ମମିତା ମେହେର ହତ୍ୟା ମାମଲା: ସାକ୍ଷ୍ୟ ଗ୍ରହଣ ଆରମ୍ଭ

ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ଓ ସହଯୋଗୀ ହାଜର, ମୃତକଙ୍କ ପରିବାରର ୨ଜଣଙ୍କ ସାକ୍ଷ୍ୟ ଗ୍ରହଣ

କଣ୍ଟାବାଞ୍ଜି : ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ସାକ୍ଷ୍ୟଗ୍ରହଣ ଆରମ୍ଭ ହୋଇଛି। ଏଥିପାଇଁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଆଜି ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ, ସହଯୋଗୀ ରାଧେଶ୍ୟାମ ଚଣ୍ଡୀଙ୍କ ସହ ୨ ଜଣ ସାକ୍ଷୀ ହାଜର ହୋଇଥିଲେ।

ସୂଚନା ଅନୁସାରେ, ସାକ୍ଷ୍ୟ ଦେବାପାଇଁ ମୃତ ମମିତାଙ୍କ ସାନଭାଇ ବଣ୍ଟି ମେହେର ଓ ସମ୍ପର୍କୀୟ ବଡ଼ଭାଇ ଉମେଶ ମେହେର ହାଜର ହୋଇଥିଲେ। ବଣ୍ଟି ସେତେବେଳେ ପ୍ରଥମେ ତାଙ୍କ ଭଉଣୀ ନିଖୋଜ ହେବା ବିଷୟରେ ସିନ୍ଧେକେଲା ଥାନାରେ ଏତଲା ଦେଇଥିଲେ। ମାମଲା ପରିଚାଳନା କରୁଥିବା ସ୍ୱତନ୍ତ୍ର ସରକାରୀ ଓକିଲ ଅମରେନ୍ଦ୍ର ମିଶ୍ରଙ୍କ କହିବା ଅନୁସାରେ, ମମିତା ମେହେରଙ୍କ ଦୁଇ ଭାଇଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ବଣ୍ଟି ମେହେରଙ୍କ ସାକ୍ଷ୍ୟ ପୂରା ହୋଇନଥିବା ବେଳେ ଶୁକ୍ରବାର ପୁଣି ସେ କୋର୍ଟରେ ହାଜର ହେବେ। ଏହି ମାମଲାରେ ୧୬୯ ଜଣଙ୍କୁ ସାକ୍ଷୀ କରାଯାଇଛି। ତ୍ୱରିତ୍‌ ବେଗରେ ମାମଲା ଶେଷ ହେବ ବୋଲି ସେ ସୂଚନା ଦେଇଥିଲେ।

ସେହିଭଳି ଅଭିଯୁକ୍ତ ଗୋବିନ୍ଦ ସାହୁର ଓକିଲ ଦୁର୍ଗା ପ୍ରସାଦ ପାଢ଼ୀଙ୍କ କହିବା ଅନୁସାରେ, ଗୁରୁବାର ୪ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ମମିତାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ନାହିଁ ଓ ତାଙ୍କୁ ଦେଖାରେଖା କରିବାକୁ ମମିତାଙ୍କ ମା’ ସାଙ୍ଗରେ ଥିବା ଯୋଗୁଁ ସେମାନେ ଉପସ୍ଥିତ ହୋଇ ପାରିଲେ ନାହିଁ। ସାକ୍ଷ୍ୟ ଗ୍ରହଣ ଆରମ୍ଭ ହେବାର କିଛିସମୟ ପରେ ବଲାଙ୍ଗୀର ଏସ୍‌ପି ନିତିନ କୁଶଳକର ଏଡିଜେ କୋର୍ଟରେ ଆରମ୍ଭରୁ ଶେଷ ଯାଏ ଉପସ୍ଥିତ ଥିଲେ। ନ୍ୟାୟିକ ପ୍ରକ୍ରିୟା ଚାଲୁଥିବା ଯୋଗୁଁ କୌଣସି ପ୍ରତିକିୟା ଦେଇ ପାରିବେ ନାହିଁ ବୋଲି ଗଣମାଧ୍ୟମକୁ ଜଣାଇଥିଲେ।

ଅନ୍ୟପକ୍ଷରେ, ଶୁକ୍ରବାର ମଧ୍ୟ ଏହି ମାମଲାରେ ଆହୁରି ସାକ୍ଷ୍ୟ ପାଇଁ ମମିତାଙ୍କ ଭାଇ ସମେତ ଅନ୍ୟମାନେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର