ମମିତା ମେହେର ହତ୍ୟା ମାମଲା: ପେନ୍‌ଡ୍ରାଇଭ୍‌କୁ ନେଇ ପ୍ରଶ୍ନ ଉଠାଇଲେ ସାଲୁଜା

ପରୀକ୍ଷା ହେବ ଅଭିଯୁକ୍ତ ଗୋବିନ୍ଦର ଦସ୍ତଖତ
କୋର୍ଟରେ ଆବେଦନ କଲା ପୁଲିସ, ୨୪ରେ ଶୁଣାଣି
ଆଉ ଜଣେ ଛାତ୍ରୀଙ୍କ ୧୬୪ ବୟାନ ରେକର୍ଡ

ବଲାଙ୍ଗୀର : ମମିତା ମେହେର ହତ୍ୟା ମାମଲାର ଅଭିଯୁକ୍ତ ଗୋବିନ୍ଦ ସାହୁର ଦସ୍ତଖତ ପରୀକ୍ଷା କରିବାକୁ ବଙ୍ଗୋମୁଣ୍ଡା ଜେଏମ୍‌ଏଫ୍‌ସି କୋର୍ଟରେ ପୁଲିସ ଆବେଦନ କରିଛି। ଗତ ଶନିବାର ଏ ନେଇ ପ୍ରାଥମିକ ଶୁଣାଣି ବି କୋର୍ଟରେ ହୋଇଥିଲା ଏବଂ ଉଭୟ ପକ୍ଷର ଓକିଲ ଯୁକ୍ତି ଉପସ୍ଥାପନ କରିଥିଲେ। ଯୁକ୍ତି ଶୁଣିବା ପରେ ଆସନ୍ତା ୨୪ ତାରିଖ ଗୋବିନ୍ଦର ଦସ୍ତଖତ ପରୀକ୍ଷା ନେଇ ଶୁଣାଣି ହେବ ବୋଲି ଓକିଲ ମୋହନଲାଲ ଶର୍ମା ସୂଚନା ଦେଇଛନ୍ତି।

ପୁଲିସ ଦସ୍ତଖତ ପରୀକ୍ଷା କାହିଁକି କରିବ, ସେ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଛି। ପୁଲିସ ମହାଲିଙ୍ଗ ସନ୍‌ସାଇନ ପବ୍ଲିକ ସ୍କୁଲରୁ ଜବତ କରିଥିବା କାଗଜପତ୍ରରେ ଗୋବିନ୍ଦର ଦସ୍ତଖତ ରହିଥିବ। ତେଣୁ ଦସ୍ତଖତକୁ ପରୀକ୍ଷା କରି ଗୋବିନ୍ଦ ହିଁ ସ୍କୁଲର ସବୁ ପରିଚାଳନା କରୁଥିଲେ, ସେ ନେଇ ପ୍ରମାଣ ସଂଗ୍ରହ କରିବାକୁ ପୁଲିସ ଏଭଳି ପଦକ୍ଷେପ ନେଉଥାଇପାରେ ବୋଲି ଆଇନଜ୍ଞ ମତ ଦେଉଛନ୍ତି। ଏହାରି ଭିତରେ ପୁଲିସ ତଦନ୍ତର ଅଗ୍ରଗତି ନେଇ କୌଣସି ସୂଚନା ଗଣମାଧ୍ୟମକୁ ଦେଉନଥିଲେ ବି ମୋଟ୍‌ ୧୧ ଜଣଙ୍କ ୧୬୪ ବୟାନ ରେକର୍ଡ କରିଥିବା ଜଣାପଡ଼ିଛି। ପୂର୍ବରୁ ୧୦ ଜଣଙ୍କ ୧୬୪ ବୟାନ ରେକର୍ଡ କରାଯାଇଥିବା ନେଇ ଡିଆଇଜି ସୂଚନା ଦେଇଥିଲେ। ଏବେ ଆଉ ଜଣେ ଛାତ୍ରୀଙ୍କ ମଧ୍ୟ ୧୬୪ ବୟାନ ରେକର୍ଡ କରାଯାଇଛି। ମୋଟ୍‌ ୧୧ ଜଣଙ୍କ ଭିତରୁ ୨ ଜଣ ଛାତ୍ରୀଙ୍କ ୧୬୪ ବୟାନ ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ, ପେନ୍‌ଡ୍ରାଇଭ୍‌କୁ ନେଇ ପ୍ରଶ୍ନ ଉଠାଇଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା। ମମିତାଙ୍କ ବାପା ସୁଚନ୍ଦ୍ର ମେହେର ମୂଳତଃ ତଥା ମମିତା ନିଖୋଜ ପରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଥିଲେ। ହଷ୍ଟେଲରେ ଚାଲିଥିବା ସେକ୍ସ ସ୍କାଣ୍ଡାଲକୁ ନେଇ ମମିତା ପାଖରେ ପେନ୍‌ଡ୍ରାଇଭରେ ଭିଡିଓ ଥିବା ସୂଚନା ଦେଇଥିଲେ। ପୁଲିସର ଏତେ ଦିନ ତଦନ୍ତ ପରେ ବି କୁଆଡ଼େ ଗଲା ସେହି ପେନଡ୍ରାଇଭ? ଏହିଭଳି ପ୍ରଶ୍ନ ଉଠାଇ ବିଧାୟକ ଶ୍ରୀ ସାଲୁଜା କହିଛନ୍ତି, ‘ ପୁଲିସ ମମିତା ବ୍ୟବହାର କରୁଥିବା ଲାପ୍‌ଟପ୍‌ ଓ ଏକ ପୁରୁଣା ମୋବାଇଲ ତାଙ୍କ ଘରୁ ଜବତ କରିଥିଲା। ଘର ଲୋକଙ୍କୁ ସିଜର ଲିଷ୍ଟ ବି ଦେଇଥିଲା।’ ‘ ହେଲେ ସେହି ଲାପ୍‌ଟପ୍‌ ଓ ମୋବାଇଲରୁ ପୁଲିସକୁ କ’ଣ ମିଳିଲା? ମୋବାଇଲର ସିଡିଆର୍‌ ମଗାଯାଇଛି କି? ଏଥିରେ ପୁଲିସକୁ କ’ଣ ସବୁ ମିଳିଛି? ପେନଡ୍ରାଇଭ ସିଜର ଲିଷ୍ଟରେ ନାହିଁ କେମିତି? ଘଟଣା ଏତେ ସମ୍ବେଦନଶୀଳ ହୋଇଥିଲେ ବି ପୁଲିସ କାହିଁକି କିଛି କହୁନି,’ ବୋଲି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର