ମମିତା ମେହେର ହତ୍ୟାକାଣ୍ଡ: ହାଇକୋର୍ଟରୁ ଜନସ୍ବାର୍ଥ ମାମଲା ପ୍ରତ୍ୟାହୃତ

କଟକ: ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ସିବିଆଇ ତଦନ୍ତ ପ୍ରସଂଗ ନେଇ ଦାୟର ଜନସ୍ବାର୍ଥ ମାମଲା ହାଇକୋର୍ଟରୁ ପ୍ରତ୍ୟାହାର ହୋଇଛି। ବିଜୟ କୁମାର ଦୀକ୍ଷିତଙ୍କ ପକ୍ଷରୁ ଏହି ମାମଲା ରୁଜୁ ହୋଇଥିବାବେଳେ ଏହାକୁ କଂଗ୍ରେସ ବିଧାୟକ ‌ଦଳର ନେତା ତଥା ବରିଷ୍ଠ ଆଇନଜୀବୀ ନରସିଂହ ମିଶ୍ର ପରିଚାଳନା କରୁଥିଲେ।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.‌କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ଯେ ଏହି ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି। ତଦନ୍ତ ପରେ ଅଦାଲତରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ମଧ୍ୟ ଦାଖଲ ହୋଇସାରିଛି। ତଦନ୍ତକୁ ନେଇ ଯଦି ଆବେଦନକାରୀ ସନ୍ତୁଷ୍ଟ ନୁହନ୍ତି, ତେବେ ଆଇନ ଅନୁସାରେ ନିମ୍ନ ଅଦାଲତରେ ଆବେଦନ କରିପାରିବେ ବୋଲି ହାଇକୋର୍ଟ କହିଥିଲେ। ଏଭଳି ସ୍ଥିତିରେ ଆବେଦନକାରୀ ହାଇକୋର୍ଟରୁ ମାମଲା ପ୍ରତ୍ୟାହାର ପାଇଁ ଅନୁମତି ଲୋଡ଼ିଥିଲେ। ହାଇକୋର୍ଟ ଏଥିପାଇଁ ଅନୁମତି ଦେବାସହିତ ବିଜୟ କୁମାର ଦୀକ୍ଷିତଙ୍କ ଏ ସଂପର୍କିତ ଆବେଦନର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ।

ସମ୍ବନ୍ଧିତ ଖବର