ମମିତା ମେହେର ହତ୍ୟା ମାମଲାର ପର୍ଦ୍ଦାଫାସ: ମାନିଲା ଗୋବିନ୍ଦ, ହତ୍ୟା କରିଛି

କାର୍‌ରେ ମାରି କାଠବୋର୍ଡ, ଟାୟାର୍‌ରେ ଜାଳିଦେଲା
୫ ଦିନିଆ ରିମାଣ୍ଡରେ ଗୋବିନ୍ଦ ସାହୁ
ଯୋଜନାବଦ୍ଧ ହତ୍ୟାକାଣ୍ଡ: ଡିଆଇଜି
କୋର୍ଟ ସମ୍ମୁଖରେ ଉତ୍ତେଜନା ଓ ଜୋତାମାଡ଼

ବଲାଙ୍ଗୀର/ବଙ୍ଗୋମୁଣ୍ଡା : ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେର (୨୭ବର୍ଷ) ହତ୍ୟା ମାମଲାର ରହସ୍ୟ ଉପରୁ ପରଦା ହଟିଛି। ସ୍କୁଲ ମାଲିକଙ୍କ ଅନୈତିକ କାରନାମାର ପ୍ରମାଣ ମମିତାଙ୍କ ହାତରେ ଲାଗିଥିବାରୁ ତାଙ୍କୁ ରାସ୍ତାରୁ ହଟାଇ ଦିଆଯାଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ସ୍କୁଲ ମାଲିକ ଗୋବିନ୍ଦ ସାହୁ (୫୩ବର୍ଷ) ହିଁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ। ଯୋଜନାବଦ୍ଧ ଭାବେ ସେ ମମିତାଙ୍କୁ ହତ୍ୟା କରିଛି। କାର୍‌ ଭିତରେ ତଣ୍ଟି ଚିପି ହତ୍ୟା କରିବା ପରେ କାଠବୋର୍ଡ, ଟାୟାର୍‌ରେ ଜାଳିଦେଇଥିଲା। ଏସବୁ ଅପରାଧ ପୁଲିସ ଆଗରେ ସ୍ବୀକାର କରିଛି ଗୋବିନ୍ଦ।

ବୁଧବାର ଦିନ ବଲାଙ୍ଗୀର ଏସ୍‌ପି ଅଫିସଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଡିଆଇଜି ଡ. ଦୀପକ କୁମାର କହିଛନ୍ତି, ବୈଠକ ବାହାନାରେ ମମିତାଙ୍କୁ ଡାକି ନିଜ କାର୍‌ରେ ଗୋବିନ୍ଦ ଭବାନୀପାଟଣା ନେଇଥିଲା। ସେଠାରେ ବୁଲାଇବା ସହ କେଗାଁ ଫେରିବା ରାସ୍ତାରେ ୱାଗନର୍‌ କାର୍‌ ଭିତରେ ହତ୍ୟା କରିଥିଲା। ହତ୍ୟା ପରେ ପୂର୍ବ ଯୋଜନା ମୁତାବକ ମହାଲିଙ୍ଗ ହାଇସ୍କୁଲ ମିନିଷ୍ଟାଡିୟମରେ ଖୋଳାଯାଇଥିବା ଗାତରେ ମମିତାଙ୍କ ଶବକୁ ପକାଇ କାଠବୋର୍ଡ, ଟାୟାରରେ ଜାଳିଦେଇଥିଲା। ଶବ ଜଳିପୋଡ଼ି ପାଉଁଶ ହେବାପରେ ଗାତକୁ ପୋତି ଦିଆଯାଇଥିଲା। ଏହା ଏକ ସୁଚିନ୍ତିତ ଯୋଜନାବଦ୍ଧ ହତ୍ୟାକାଣ୍ଡ। ଏଭଳି କାଣ୍ଡ ଘଟାଇବା ପଛରେ ମୁଖ୍ୟ କାରଣ ଥିଲା ଅନୈତିକ ସଂପର୍କ। ଗୋବିନ୍ଦଙ୍କ ଅନୈତିକ ସଂପର୍କର ପୂରା ପ୍ରମାଣ ରଖିଥିଲେ ମମିତା। ଏହି ପ୍ରମାଣ ନଷ୍ଟ କରିବା ସହ ମମିତାଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଗୋବିନ୍ଦ ଯୋଜନା କରିଥିଲା।

