ଭୁବନେଶ୍ବର: କଳାହାଣ୍ଡିର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣା ପୁଣି ଥରେ ଆଲୋଚନାକୁ ଫେରିଛି। ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିଥିବା ପୁଲିସ ପକ୍ଷରୁ କୁହାଯାଇଥିଲା। କିନ୍ତୁ ଆତ୍ମହତ୍ୟାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି ଗୋବିନ୍ଦଙ୍କ ପରିବାର। ଘଟଣାର ପାଖାପାଖି ତିନି ବର୍ଷ ପରେ ଗୋବିନ୍ଦଙ୍କ ପତ୍ନୀ ଓ ଝିଅ ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଜି ତାଙ୍କ ବାସଭବନରେ ଭେଟିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସାକ୍ଷାତ ସମୟରେ କଳାହାଣ୍ଡିର ପୂର୍ବତନ ବିଧାୟକ ପ୍ରଦୀପ୍ତ ନାଏକ ଉପସ୍ଥିତ ଥିଲେ। ଗୋବିନ୍ଦଙ୍କ ଝିଅ ଗଣମାଧ୍ୟମକୁ କହିଛନ୍ତି, ଯିଏ ମମିତା ମେହେରଙ୍କୁ ହତ୍ୟା ଘଟଣାରେ ସଂପୃକ୍ତ ଥିଲେ ସେମାନେ ମୋ ବାପାଙ୍କୁ ବି ମାରିଛନ୍ତି। ଦୁଇ ଜଣଙ୍କର ହତ୍ୟା ଜଣେ ଲୋକ କରିଛି। ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ନେତୃତ୍ବରେ ପୁଲିସ ହିଁ ସବୁ କାମ କରିଛି। ବାପାଙ୍କୁ ସେମାନେ ମୋହରା ବନାଇଦେଲେ। କେସ୍‌କୁ ଚାପି ଦେବା ପାଇଁ ବାପାଙ୍କୁ ଜେଲ୍‌ ଭିତରେ ମାରି ଦେଇଛନ୍ତି। ଆମକୁ ନ୍ୟାୟ ମିଳିନି। ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଅନୁରୋଧ କରିଛି। ଘଟଣାର ଠିକ୍ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଭରସା ଦେଇଛନ୍ତି। ପ୍ରକୃତ ଦୋଷୀକୁ ନିଶ୍ଚିତ ଦଣ୍ଡ ମିଳିବ। 
Advertisment
ସିବିଆଇ ତଦନ୍ତ ଦାବି
ଏତେ ବିଳମ୍ବରେ କାହିଁକି ଅଭିଯୋଗ କଲେ ବୋଲି ପ୍ରଶ୍ନରେ ସେ କହିଥିଲେ, ସେତେବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଚାହିଥିଲେ ସବୁ ତଦନ୍ତ କରିପାରିଥା’ନ୍ତେ। କିନ୍ତୁ ସେ ତାହା କଲେ ନାହିଁ। ତେଣୁ ବିଜେଡି ସରକାରରେ ଆମେ କାହାକୁ କହିଥା’ନ୍ତୁ। ବିଜେଡି ଲୋକ ଆମକୁ ଭୟଭୀତ କରି ରଖିଛନ୍ତି। ସେମାନେ ଆମ ସମ୍ପତ୍ତିକୁ ଅକ୍ତିଆର କରିସାରିଲେଣି। ମୋତେ ଗାଁରୁ ବାହାର କରିଦେବା ପାଇଁ ‌ଚେଷ୍ଟା କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପାଖକୁ ନଯିବା ପାଇଁ ବି ଆମକୁ ଧମକ ଦେଇଥିଲେ। ମୋ ବାପା ଦୋଷ କରି ନଥିଲେ। ଆଉ ସେ କେବେ ବି ଆତ୍ମହତ୍ୟା କରିନାହାନ୍ତି। 
ସୂଚନାଯୋଗ୍ୟ ଯେ ୨୦୨୧ ମସିହାରେ ଅକ୍ଟୋବର ମାସରେ କଳାହାଣ୍ଡିଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ୍‌ର ଅଧ୍ୟକ୍ଷ ମମିତା‌ ମେହେରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ ସେହି ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କୁ ପୁଲିସ ଗିରଫ କରିଥିଲା। ତତ୍କାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଗୋବିନ୍ଦ ସାହୁଙ୍କର ଘନିଷ୍ଠତା ଥିବାରୁ ମନ୍ତ୍ରୀ ବିବାଦ ଘେରକୁ ଆସିଥିଲେ। ଏହାକୁ ନେଇ ସେତେବେଳେ ସରକାର ବି ଅପଦସ୍ଥ ହୋଇଥିଲେ। ପୁଣି ୨୦୨୨ ଡିସେମ୍ବର ମାସରେ କଣ୍ଟାବାଞ୍ଜି ସବ୍‌ଜେଲ୍‌ରେ ଗୋବିନ୍ଦ ସାହୁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା। ପୁଲିସ ଏହାକୁ ଆତ୍ମହତ୍ୟା କହିଥିଲେ ବି ବିରୋଧୀ ରାଜନୈତିକ ଦଳ ଗ୍ରହଣ କରି ନଥିଲେ। ମମିତା ମେହେର ହତ୍ୟାକାଣ୍ଡରେ ବଡ଼ବଡ଼ିଆଙ୍କ ହାତ ଥିବାରୁ ସେମାନଙ୍କୁ ଖସାଇବା ପାଇଁ ଯୋଜନାବଦ୍ଧ ଭାବେ ଗୋବିନ୍ଦଙ୍କୁ ହତ୍ୟା କରାଯାଇଛି ବୋଲି ଆରୋପ ଲଗାଯାଇଥିଲା। ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା। ଗତ ମାର୍ଚ୍ଚ ମାସରେ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରି ସ୍ବର୍ଗତ ଦାସଙ୍କ ପତ୍ନୀ ଓ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ। ଏହା ମଧ୍ୟରେ ୬ ମାସ ବିତିଗଲଣି। ଏବେ ଗୋବିନ୍ଦ ସାହୁ ଆତ୍ମହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ପରିବାର ଲୋକ। ବିଜେପି ବିରୋଧୀ ଦଳରେ ଥିଲା ବେଳେ ଏହା ହିଁ ଦାବି କରୁଥିଲା। ତେଣୁ ଏହି ଦୁଇ ବହୁ ଚର୍ଚ୍ଚିତ ମାମଲାରେ ସରକାର କି ପଦକ୍ଷେପ ନେଉଛନ୍ତି, ତାହାକୁ ସମସ୍ତଙ୍କର ଅପେକ୍ଷା।