କଟକ : ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ତଦନ୍ତର ଅଗ୍ରଗତି ସଂପର୍କରେ ସରକାର ହାଇକୋର୍ଟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି। ଆଜି ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମମିତାଙ୍କ ବାପା ସୁଚନ୍ଦ୍ର ମେହେର ଓ ଭାଇ ବଣ୍ଟି ମେହେରଙ୍କ ଆବେଦନର ଶୁଣାଣି ସମୟରେ ସରକାରଙ୍କ ତରଫରୁ ମୁଦା ଲଫାପାରେ ତଦନ୍ତର ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଛି। ଆସନ୍ତା ଜାନୁଆରି ୨୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ଗୁରୁବାର ଦିନ ସରକାରଙ୍କ ପକ୍ଷରୁ ଷ୍ଟାଟସ୍ ରିପୋର୍ଟ ଦାଖଲ କରାଯାଇଥିବାବେଳେ ତଦନ୍ତର ତଦାରଖ ପାଇଁ ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଏ.ବି.ଏସ. ନାଇଡୁଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ଏହି ମାମଲାରେ ପକ୍ଷଭୁକ୍ତ ହେବା ପାଇଁ ଭାରତୀୟ ବିକାଶ ପରିଷଦ ଜଗତସିଂହପୁର ଜିଲ୍ଲା ସଭାପତି ସୁବ୍ରତ ଦାଶଙ୍କ ତରଫରୁ ଇଣ୍ଟରଭେନସନ୍ ପିଟିସନ୍ ଦାଖଲ କରାଯାଇଥିଲା। ଏଠାରେ ସୂଚନା ଯୋଗ୍ୟ ଯେ ପୂର୍ବରୁ ଏହି ମାମଲାରେ ପକ୍ଷଭୁକ୍ତ ପାଇଁ କଳାହାଣ୍ଡି ମେହେର ସମାଜ ପକ୍ଷରୁ ଏକ ଇଣ୍ଟରଭେନସନ୍ ପିଟିସନ୍ ଦାଖଲ କରାଯାଇଥିଲା।
ଉଲ୍ଲେଖଯୋଗ୍ୟ ଯେ ମମିତା ମେହେରଙ୍କ ମୃତ୍ୟୁ ଘଟଣା ନେଇ ସିନ୍ଧେକେଲା ଥାନାରେ ରୁଜୁ ମାମଲାର ତଦନ୍ତ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଶେଷ କରାଯାଉ ବୋଲି ଦର୍ଶାଇ ମମିତାଙ୍କ ପରିବାର ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା। ଦାୟର ଆବେଦନରେ ଦର୍ଶାଯାଇଛି ଯେ ମମିତାଙ୍କ ହତ୍ୟା ସଂପର୍କିତ ମାମଲାର ତଦନ୍ତ ଚାଲିଥିବା ବେଳେ ଏହାକୁ ଚାଞ୍ଚଲ୍ୟକର ଘଟଣା ଭାବେ ଗଣମାଧ୍ୟମ ଓ ରାଜନୈତିକ ଦଳ ଦର୍ଶାଉଛନ୍ତି। ଏହି ମାମଲାର ରାଜନୈତିକ ଦଳ ଗୁଡିକ ରାଜନୀତିକରଣ କରିଛନ୍ତି। ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଏ ପର୍ଯ୍ୟନ୍ତ ପୁଲିସ ଚାର୍ଜସିଟ୍ ଦାଖଲ କରିନାହିଁ। ଯଥାଶୀଘ୍ର ଘଟଣାର ତ୍ବରିତ୍ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଉ।
ଏହାଦ୍ବାରା ପୀଡ଼ିତା ତ୍ବରିତ ନ୍ୟାୟ ପାଇ ପାରନ୍ତି ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ରାଜ୍ୟ ଗୃହ ବିଭାଗ, ପୁଲିସ ଡିଜି, ବଲାଙ୍ଗୀର ଏସପି, ଜିଲ୍ଲାପାଳ ଓ ସିନ୍ଧେକେଲା ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି।
ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ ମହାନ୍ତି ଓ ଆଇନଜୀବୀ ସୌମ୍ୟରଂଜନ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।