କଣ୍ଟାବାଞ୍ଜି: ମମିତା ମେହେର ହତ୍ୟା ମାମଲାରେ ଶୁକ୍ରବାର କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତା’ର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ହାଜର ହେବାର ଥିଲା। ତେବେ କେବଳ ସହଯୋଗୀ ରାଧେଶ୍ୟାମ ଚଣ୍ଡୀ ହାଜର ହୋଇଥିବା ସୂଚନା ମିଳିଛି। ଗୋବିନ୍ଦ ଜେଲ ହାଜତରେ ଗତ ଦୁଇଦିନ ହେଲା ଅସୁସ୍ଥ ଥିବା ଜଣାପଡ଼ିଛି।

Advertisment

ସୂଚନାଯୋଗ୍ୟ ଯେ ଗତ ୨୨ ତାରିଖ ଦିନ ରାଧେଶ୍ୟାମର ଓକିଲ ଦୁର୍ଗାପ୍ରସାଦ ପାଢ଼ୀ ଜାମିନ ଆବେଦନ କରିଥିଲେ। ଏହାର ଶୁଣାଣି କରି ଅଦାଲତ ଜାମିନ ଆବେଦନ ଖାରଜ କରିଥିଲେ। କଣ୍ଟାବାଞ୍ଜି ଉପକାରାଗାରରେ ଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ମଧ୍ୟ ଶୁଣାଣି ଶୁକ୍ରବାର ଥିଲା। ଅସୁସ୍ଥତା ଯୋଗୁ ସେ ଅଦାଲତରେ ହାଜର ହୋଇନଥିବା ଜଣାପଡ଼ିଛି। ଗୋବିନ୍ଦ ଗତ ଦୁଇଦିନ ହେଲା ଜ୍ୱରରେ ଆକ୍ରାନ୍ତ ଥିବା ବିଷୟରେ ଜେଲର୍‌ ବିକାଶଲତା ବାରୁ କହିଛନ୍ତି। ଅଭିଯୁକ୍ତ ଗୋବିନ୍ଦର ମଧୁମେହ ଥିବା ଓ ଏଥିପ‌ାଇଁ ମଧ୍ୟ ସେ ଔଷଧ ସେବନ କରୁଥିବା ସେ ସୂଚନା ଦେଇଛନ୍ତି। ଏଡିଜେ କୋର୍ଟରେ ଆସନ୍ତା ମାସ ୮ତାରିଖ ଦିନ ଚାର୍ଜଫ୍ରେମ୍ ହେଲା ପରେ ତାର ଟ୍ରାଏଲ ପାଇଁ ତାରିଖ ନିର୍ଦ୍ଧାରଣ କରାଯିବ ବୋଲି ସରକାରୀ ଓକିଲ ସୂଚନା ଦେଇଛନ୍ତି।