ସେ କହିଲେ ଯେ ମମିତାଙ୍କ ପରିବାରବର୍ଗ ସିନ୍ଧେକେଲା ଥାନାରେ ଅଭିଯୋଗ କରିଥିଲେ। ସ୍କୁଲ ମାଲିକ ଅପହରଣ କରିନେଇଥିବା ସଂପର୍କରେ ଅଭିଯୋଗ ହୋଇଥିଲା। ସେହି ଆଧାରରେ ତଦନ୍ତକୁ ଆଗେଇ ନେଇଥିଲା ପୁଲିସ। ଯେତେ ତଥ୍ୟ ମିଳିଥିଲା ପୁଲିସ ଟିମ୍‌ ତାହାକୁ ନେଇ ତଦନ୍ତ ଚଳାଇଥିଲା। ଯେଉଁଠାରୁ ଅପହରଣ ହୋଇଛି ବୋଲି ଏତଲା ଦିଆଯାଇଥିଲା, ସେଠାରୁ ଭବାନୀପାଟଣା ଯାଏ ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଇଥିଲା। ସିସିଟିଭିରୁ କିଛି ତଥ୍ୟ ହାସଲ ହୋଇଥିଲା। ତଦନ୍ତ ସମୟରେ ସାଇଣ୍ଟିଫିକ୍‌ ଓ ଟେକ୍‌ନିକାଲ ପ୍ରମାଣ ଯାହା ମିଳିଥିଲା, ସେଥିରେ ଗୋବିନ୍ଦ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡ଼ିଥିଲା। ଏହାସହ ଅଭିଯୁକ୍ତ ଗୋବିନ୍ଦ ସବୁ କଥା ପୁଲିସ ଆଗରେ ସ୍ୱୀକାର କରିଥିବା ମଧ୍ୟ ସେ କହିଛନ୍ତି। ତେବେ ତଦନ୍ତ ଜାରି ରହିଥିବାରୁ କ’ଣ ସବୁ ପ୍ରମାଣ ପୁଲିସ ପାଇଛି, ତାହା ଉପରେ ସୂଚନା ଦିଆଯାଇନାହିଁ।

ଅନ୍ୟପକ୍ଷରେ ଗୋବିନ୍ଦଙ୍କ ସ୍କୁଲରେ ସେକ୍ସ ସ୍କାଣ୍ଡାଲ ଏବଂ ବଡ଼ ବଡ଼ ମନ୍ତ୍ରୀଙ୍କ ଯିବାଆସିବା ନେଇ ଗଣମାଧ୍ୟମ ପ୍ରଶ୍ନ କରିବାରୁ ଡିଆଇଜି ଏହାକୁ ଏଡ଼ାଇ ଯାଇଥିଲେ। ଅପରାଧକୁ ନେଇ ମାମଲା ରୁଜୁ ହୋଇ ତଦନ୍ତ ଚାଲୁଥିବା ଡିଆଇଜି କହିଥିଲେ। ତଦନ୍ତ ଜାରି ରହିଛି ଓ ଜଣେ ଡ୍ରାଇଭର ଅଟକ ଥିବା ଡିଆଇଜି କହିଥିଲେ। ରିମାଣ୍ଡରେ ଗୋବିନ୍ଦ ଆସିବା ପରେ କ୍ରାଇମ ରିକ୍ରିଏସନ୍‌ କରାଯିବ ଏବଂ ଆଉ କେଉଁମାନେ ସବୁ ଏହି ମାମଲାରେ ସଂପୃକ୍ତ ଆଗକୁ ତଦନ୍ତରେ ସବୁ ଜଣାପଡ଼ିବ ବୋଲି ସେ କହିଥିଲେ।

ବୁଧବାର ଦିନ ଗୋବିନ୍ଦକୁ ପୁଲିସ ଅପରାହ୍ନରେ କୋର୍ଟଚାଲାଣ କରିଥିଲା। ସ୍ୱତନ୍ତ୍ର ଭାବରେ କଡ଼ା ସୁରକ୍ଷା ବଳୟରେ ବଲାଙ୍ଗୀରରୁ ବଙ୍ଗୋମୁଣ୍ଡା ଜେଏମ୍‌ଏଫ୍‌ସି କୋର୍ଟକୁ ଗୋବିନ୍ଦକୁ ନିଆଯାଇଥିଲା। ସେଠାରେ ମେହେର ସମାଜ ଓ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିଲେ। ପୁଲିସ ଗାଡ଼ି କୋର୍ଟ ଭିତରକୁ ଯିବା ସମୟରେ ବାହାରେ ଉତ୍ତେଜନା ପ୍ରକାଶ ପାଇଥିଲା। ବାହାରୁ କେହି ଜଣେ ବ୍ୟକ୍ତି ଗୋବିନ୍ଦ ଉପରକୁ ଜୋତାମାଡ଼ କରିଥିଲା। କିନ୍ତୁ ଜୋତା ଗୋବିନ୍ଦ ଦେହରେ ନବାଜି କାନ୍ଥରେ ବାଜିଥିଲା। ପୁଲିସ ପକ୍ଷରୁ କୋର୍ଟରେ ୭ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲା। ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହେବାପରେ ୫ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦିଆଯାଇଛି। ତେବେ ପୁଲିସ ଏହି ୫ ଦିନ ରିମାଣ୍ଡରେ ଗୋବିନ୍ଦ ପାଖରୁ ଆହୁରି ତଥ୍ୟ ପ୍ରମାଣ ହାସଲ କରିବା ସହ ଆଗକୁ ଏହି ମାମଲାରେ ଆଉ କିଏ କିଏ ସଂପୃକ୍ତ ତାହାର ତଦନ୍ତ କରିବ। ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ଏସ୍‌ପି ନିତିନ କୁଶଳକର ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର