ମମିତା ମେହେର ହତ୍ୟା ମାମଲା: ପଶ୍ଚିମ ଓଡ଼ିଶାରୁ ରାଜଧାନୀ ଯାଏ ତାତି

ବିଜେପିର ଡିଆଇଜି ଅଫିସ ଘେରାଉ, ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ପୁଣି ଟାର୍ଗେଟ୍‌ କଲା କଂଗ୍ରେସ

ସମ୍ବଲପୁର: ମମିତା ମେହେର ହତ୍ୟା ମାମଲାକୁ ନେଇ ପ୍ରତିବାଦର ନିଆଁ ବ୍ୟାପିବାରେ ଲାଗିଛି। ଆଜି ବିଜେପି ମହିଳା ମୋର୍ଚ୍ଚା ତରଫରୁ ମମିତା ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଏବଂ ଗୃହରାଷ୍ଟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଉତ୍ତରାଂଚଳ ଡିଆଇଜି ଅଫିସ ଘେରାଉ କରାଯାଇଛି। କଚେରି ରୋଡସ୍ଥିତ ବିଜେପି କାର୍ଯ୍ୟାଳୟରୁ ଶତାଧିକ ବିଜେପି କର୍ମୀ ରାଲିରେ ବାହାରି ଡିଆଇଜି କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ଥିଲେ। କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିବା ବେଳେ ପୁଲିସ ସେମାନଙ୍କୁ ବାଧା ଦେଇଥିଲେ। ବେଶ୍‌ କିଛି ସମୟ ଧରି ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ବିଜେପିର ଘେରାଉକୁ ଦୃଷ୍ଟିରେ ରଖି ଡିଆଇଜି ଅଫିସ ଅଂଚଳର ପୁଲିସ ଛାଉଣିରେ ପରିଣତ ହୋଇଥିଲା।

ମମିତାଙ୍କୁ ନ୍ୟାୟ ପାଇଁ ଦୀପଟିଏ ଜାଳିବାକୁ ନିବେଦନ କଲା ବିଜେପି

ଭୁବନେଶ୍ବର: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ୨୫ଦିନ ବିତିଯାଇଥିଲେ ହେଁ ପୀଡ଼ିତା ପରିବାରକୁ ନ୍ୟାୟ ମିଳିନି। ତେଣୁ ମମିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ସମସ୍ତେ ଦୀପାବଳି ଦିନ ଗୋଟିଏ ଲେଖାଏ ଦୀପ ଜାଳିବାକୁ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଅନୁରୋଧ କରିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ବିଜେଡି ଶାସନରେ ମହିଳା ବିପଦରେ। ଏନ୍‌ସିଆର୍‌ବି-୨୦୨୦ ରିପୋର୍ଟ ଅନୁଯାୟୀ ରାଜ୍ୟରେ ମହିଳା ହିଂସା ଓ ନିର୍ଯାତନା କ୍ରମାଗତ ଭାବେ ବୃଦ୍ଧି ପାଇଚାଲିଛି। ନାରୀ ଅପହରଣ, ଦୁଷ୍କର୍ମ, ବଳାତ୍କାର, ନିଖୋଜ, ଏସିଡ୍‌ ଆକ୍ରମଣ, ସାଇବର ଅପରାଧରେ ଓଡ଼ିଶା ସମଗ୍ର ଦେଶରେ ଆଜି ପ୍ରଥମ ସ୍ଥାନ ଅଧିକାର କରିଛି। ଯାହାକି ଆମ ସମସ୍ତଙ୍କ ପାଇଁ ଲଜ୍ଜା ଓ ଚିନ୍ତାର କାରଣ। ରାଜ୍ୟରେ ପ୍ରତିଦିନ ହାରାହାରି ୬ଟି ଦୁଷ୍କର୍ମ ଓ ୯ଟି ଅପହରଣ ହେଉଛି। ହିଂସାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କର କୌଣସି ଆନ୍ତରିକତା ନାହିଁ। ବରଂ ଶାସକ ବିଜେଡିର ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ମହିଳା ହିଂସା ବୃଦ୍ଧି ପାଉଥିବା ବେଳେ ଏହି କାରଣରୁ ଦଣ୍ଡବିଧାନ ହାର ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଇଚାଲିଛି। ସେହିପରି ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା କାରଣରୁ ଗତ ୫ବର୍ଷରେ ରାଜ୍ୟରେ ୨୭ହଜାର ଶିଶୁ ନିଖୋଜ ଘଟଣା ମଧ୍ୟ ଚିନ୍ତାର କାରଣ ସାଜିଛି। ଓଡ଼ିଶାରେ ବିଜେଡି ଶାସନରେ ମହିଳାମାନେ ବିପଦରେ ଅଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀ‌ରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ଓ ମୁଖପାତ୍ର ଠାକୁର ରଣଜିତ୍‌ ଦାସ ଉପସ୍ଥିତ ଥିଲେ।

ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ପୁଣି ଟାର୍ଗେଟ୍‌ କଲା କଂଗ୍ରେସ ‘ନିର୍ଦ୍ଦୋଷ ପ୍ରମାଣିତ ନ ହେଲା ଯାଏ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦିଅନ୍ତୁ’

ଭୁବନେଶ୍ବର: ମହାଲିଙ୍ଗ ସନ୍‌ସାଇନ୍ କଲେଜର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଙ୍କର ଦେଇଥିବା ବିବୃତ୍ତିର ଜବାବ ରଖିଛି ରାଜ୍ୟ କଂଗ୍ରେସ। ଏଭଳି ଏକ ସ୍ପର୍ଶକାତର ଘଟଣାରେ ମନ୍ତ୍ରୀ ଅଭିଯୋଗରୁ ବଞ୍ଚିବା ପାଇଁ ବାୟୁସେନାର ଦ୍ବାହି ଦେଇଛନ୍ତି। ଯଦି ମନ୍ତ୍ରୀଙ୍କ ଦେହରେ ପ୍ରକୃତରେ ଜଣେ ସୈନିକର ରକ୍ତ ପ୍ରବାହିତ ହେଉଛି ତେବେ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କଲା ଯାଏ ଦିବ୍ୟଶଙ୍କର ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।
କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସାଧାରଣ ସଂପାଦକ ସତ୍ୟପ୍ରକାଶ ନାୟକ କହିଲେ, ମନ୍ତ୍ରୀ ଦିବ୍ୟଶଙ୍କର ହେଉଛନ୍ତି ମହାଲିଙ୍ଗ କଲେଜ ଓ ସନସାଇନ ସ୍କୁଲର ମୁଖ୍ୟ ପୃଷ୍ଠପୋଷକ ଗୋବିନ୍ଦ ସାହୁଙ୍କ ଘନିଷ୍ଠ। ଗୋବିନ୍ଦ ସାହୁ ମଧ୍ୟ ଜୁନାଗଡ଼ ବିଜେଡିରେ ମନ୍ତ୍ରୀଙ୍କ ରାଜନୈତିକ ସହଯୋଗୀ। ପୁଲିସ ହେପାଜତରୁ ଗୋବିନ୍ଦ ଖସିଯିବା ଘଟଣାରେ ମନ୍ତ୍ରୀ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ସହାୟତା କରିଥିବା ଅଭିଯୋଗ ଉଠିଛି। ମହାଲିଙ୍ଗ କଲେଜର ୟୁଟ୍ୟୁବ ଚ୍ୟାନେଲରେ ସଂସ୍ଥାର ମୁଖ୍ୟ ନିଜେ କହୁଛନ୍ତି ଯେ ଦିବ୍ୟଶଙ୍କର ପ୍ରତ୍ୟେକ ମାସରେ ଏହି ସଂସ୍ଥାକୁ ଆସୁଥିଲେ। ଏହାସହ କଲେଜର ସଭାସମିତି ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ନିଜେ ଗେଷ୍ଟ କୋର୍ଡିନେଟର ଭାବେ କାହିଁକି କାର୍ଯ୍ୟ କରୁଥିଲେ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ଯଜ୍ଞେଶ୍ବର ବାବୁ, ମୁଖପାତ୍ର ରଜନୀ ମହାନ୍ତି, ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ ଓ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।

