ବଲାଙ୍ଗୀର : ଅକ୍ଟୋବର ୮ ତାରିଖ ୨୦୨୧ରେ ଘଟିଥିଲା ମମିତା ହତ୍ୟାକାଣ୍ଡ। ସାରାରାଜ୍ୟ ହୁଲସ୍ତୁଲ ହୋଇଥିଲା। ରାଜରାସ୍ତାକୁ ଓହ୍ଲାଇଥିଲେ ବିରୋଧୀ। ଏହାରି ଭିତରେ ମମିତା ହତ୍ୟା ମାମଲାର ଚାରିମାସ ପୂରିଛି। ଆଉ ଏହି ପ୍ରସଙ୍ଗରେ ପୁଣିଥରେ ବିରୋଧୀ ଗର୍ଜିଛନ୍ତି । ବଲାଙ୍ଗୀର ପୁଲିସ ଚାର୍ଜସିଟ୍ ଦାଖଲ କରିନଥିବାରୁ ସମାଲୋଚନା କରିଛନ୍ତି। ଆଇନ ଅନୁସାରେ, ଆସନ୍ତା ୧୫ ତାରିଖ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ କୋର୍ଟଚାଲାଣ କରିବାର ୧୨୦ ଦିନ ପୂରିବ। ସେହି ସମୟ ଭିତରେ ପୁଲିସ ଚାର୍ଜସିଟ ଦାଖଲ କରିବ। ହାତଗଣତି ଆଉ ୬ ଦିନ। ତା’ଭିତରେ ଚାର୍ଜସିଟ ଦାଖଲ ନକଲେ ମୁଖ୍ୟ ଅଭିଯୁକ୍ତକୁ ଜାମିନ ମିଳିବାର ଯଥେଷ୍ଟ ସମ୍ଭାବନା ଥିବା ଆଇନଜ୍ଞ କହୁଛନ୍ତି। ହେଲେ କ’ଣ ପାଇଁ କଣ୍ଟ ପୂରିବା ଯାଏ ଅପେକ୍ଷା କରିଛି ବଲାଙ୍ଗୀର ପୁଲିସ? ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି।
ଚାର୍ଜସିଟ୍ ଦାଖଲର ନିର୍ଦ୍ଧାରିତ ସମୟସୀମା ସରିସରି ଆସୁଥିବାରୁ ମମତା ମେହେର ହତ୍ୟାଘଟଣା ତାଜା ହୋଇଯାଇଛି। ଏ ସମ୍ପର୍କରେ ଆଇନଜୀବୀ ମଧ୍ୟ ନିର୍ଦ୍ଦିଷ୍ଟ ମତ ରଖିଛନ୍ତି। ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ଓକିଲ ମୋହନଲାଲ ଶର୍ମାଙ୍କ କହିବା କଥା, ଚାର୍ଜସିଟ ଦାଖଲ କରିବା ପାଇଁ ନିର୍ଦ୍ଦିଷ୍ଟ ସମୟସୀମା ନାହିଁ। କିନ୍ତୁ ୧୨୦ ଦିନ ଭିତରେ ଚାର୍ଜସିଟ ଦାଖଲ ନକଲେ ମାମଲା ଆମ ସପକ୍ଷରେ ଯିବ। ସେହିପରି ବରିଷ୍ଠ ଓକିଲ ପ୍ରମୋଦ ମିଶ୍ର କହିଛନ୍ତି, ସିଆର୍ପିସି ଅନୁଯାୟୀ ୧୨୦ ଦିନ ଭିତରେ ପ୍ରାଥମିକ ଚାର୍ଜସିଟ ଦାଖଲ କରି, ଚୂଡ଼ାନ୍ତ ଚାର୍ଜସିଟ ପାଇଁ ସମୟ ନେଇପାରିବ ପୁଲିସ।
ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ହାଇକୋର୍ଟରେ ଜାମିନ ପାଇଁ ଗତ ୬ ତାରିଖ ଅବେଦନ କରିଛି। ତିନି ସପ୍ତାହ ପରେ ଜାମିନ ଆବେଦନ ଶୁଣାଣି ହେବାପାଇଁ ହାଇକୋର୍ଟ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ସୂଚନା ମିଳିଛି। ଏ ନେଇ ବଲାଙ୍ଗୀର ଏସ୍ପି ନିତିନ କୁଶଳକରଙ୍କୁ ପଚାରିବାରୁ ୧୫ ତାରିଖ ୧୨୦ ଦିନ ପୂରିବ। ପୁଲିସ ଠିକ ସମୟରେ ଚାର୍ଜସିଟ ଦାଖଲ କରିବ ବୋଲି ସେ ପ୍ରତିକ୍ରିୟାରେ କହିଛନ୍ତି।
କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା ମଧ୍ୟ ପୁଲିସର ହୁଗୁଳାପଣକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ହତ୍ୟାକାଣ୍ଡର ଚାରିମାସ ପୂରି ଯାଇଥିଲେ ବି ପୁଲିସ ଚାର୍ଜସିଟ ଦେଇନାହିଁ। ଏପରିକି ବହୁଚର୍ଚ୍ଚିତ ସେକ୍ସ ସ୍କାଣ୍ଡାଲ ସଂର୍ପକରେ ତଦନ୍ତ କରିନାହିଁ। ଆଉ କେହି କେହି ସଂପୃକ୍ତି ଥିଲେ ତାର ମଧ୍ୟ ତଦନ୍ତ ହୋଇନାହିଁ। ମନ୍ତ୍ରୀଙ୍କୁ ଛୁଟ୍ ଦିଆଗଲା। ମମିତାଙ୍କୁ କେମିତି ନ୍ୟାୟ ମିଳିବ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।
ଅନ୍ୟପକ୍ଷରେ, ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ବୁଧବାର ଟିଟିଲାଗଡ଼ ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଛି। ଟିଟିଲାଗଡ଼ ଥାନା ପରିସରସ୍ଥିତ ପୁଲିସ ବାରାକ୍ରୁ ଚମ୍ପଟ ମାରିଥିବା ନେଇ ସ୍ଥାନୀୟ ଜେଏମ୍ଏମ୍ସି କୋର୍ଟରେ ମାମଲା ରହିଛି। ବୁଧବାର ଗୋବିନ୍ଦକୁ ବଲାଙ୍ଗୀର ଜିଲ୍ଲା ପୁଲିସ ଏକ ସ୍ବତନ୍ତ୍ର ଭ୍ୟାନରେ ଟିଟିଲାଗଡ଼ ଜେଏମ୍ଏଫ୍ସି କୋର୍ଟକୁ ଆଣିଥିଲା।
ଚାରି ମାସର ଘଟଣାକ୍ରମ
ଅକ୍ଟୋବର ୮ ତାରିଖ ମମିତା ନିଖୋଜ।
ଅକ୍ଟୋବର ୧୩ ତାରିଖ ସିନ୍ଧେକେଲା ଥାନାରେ ଅଭିଯୋଗ ଦାଖଲ।
ଅକ୍ଟୋବର ୧୫ ତାରିଖ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ।
ଅକ୍ଟୋବର ୧୭ ତାରିଖ ଟିଟିଲାଗଡ଼ ପୁଲିସ ବାରାକରୁ ଗୋବିନ୍ଦ ସାହୁ ଫେରାର।
ଅକ୍ଟୋବର ୧୯ ତାରିଖ ମହାଲିଙ୍ଗ ଷ୍ଟାଡିୟମ ଭିତରୁ ମମିତାର ଅର୍ଦ୍ଧଦଗ୍ଧ ଶବ ଜବତ ଓ ସେହିଦିନ ସଂଧ୍ୟାରେ ଆଖୁବାଡ଼ିରୁ ଗୋବିନ୍ଦ ଗିରଫ।
ଅକ୍ଟୋବର ୨୦ ତାରିଖ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦକୁ କୋର୍ଟଚାଲାଣ।