େକ୍ଷତ୍ରରେ ଗୋଟିଏ ସ୍ପଷ୍ଟ ନିୟମ ରହିଛି। ଅଭିଯୋଗ ଯେଉଁଠି ବି ହେବ, ସେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିପାରିବେ। ଯେଉଁଥିପାଇଁ ମାମଲାଟି ସମ୍ପୂର୍ଣ୍ଣ କଳାହାଣ୍ଡି ଜିଲ୍ଲାରେ ଘଟିଥିଲେ ହେଁ ବଲାଙ୍ଗୀର ପୁଲିସ (ମମିତାଙ୍କ ନିଖୋଜ ମାମଲାର କାହାଣୀ ଏହିଠାରୁ ଆରମ୍ଭ) ତଦନ୍ତ କରୁଛନ୍ତି। ଏପରିକି କଳାହାଣ୍ଡି ଜିଲ୍ଲା ଅନ୍ୟ ରେଞ୍ଜ ଅଧୀନରେ ଆସୁଥିଲେ ମଧ୍ୟ ପଶ୍ଚିମାଞ୍ଚଳ ଡିଆଇଜି ସେଠାକୁ ଯାଇ ତଦନ୍ତ କରିପାରୁଛନ୍ତି।

ତେବେ ଏ କ୍ଷେତ୍ରରେ ଯେଉଁ ବିଲକ୍ଷଣଟି ରହିଛି, ତାହା ହେଲା କେ ଗାଁ ପୁଲିସ ଅଭିଯୋଗ ରଖିଲେ ନାହିଁ ବୋଲି ତାଙ୍କୁ ନିଲମ୍ବନ କରାଗଲା। ଅସଲ କଥା ହେଲା ମମିତାଙ୍କ ପରିବାର କହିସାରିଲେଣି ଯେ କିଭଳି ଅଭିଯୁକ୍ତ ଗୋବିନ୍ଦ ନିଜେ ପ୍ରଥମ ଏତଲା ଲେଖାଇଥିଲା ଏବଂ ଆଗରୁ ଯାଇ ଥାନାରେ ପହଞ୍ଚିଥିଲା। କେ ଗାଁ ପୁଲିସ ଆଉ ପରିବାରର ଅଭିଯୋଗ ନ ରଖି ତୁରେଇକେଲା ପୁଲିସ ଷ୍ଟେସନକୁ ଯିବାକୁ ପରାମର୍ଶ ଦେଲା। ଏହା ହିଁ ବୟାନ କରୁଛି ପୁଲିସ କେବଳ ‘୫ଟି’ ବା ଅନୁସୃତ ନିୟମ ଉଲ୍ଲଂଘନ କରିଛି ତା’ ନୁହେଁ, ବରଂ ଅଭିଯୁକ୍ତକୁ ସୁରକ୍ଷା ଦେଇଛି। ଏଣୁ ସେ ମାମଲା ପରିସରଭୁକ୍ତ ହେବା କଥା, ଯାହା ଏ ଯାଏ ହୋଇନାହିଁ। ଠିକ୍ ସେହିଭଳି ସିନ୍ଧେକେଲା ପୁଲିସ ମକଦ୍ଦମା ରୁଜୁ କରିବା ପରେ ଗୋବିନ୍ଦକୁ ଅଟକ ରଖିଲା। କିନ୍ତୁ ବଲାଙ୍ଗୀର ପୁଲିସ ଗୋବିନ୍ଦକୁ ଟିଟିଲାଗଡ ବାରାକକୁ କାହିଁକି ନେଲା? ନକ୍ସଲ ଉପଦ୍ରୁତ ହୋଇଥିବା କାରଣରୁ େସସବୁ ଅଞ୍ଚଳର ଥାନା ଦୁର୍ଗୀକରଣ କରାଯାଇଛି। ଗୋବିନ୍ଦର ଗୋଡରେ ସମସ୍ୟା ଥିବା ସତ୍ତ୍ବେ ସେ କେମିତି ଖସିପଳାଇଲା? ଅଟକ ଥିବା ଗୋବିନ୍ଦ ପାଖକୁ ମୋବାଇଲ୍ କେଉଁଠୁ ଆସିଲା? ମୋବାଇଲ୍ ଥିବା ସତ୍ତ୍ବେ ତାକୁ ଧରିବା ପାଇଁ କାହିଁକି ପୁଲିସ ସକ୍ଷମ ହେଲାନାହିଁ?

ସବୁ ସମ୍ବେଦନଶୀଳ ମାମଲାରେ ପୁଲିସ ମୋବାଇଲ ଟ୍ରାକିଂ କରେ ଓ ବିସ୍ତୃତ କଲ୍ ରିପୋର୍ଟକୁ ଆୟୁଧ କରି ତଦନ୍ତକୁ ଆଗେଇ ନିଏ। ଏ କ୍ଷେତ୍ରରେ ପୁଲିସ ସଂଗ୍ରହ କରିଥିବା ରିପୋର୍ଟ କଣ କହୁଛି? ଫେରାର ପରେ କେଉଁମାନଙ୍କ ସହିତ ଗୋବିନ୍ଦ କଥା ହୋଇଥିଲା? କେବଳ ସେତିକି ନୁହେଁ, ବିଜେପି ନେତା ବିଜୟ ମହାପାତ୍ର ଅଭିଯୋଗ କରିଥିଲେ ଯେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ତାଙ୍କ ରାୟପୁର ଘରେ ଗୋବିନ୍ଦ ଓ ମମିତାଙ୍କୁ ବୁଝାସୁଝା କରିଥିଲେ। ଏଥିରେ ସତ୍ୟତା ଅଛି ନା ନାହିଁ? ଯଦି ନାହିଁ, ତେବେ ମମିତା ସେପ୍ଟେମ୍ବର ୨୦-୨୧ ତାରିଖ ବେଳକୁ ମହାଲିଙ୍ଗ ଆସି କେଉଁଠି ଥିଲେ, ତାହା ଅନୁସନ୍ଧାନ କରି ପୁଲିସ କେଉଁ ନିଷ୍କର୍ଷରେ ପହଞ୍ଚିଛି? ଦିନ ଦି’ପହରେ ରାସ୍ତା ଉପରେ ଗୋବିନ୍ଦ ଏକାକୀ ମାରିଦେଲା? ହତ୍ୟାକାଣ୍ଡ ପରେ ଯିଏ ସର୍ବନିମ୍ନ ପ୍ରମାଣ ବି ରଖିଲାନି, ତାର ଶବକୁ ଖଣ୍ଡ ଖଣ୍ଡ କରି ପୋଡ଼ିଦେଲା ବୋଲି ପୁଲିସ କହୁଛି। ସିଏ ନିଜ ଗାଡି ଭିତରେ ଏତେ ପ୍ରମାଣ (ପାଉଜି, ସିଟ୍ ଚିରିବା, ପେଟ୍ରୋଲ ଜାର୍) କେମିତି ଛାଡିଲେ? ରାଧେ ଘରୁ ଉଦ୍ଧର ହୋଇଥିବା ବ୍ୟାଗ୍, ଡ୍ରେସ୍ ଏବଂ ମୋବାଇଲ୍ ଯଦି ମମିତାଙ୍କର ନୁହେଁ, ତେବେ କାହା ପାଇଁ ଉଦ୍ଦିଷ୍ଟ ଥିଲା?

କିଛି ପୂର୍ବତନ ପୁଲିସ ପ୍ରଶାସକଙ୍କର କହିବା କଥ ହେଉଛି ଯେ ପରୀ ମାମଲା ମଧ୍ୟ ଅତି ସମ୍ବେଦନଶୀଳ ଥିଲା। ବରିଷ୍ଠ ଆଇପିଏସ୍ ଅଫିସର ଅରୁଣ ବୋଥ୍ରାଙ୍କ ଭଳି ଅଭିଜ୍ଞ ଅଧିକାରୀ ନିଜେ ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ଭାବେ ମାମଲା ସଂପର୍କରେ ଗଣମାଧ୍ୟମକୁ କହୁଥିଲେ। ଲୋକଙ୍କ ସନ୍ଦେହ ମୋଚନ କରିବାକୁ ଚେଷ୍ଟା କରିଥିଲେ। ସେ ମାମଲା ପୁଣି ହାଇକୋର୍ଟଙ୍କ ବିଚାରାଧୀନ ଥିଲା। ଏ ମାମଲାରେ ଡିଆଇଜି ଯେଭଳି ଗଣମାଧ୍ୟମରେ ମତ ରଖିଲେ, ତାହା ସନ୍ତୁଷ୍ଟ କରୁନି, ବରଂ ସନ୍ଦେହ ବଢ଼ାଉଛି।
ଉଲ୍ଲେଖଥାଉକି, ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦକୁ ପୁଲିସ ପ୍ରଥମେ ଅଟକ ରଖିଲା। ତା’ ପରେ ସେ ଫେରାର ହେଲା। ଗିରଫ ପରେ ତାକୁ ପ୍ରାଥମିକ ଭାବେ ପଚରାଉଚରା କରି କୋର୍ଟକୁ ପଠାଗଲା। ପୁଣି ୫ ଦିନ ରିମାଣ୍ଡରେ ଆଣି ଦିନରାତି ଜେରା କରି ଶେଷରେ ପୁଲିସ ତାକୁ କୋର୍ଟ ଚାଲାଣ କରିସାରିଲାଣି। ତଥାପି ଦ୍ବନ୍ଦ୍ବ ହିଁ ଦ୍ବନ୍ଦ୍ବ।

ସମ୍ବନ୍ଧିତ ଖବର