ଅନ୍ୟପକ୍ଷରେ, ମନ୍ତ୍ରୀ ଯଦି ସତ କହୁଛନ୍ତି ତେବେ ନିଜ ମୋବାଇଲ୍ ସରେଣ୍ଡର କରନ୍ତୁ। ତାଙ୍କର କଲ୍‌ ରେକର୍ଡ ଯାଞ୍ଚ ହେଲେ ସତ ଜଣାପଡ଼ିଯିବ ବୋଲି କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଉପସ୍ଥିତିରେ ରାୟପୁରରେ ଗୋବିନ୍ଦ ଓ ମମିତାଙ୍କ ମଧ୍ୟରେ ବୁଝାମଣା ଉଦ୍ୟମ ହୋଇଥିଲା ବୋଲି ସୋମବାର ବିଧାୟକ ଶ୍ରୀ ସାଲୁଜା କହିଥିବାବେଳେ ମନ୍ତ୍ରୀ ଶ୍ରୀ ମିଶ୍ର ଏହାକୁ ହାସ୍ୟାସ୍ପଦ ଓ ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ଏପରିକି ୨୧ରେ ସେ କଣ୍ଟାବାଞ୍ଝିରେ ଥିଲେ ବୋଲି କହିଥିଲେ। ଏହା ଉପରେ ମନ୍ତବ୍ୟ ଦେଇ ଆଜି ଶ୍ରୀ ସାଲୁଜା କହିଛନ୍ତି ଯେ, ମନ୍ତ୍ରୀ ଶ୍ରୀ ମିଶ୍ର କହୁଛନ୍ତି ୨୧ତାରିଖରେ କଣ୍ଟାବାଞ୍ଝିରେ ଥିଲେ। ତେବେ ୨୦ ତାରିଖରେ କେଉଁଠି ଥିଲେ? ଏମିତିରେ କଣ୍ଟାବାଞ୍ଝିରୁ ରାୟପୁର ମାତ୍ର ତିନି ଘଣ୍ଟାର ବାଟ। ଗୋଟିଏ ଦିନରେ ରାୟପୁର ଯିବା ଆସିବାରେ ଅସୁବିଧା ନାହିଁ। ବଡ଼ କଥା ହେଲା ତିନି ଜଣଙ୍କର ମୋବାଇଲ୍ କଲ୍‌ ଡିଟେଲ୍‌ ରେଜିଷ୍ଟର ଯାଞ୍ଚ ହେଉନି। ଗୋବିନ୍ଦ ଠାରୁ ସିନ୍ଦିକେଲା ଥାନାରେ ଦୁଇଟି ମୋବାଇଲ୍ ଜବତ ହୋଇଥିବାବେଳେ ପରେ ତାଙ୍କ ଅଣ୍ଡରୱେୟାରରୁ ଆଉ ଗୋଟେ ମୋବାଇଲ୍ ମିଳିଥିଲା। ସେହି ମୋବାଇଲ୍‌ର କଲ୍‌ ରେକର୍ଡ ଯାଞ୍ଚ ହେଉ। ମନ୍ତ୍ରୀ ବି ତାଙ୍କ ମୋବାଇଲ୍ ସରେଣ୍ଡର କରନ୍ତୁ ଏବଂ ଏହାର କଲ୍‌ ରେକର୍ଡ ଯାଞ୍ଚ ହେଉ। ସେ କାହା ସହ କଥା ହୋଇଥିଲେ କି ନାହିଁ ଜଣାପଡ଼ିଯିବ। ଏହାପରେ ଦୁଧ୍‌ କା ଦୁଧ୍‌ ପାନି କା ପାନି ହୋଇଯିବ ବୋଲି ଶ୍ରୀ ସାଲୁଜା କହିଛନ୍ତି।

 

ସମ୍ବନ୍ଧିତ ଖବର