ମମିତା ମେହେର ହତ୍ୟାକାଣ୍ଡ: ଅଭିଯୁକ୍ତକୁ ଆଇନର ଫାଙ୍କ ଦେଇ ଖସାଇବାକୁ ରଚାଯାଇଛି ନାଟକ, ଅଭିଯୋଗ ଆଣିଲା ରାଜ୍ୟ କଂଗ୍ରେସ

ଭୁବନେଶ୍ବର : ବହୁଚର୍ଚ୍ଚିତ ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ମୁଖ୍ୟ ଅଭିଯୁକ୍ତକୁ ଆଇନର ଫାଙ୍କ ଦେଇ ଖସାଇ ଦେବା ଲାଗି ସମସ୍ତ ବ୍ୟବସ୍ଥା କରାଯାଇଥିବା ଅଭିଯୋଗ ଆଣିଛି ରାଜ୍ୟ କଂଗ୍ରେସ। ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀଙ୍କ ସଲାସୁତରାରେ ଏଭଳି ଉଦ୍ୟମ କରାଯାଇଛି। ଘଟଣା ଘଟିବାର ପ୍ରଥମ ଦିନରୁ ହିଁ ପୁଲିସ ନିଷ୍କ୍ରିୟତା ଜଳ ଜଳ ହୋଇ ବାରି ହୋଇପଡ଼ୁଛି ବୋଲି କହିଛନ୍ତି ରାଜ୍ୟ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର।

ଶନିବାର ଦିନ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମିଶ୍ର କହିଲେ ମମିତା ଘଟଣାରେ ପୁଲିସ ସର୍କୁଲାର ୩୪୩/୨୦୧୩ର ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ସର୍କୁଲାର କହୁଛି ମହିଳାଙ୍କ ବିରୋଧରେ କୌଣସି ନିର୍ଯାତନା ଘଟିଲେ ସଂପୃକ୍ତ ମହିଳା କିମ୍ବା ତାଙ୍କ ପରିବାର ରାଜ୍ୟର ଯେ କୌଣସି ଥାନାରେ ଅଭିଯୋଗ କରିପାରିବେ। ପରବର୍ତୀ ସମୟରେ ସଂପୃକ୍ତ ଥାନା ଅଧିକାରୀ ଉକ୍ତ ଏତଲାକୁ ପଞ୍ଜୀକରଣ କରିବା ପାଇଁ ଯେଉଁ ଥାନା ଅଞ୍ଚଳରେ ଘଟଣା ଘଟିଛି ସେହି ଥାନାକୁ ସ୍ଥାନାନ୍ତର କରିବେ। ମାତ୍ର ମମିତା ନିଖୋଜ ହେବା ପରଠାରୁ ପୁଲିସ ପୀଡ଼ିତାଙ୍କ ପରିବାରର ନିଖୋଜ ସୂଚନା ଅଧାରରେ କେ ନୂଆଗାଁ ଓ ସିନ୍ଧେକାଲା ପୁଲିସ ଯେଉଁଭଳି ପଦକ୍ଷେପ ଗ୍ରହଣ କରିବା କଥା ତାହା କରି ନାହାନ୍ତି। ସଂପୃକ୍ତ ଦୁଇ ଥାନା ପରିବାରର ମୌଖିକ ସୂଚନାକୁ ଆମ ଥାନା ଅଞ୍ଚଳର ନୁହେଁ କହି ଏଡ଼ାଇ ଦେଇଥିଲେ। ୧୩ତାରିଖରେ ପୁଲିସ ଏଫ୍‌ଆଇଆର ପଞ୍ଜୀକରଣ କରିବା ପରେ ୧୪ତାରିଖରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ପୁଲିସ ଅଟକ ରଖିଥିଲା। ମାତ୍ର ଭାରତୀୟ ଏଭିଡେନ୍‌ସ ଆଇନର ଧାରା ୨୭ରେ ଲିଡିଂ ଟୁ ଡିସ୍‌କଭରିକୁ ଏଡ଼ାଇବା ଲାଗି ଅଭିଯୁକ୍ତକୁ ଆଇନର ଫାଙ୍କ ଦେଇ ଖସିବା ପାଇଁ ସୁଯୋଗ ଦିଆଗଲା। ହେଲେ ୧୯ତାରିଖରେ ମମିତାଙ୍କ ମୃତଦେହ ମିଳିବା ପରେ ପୁଲିସ ପୁଣିଥରେ ଗୋବିନ୍ଦକୁ ଗିରଫ କରିଥିଲା।

ଏହି ସମସ୍ତ ଘଟଣା ଗୃହ ରାଜ୍ୟ ମନ୍ତ୍ରୀ, ରାଜ୍ୟ ପୁଲିସ ମୁଖ୍ୟ ଓ ତଦନ୍ତକାରୀ ଡିଆଇଜି ଓ ଦୁଇ ଜିଲ୍ଲାର ଏସ୍‌ପି ଅଭିଯୁକ୍ତର ମୁହଁରେ ଯେପରି ମନ୍ତ୍ରୀଙ୍କ ନାଁ ନ ଆସେ ସେଥିପାଇଁ ଖସେଇଦେବାର ନାଟକ ରଚିଛନ୍ତି। ତେଣୁ ଏଭଳି ଏକ ସ୍ପର୍ଶକାତର ଘଟଣାରେ ତଦନ୍ତରେ ସ୍ବଚ୍ଛତା ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ନିଜ ପଦରୁ ଇସ୍ତଫା ଦିଅନ୍ତୁ। ନଚେତ୍ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ସାମ୍ନାକୁ ଆସି ଦିବ୍ୟଶଙ୍କରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଶୁଭଶ୍ରୀ ପଣ୍ଡା, ରଶ୍ମି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର