ଏସ୍‌ଆଇଟି ଗଠନ ହେଲେ ତଦନ୍ତ ଠିକ୍‌ ଭାବେ ହେବ ନାହିଁ: ବିଜେପି
ହାଇକୋର୍ଟଙ୍କ ଉପରେ ଓଡ଼ିଶା ବିଜେପିର ଭରସା ନାହିଁ: ବିଜେଡି

Advertisment

ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ଏସ୍‌ଆଇଟି ତଦନ୍ତ ହେଲେ ପରୀ, କୁନ୍ଦୁଲି ମାମଲା ଭଳି କିଛି ସୁଫଳ ମିଳିବନି। ତେଣୁ ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ଆଜି ବିଜେପି କହିଛି। ଏହାର ଜବାବ୍ ଦେଇ ବିଜେଡି କହିଛି ଯେ ହାଇକୋର୍ଟଙ୍କ ଉପରେ ବିଜେପିର ଭରସା ନାହିଁ। ତେଣୁ ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ମନ୍ତବ୍ୟ ଦିଆଯାଉଛି। ମମିତା ମେହେର ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବିକୁ ନେଇ ଆଜି ଏହିଭଳି ଭାବେ ବିଜେପି-ବିଜେଡି ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଛି।

ବୁଧବାର ଦିନ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଦୋଷ ଘୋଡ଼ାଇବା ପାଇଁ ରାଜ୍ୟ ସରକାର ମୂଳରୁ ଷଡଯନ୍ତ୍ର କରିଛନ୍ତି। ମାନ୍ୟବର କୋର୍ଟ ସର୍ବମାନ୍ୟ ଓ ବିଚାର ବିଭାଗ ଉପରେ ଆମର ପୂର୍ଣ୍ଣ ବିଶ୍ବାସ ଅଛି। କିନ୍ତୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ ମୂଳରୁ ମନ୍ଦ। ଯେପରି ପରୀ ଓ କୁନ୍ଦୁଲି ମାମଲାରେ ଏସ୍‌ଆଇଟି ଗଠନ କରି ରାଜ୍ୟ ସରକାର ତଦନ୍ତକୁ ତାଙ୍କ ଇଚ୍ଛା ଅନୁଯାୟୀ ନେଇଥିଲେ ଏବେ ମମିତା ଘଟଣାରେ ସେହିପରି ହୋଇପାରେ। ରାଜ୍ୟ ସରକାର ବିରୋଧୀଙ୍କ ଚାପରେ ଆସି କେବଳ ଏସ୍‌ଆଇଟି ଗଠନ କରୁଛନ୍ତି, କିନ୍ତୁ ଫଳ ଶୂନ। ରାଜ୍ୟ ସରକାର ଜାଣିଶୁଣି ନିଜ ଅନୁଗତ ପୁଲିସ ବାବୁଙ୍କୁ ଏସ୍‌ଆଇଟିର ନେତୃତ୍ବ ନେବାକୁ ଦେଉଛନ୍ତି। ଯେଉଁମାନେ କି ମନ୍ତ୍ରୀ ଓ ନେତାଙ୍କ ସମ୍ପୃକ୍ତିକୁ ଘଣ୍ଟ ଘୋଡ଼ାଇବା ପାଇଁ କଳ, ବଳ, କୌଶଳ ସବୁ ବ୍ୟବହାର କରୁଛନ୍ତି। ମମିତା ହତ୍ୟା ମାମଲାରେ ମଧ୍ୟ ଏକ ଯୋଜନାର ଅଙ୍ଗ ଭାବରେ କେବଳ ରାଧେକୁ ଅପରାଧ ଓ ଅପରାଧୀର ସହଯୋଗ ଦେଖାଇ ଅପରାଧ ପଛର ଷଡଯନ୍ତ୍ରକାରୀଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ କାମ କରୁଛନ୍ତି। ମମିତା ମାମଲାରେ ତଦନ୍ତ ତଦାରଖ କରିବା ପାଇଁ ହାଇକୋର୍ଟ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏ.ବି.ଏସ୍‌ ନାଇଡୁଙ୍କୁ ନିଯୁକ୍ତି କରିବା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ପୂର୍ବ ତଦନ୍ତକାରୀ ସଂସ୍ଥା ମିଛ ତଦନ୍ତ ଓ ଭ୍ରମିତ ତଥ୍ୟ ପ୍ରମାଣ ଦେଇ ପ୍ରକୃତ ତଦନ୍ତକୁ ବାଟବଣା କରିବାର ଯଥେଷ୍ଟ ସମ୍ଭାବନା ଅଛି।

