ମମିତା ମେହେର ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି: କଳାହାଣ୍ଡି ମେହେର ସମାଜ ପକ୍ଷରୁ ଶୋଭାଯାତ୍ରା ଓ ଧାରଣା

ଭବାନୀପାଟଣା : କଳାହାଣ୍ଡି ମେହେର ସମାଜ ପକ୍ଷରୁ ମହାଲିଙ୍ଗ ସନ୍‌ସାଇନ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ଅପହରଣ ଓ ହତ୍ୟା ଘଟଣାର ସିବିଆଇ ତଦନ୍ତ ସହିତ ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ଭବାନୀପାଟଣାଠାରେ ଶୋଭାଯାତ୍ରା ଓ ଏସ୍‌ପି ଅଫିସ ନିକଟରେ ଧାରଣା ‌ଦିଆଯାଇଥିଲା।

ମମିତା ମେହେର ଅପହରଣ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବା, ଘଟଣା‌ରେ ସମ୍ପୃକ୍ତ ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଚିହ୍ନଟ କରାଯାଇ ଗିରଫ କରିବା, ଏହି ଘଟଣାର ଗଡ଼ଫାଦରକୁ ଚିହ୍ନଟ କରିବା, କଲେଜ ପରିସରରେ ଦୀର୍ଘ ଦିନ ଧରି ଚାଲିଥିବା ଅନୈତିକ କାର୍ଯ୍ୟର ସତ୍ୟାସତ୍ୟ ବାହାର କରିବା, ଗୋବିନ୍ଦ ସାହୁର ମାଲିକାନାକୁ ବାଜ୍ୟାପ୍ତ କରି ଶିକ୍ଷାନୁଷ୍ଠାନକୁ ସରକାର ନିଜେ ଚଳାଇବା, ମମିତା ମେହେରଙ୍କ ପରିବାରକୁ ୨କୋଟି ଟଙ୍କା ସହାୟତା। ଏହା ସହ ତାଙ୍କ ଭାଇଙ୍କୁ ସରକାରୀ ଚାକିରୀ, ଗୋବିନ୍ଦ ସାହୁର ସମ୍ପତ୍ତିକୁ ବ୍ୟାଜ୍ୟାପ୍ତ କରି ଅଧା ସମ୍ପତ୍ତି ପୀଡ଼ିତାଙ୍କ ପରିବାରଙ୍କୁ ପ୍ରଦାନ କରାଯିବା ଓ ମୃତ ଦେହକୁ ପୋତା ଯାଇଥିବା ଖେଳପଡ଼ିଆକୁ ମମିତା ମେହେରଙ୍କ ନାମରେ ନାମିତ କରାଯିବା ଦାବିରେ କଳାହାଣ୍ଡି ମେହେର ସମାଜ ପକ୍ଷରୁ ଭବାନୀପାଟଣା ସହରରେ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ପରେ କଳାହାଣ୍ଡି ଏସ୍‌ପି ଅଫିସ ନିକଟରେ ଧାରଣା ଦିଆଯାଇଥିଲା। ପରେ କଳାହାଣ୍ଡି ଏସ୍‌ପିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ସେହିଭଳି କଳାହାଣ୍ଡି ଜିଲ୍ଲାପାଳଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଥିଲା।

ଏହି ଧାରଣାରେ କଳାହାଣ୍ଡି ମେହେର ସମାଜର କାର୍ଯ୍ୟକାରୀ ସଭାପତି ସନ୍ତୋଷ ମେହେର, ରାଜ୍ୟ ସଦସ୍ୟ ଶ୍ରୀବତ୍ସ ମେହେର, ସଭ୍ୟ ପରୀକ୍ଷିତ ମେହେର, ନରେନ୍ଦ୍ର ମ‌େହେର, ଅକ୍ଷୟ ମେହେର, ଘନଶ୍ୟାମ ମେହେର, ଜିଲ୍ଲା କାର୍ଯ୍ୟକାରୀ ସମ୍ପାଦକ ବିଦ୍ୟାଧର ମେହେର, ଘାସିରାମ ମେହେର, ବିପିନ ବିହାରୀ ମେହେର, ବନମାଝୀ ମେହେର, ରାମେଶ୍ବର ମେହେର, କୋଷାଧ୍ୟକ୍ଷ ଗୋପୀନାଥ ମେହେର, ଗିରୀଶଚନ୍ଦ୍ର ମ‌େହେରଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର