ମୁହଁ ଖୋଲିଲେନି କି ଗଲେନି
ନିଲମ୍ବିତ ଇନ୍ସପେକ୍ଟରଙ୍କ ବିରୋଧରେ ମାମଲା କେବେ?
ମମିତା ହତ୍ୟାକାଣ୍ଡ କ’ଣ ଏତେ ଗୁରୁତ୍ବହୀନ?
ଭୁବନେଶ୍ୱର : ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଅପହରଣ ପରେ ହତ୍ୟା କରାଯିବା, ପୋଡ଼ିବା ଓ ଗାତ ଖୋଳି ପୋତିଦେବା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ସେତେବେଳେ ବେଶୀ ଚର୍ଚ୍ଚାକୁ ଆସିଲା ଯେତେବେଳେ ଅଭିଯୁକ୍ତ ଗୋବିନ୍ଦ ସାହୁ ପୁଲିସ ହେପାଜତରୁ ଫେରାର ହୋଇଗଲା। ଆଉ ଏକ ଚାଞ୍ଚଲ୍ୟକର ଘଟଣା ହେଲା ଗୋବିନ୍ଦ ସାହୁ ନିଜେ ମମିତା ନିଖୋଜ ଏତଲା ଲେଖି ଥାନାରେ ଉପସ୍ଥିତ ରହିବା ଓ କେଗାଁ ଥାନା ଆଇଆଇସି ଅଭିଯୋଗକାରୀ ପରିବାର ଲୋକଙ୍କୁ ଫେରାଇ ଦେବା। ଏହି ସମଗ୍ର ଘଟଣାରେ ପୁଲିସର ଅବହେଳା, ଦାୟିତ୍ବହୀନତା ଓ ଗୋବିନ୍ଦ କଥାରେ ଆଇଆଇସି ପରିଚାଳିତ ହେବା ଭଳି ବଡ଼ ଷଡଯନ୍ତ୍ରକୁ ପଦାକୁ ଆଣିଛି। ହେଲେ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଓ ସ୍ପର୍ଶକାତର ଘଟଣାରେ କିନ୍ତୁ ପୁଲିସ ଡିଜି ଅଭୟ ଏଯାଏ ମୁହଁ ଖୋଲି ନାହାନ୍ତି। ଏପରିକି ସମ୍ପୃକ୍ତ ଜିଲ୍ଲାକୁ ମଧ୍ୟ ଯାଇ ନାହାନ୍ତି। କେବଳ କେଗାଁ ଆଇଆଇସିଙ୍କୁ ନିଲମ୍ବିତ କରାଯାଇଛି।
ଗୋବିନ୍ଦ କଥାରେ ଆଇଆଇସି ମମିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ନ ରଖି ଫେରାଇ ଦେଇଥିଲେ। ଏଥିରେ ତାଙ୍କୁ ନିଲମ୍ବିତ କରାଗଲା। କିନ୍ତୁ ଗୋବିନ୍ଦ ସହ ହାତ ମିଳାଇଥିବା ଆଇଆଇସି ଷଡଯନ୍ତ୍ରରେ ସାମିଲ ଓ ପ୍ରମାଣ ନଷ୍ଟରେ ହାତ ରହିଥିବା ଅଭିଯୋଗ ହୋଇଛି। ଅଥଚ ତାଙ୍କ ବିରୋଧରେ ଏଯାଏ ଅପରାଧ ମାମଲା ରୁଜୁ ହେଲାନି କି ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲା ନାହିଁ। ଏ ଦିଗରେ ପୁଲିସ ପଚରାଉଚରା ମଧ୍ୟ କରି ନାହିଁ। ତିନିଦିନ ଧରି ପରିବାର ଲୋକ ଝିଅ ନିଖୋଜ ସଂକ୍ରାନ୍ତରେ ସିନ୍ଧେକେଲା ଥାନାକୁ ଅଭିଯୋଗ କରିବାକୁ ଯିବା ପରେ ଯାଇ ଚତୁର୍ଥ ଦିନରେ ପୁଲିସ ମାମଲା ରୁଜୁ କଲା। ଏକ୍ଷେତ୍ରରେ ବି କାର୍ଯ୍ୟାନୁଷ୍ଠାନ ହେବନାହିଁ?
ମାଓବାଦୀ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଗତ କିଛି ମାସ ମଧ୍ୟ ବେଶ୍ ସଫଳତା ହାସଲ କରିଛି। କୋରାପୁଟ, ମାଲକାନଗିରି ଭଳି ଉପାନ୍ତ ଅଞ୍ଚଳକୁ ଡିଜି ଶ୍ରୀ ଅଭୟଙ୍କ ବାରମ୍ବାର ଗସ୍ତ ପୁଲିସର ମନୋବଳ ବଢ଼ାଇଛି। ତାଙ୍କର ରଣନୀତି ବି ମାଓଗଡ଼କୁ ଭାଙ୍ଗିବାରେ ସହାୟକ ହୋଇଛି। କିନ୍ତୁ ଏତେବଡ଼ ସମ୍ବେଦନଶୀଳ ମାମଲାରେ ଡିଜି ମୁହଁ ନ ଖୋଲିବା ଏକ ଆଲୋଚନାର ବିଷୟ ପାଲଟିଛି। ଉଲ୍ଲେଖଯୋଗ୍ୟ, ଗତକାଲି ପୁଲିସ ମୁଖ୍ୟାଳୟରେ ଗଣମାଧ୍ୟମ ପ୍ରତିନିଧି ଡିଜି ଶ୍ରୀ ଅଭୟଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କିଛି କହି ନ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/cartoon-debashis-29oct.jpg)