ଏସ୍‌ଆଇଟି ଗଠନ ହେଲେ ମଧ୍ୟ ପୂର୍ବ ମାମଲାଗୁଡ଼ିକ ପରି କୌଣସି ସୁଫଳ ମିଳିବ ନାହିଁ। ଏପରି ପରିସ୍ଥିତିରେ ସିବିଆଇ ତଦନ୍ତ ଉପଯୁକ୍ତ ହେବ। ରାଜ୍ୟ ସରକାର ତୁରନ୍ତ ଏହା କହି ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଜେପି ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ନାଉରୀ ନାୟକ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ମୁକେଶ ମହାଲିଙ୍ଗ, ଶଙ୍କର ଓରାମ, କୁସୁମ ଟେଟେ, ସନାତନ ବିଜୁଳି, ନିତ୍ୟାନନ୍ଦ ଗଣ୍ଡ, ଭବାନୀ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।

ଏହାର ଜବାବ୍ ଦେଇ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ଯେ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ବିଜେପି ବିଧାୟକ ମୋହନ ମାଝୀ ସାମ୍ବାଦିକ ସମ୍ମିଳନୀରେ ଯାହା କହିଛନ୍ତି ତାହା ଅନ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଓ ଲଜ୍ଜାଜନକ। ଉଚ୍ଚ ନ୍ୟାୟାଳୟ ଦ୍ବାରା ତଦାରଖ ହେଲେ ତଦନ୍ତରୁ ନ୍ୟାୟ ମିଳିବ ନାହିଁ ଦର୍ଶାଇ ସେ ସିବିଆଇ ତଦନ୍ତ ଦାବି କରିଛନ୍ତି। ଏଥିରୁ ଜଣାପଡ଼ୁଛି ଯେ ବିଜେପି ନ୍ୟାୟାଳୟ ଅପେକ୍ଷା ସିବିଆଇ ଉପରେ ଅଧିକ ଭରସା କରୁଛି। ଉଚ୍ଚ ନ୍ୟାୟାଳୟର ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠାଇ ଶ୍ରୀ ମାଝୀ ମାନ୍ୟବର ଅଦାଲତଙ୍କ ଅବମାନନା ମଧ୍ୟ କରିଛନ୍ତି। କେବଳ ସେତିକି ନୁହେଁ, ମମିତାଙ୍କ ପିତାମାତା ନ‌ିଜେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ମମିତାଙ୍କ ଚରିତ୍ର ସଂହାର ନକରିବାକୁ ଏବଂ ଏହି ପ୍ରସଙ୍ଗରେ ରାଜନୀତି ନକରିବାକୁ ରାଜନୈତିକ ଦଳଗୁଡ଼ିକୁ ନିବେଦନ କରିଥିଲେ। ମାତ୍ର ବିଜେପି ହୀନ ରାଜନୀତି କରିବାକୁ ଯାଇ ଏତେ ତଳକୁ ଖସିଯାଇଛି ଯେ ସଂକୀର୍ଣ୍ଣ ରାଜନୈତିକ ସ୍ବାର୍ଥ ପୂରଣ ଲାଗି ବାରମ୍ବାର ଏହି ପ୍ରସଙ୍ଗର ରାଜନୀତିକରଣ କରି ମମିତାଙ୍କ ପରିବାରକୁ ମାନସିକ ଆଘାତ ଦେଇ ଚାଲିଛି। ଏଥିପାଇଁ ରାଜ୍ୟବାସୀ ରାଜ୍ୟ ବିଜେପିକୁ କେବେ କ୍ଷମା ଦେବେ ‌ନାହିଁ। ଶ୍ରୀ ମହାନ୍ତି କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ନିବେଦନକ୍ରମେ ମମିତା ମେହେରଙ୍କ ହତ୍ୟା ମାମଲାର ତଦନ୍ତକୁ ତଦାରଖ କରିବା ପାଇଁ ଗତକାଲି ମାନ୍ୟବର ହାଇକୋର୍ଟ ଜଣେ ଅବସରପ୍ରାପ୍ତ ଜିଲ୍ଲା ଜଜ୍‌ଙ୍କୁ ନିଯୁକ୍ତ କରିଛନ୍ତି। ଏହା ଫଳରେ ପୁଲିସର ତଦନ୍ତ ଉପରେ ଅଙ୍ଗୁଳି ଉଠିବ ନାହିଁ ଏବଂ ଅସଲ ଦୋଷୀ ଖସି ପାରିବ ନାହିଁ। ମାତ୍ର ଉଚ୍ଚ ନ୍ୟାୟାଳୟଙ୍କ ଏହି ନିଷ୍ପତ୍ତି ଉପରେ ଆଜି ବି‌େଜପି ପକ୍ଷରୁ ଯେଉଁଭଳି ପ୍ରତିକ୍ରିୟା ପ୍ରକାଶ ପା‌ଇଛି ସେଥିରୁ ଜଣାପଡ଼ୁଛି ନ୍ୟାୟ ବ୍ୟବସ୍ଥା ଉପରେ ବି‌େଜପିର ଭରସା ନାହିଁ।