ମମିତା ମେହେର ହତ୍ୟା ମାମଲା: ଜାମିନରେ ବାହାରିଲା ଗୋବିନ୍ଦ ସାହୁ

କଣ୍ଟାବାଞ୍ଜି: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ ସ୍କୁଲ୍‌ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଶୁକ୍ରବାର ଜାମିନରେ ବାହାରିଛି। ଗତ ୨୯ତାରିଖ ଦିନ ହାଇକୋର୍ଟ ତାକୁ ୧୪ ଦିନିଆ ଅନ୍ତରୀଣ ଜାମିନ ଦେଇଥିଲେ। ସେହିଅନୁସାରେ ଶୁକ୍ରବାର କଡ଼ା ସୁରକ୍ଷା ବଳୟରେ ଗୋବିନ୍ଦକୁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ହାଜର କରାଯିବା ପରେ ଜେଲ୍‌ ହାଜତରୁ ଘରକୁ ଯାଇଥି‌ଲା।

ସୁଚନାଯୋଗ୍ୟ, ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଏବଂ ତା’ର ସହଯୋଗୀ ରାଧେଶ୍ୟାମ ଚଣ୍ଡି କଣ୍ଟାବାଞ୍ଜି ଉପକାରଗାରରେ ବିଚାରାଧୀନ କଏଦୀ ଭାବେ ରହିଥିଲେ। ଗୋବିନ୍ଦର ଓକିଲ ଦୁର୍ଗାନନ୍ଦ ପାଢ଼ୀ ଗୋବିନ୍ଦର ସ୍ତ୍ରୀ ଏବଂ ଝିଅଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନଥିବା ଦର୍ଶାଇ ଜାମିନ ଆବେଦନ କରିଥିଲେ। ଶୁକ୍ରବାର ଓକିଲ ଶ୍ରୀ ପାଢ଼ୀ ହାଇକୋର୍ଟ ଦେଇଥିବା ଜାମିନ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଦାଖଲ କରିଥିଲେ। ଏହାକୁ ନେଇ ମାନ୍ୟବର ଅଦାଲତ ବିଭିନ୍ନ ସର୍ତ୍ତ  ଏବଂ ୫୦ ହଜାରର ଦୁଇଟି ଜମାନତରେ ଗୋବିନ୍ଦକୁ ଜାମିନରେ ଛାଡ଼ିଛନ୍ତି। ଏ ନେଇ ଗୋବିନ୍ଦର ଓକିଲ ଶ୍ରୀ ପାଢ଼ୀ କହିଛନ୍ତି ଯେ, ମାନ୍ୟବର ହାଇକୋର୍ଟ ୮ଟି ସର୍ତ୍ତ ରଖିଛନ୍ତି। ସେଥିରେ ତଦାରଖ କରୁଥିବା ପୁଲିସ ଅଧିକାରୀ ପାଖରେ ଗୋବିନ୍ଦ ପ୍ରତିଦିନ ହାଜର ହେବ। ନିଜ ଅଞ୍ଚଳରେ ହିଁ ରହିବ। ଗଣମାଧ୍ୟମ ଆଗରେ ମୁହଁ ଖୋଲିବ ନାହିଁ ଆଦି ରହିଛି। ଅନ୍ୟପକ୍ଷରେ ଗୋବିନ୍ଦର ସହଯୋଗୀ ରାଧେଶ୍ୟାମ ଚଣ୍ଡିର ଜାମିନ୍ ଖାରଜ ହେବାରୁ ସେ ବିଚାର ବିଭାଗୀୟ ହାଜତରେ ରହିଛି।

ସମ୍ବନ୍ଧିତ ଖବର