ମମିତା ହତ୍ୟା: ମାସେ ବିତିଲା  ଥମୁନି ଝଡ଼

ସେକ୍ସ ରାକେଟ୍‌ର ତଦନ୍ତ ହେଉନି କାହିଁକି: ବିଜୟ

ପୁଲିସ ଜାଣିଶୁଣି କେସ୍‌କୁ ଦୁର୍ବଳ କରୁଛି
ତିନି ଦିନ ପରେ କାହିଁକି କୋର୍ଟରେ କେସ୍‌ ଡାଏରି ଦାଖଲ ହେଲା?
ମମତା ସାରା ଓଡ଼ିଶାର ଝିଅ, ତାଙ୍କ ବଳିଦାନ ସମସ୍ତେ ମନେ ରଖିବେ

ଭୁବ‌େନଶ୍ବର : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ଅଙ୍ଗୁଳି ଉଠାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ପୁଲିସ ଜାଣିଶୁଣି କେସ୍‌କୁ ଦୁର୍ବଳ କରୁଥିବା ବେଳେ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ବି ଖସାଇବାର ବାଟ କରିଛି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ପୁଲିସ କେସ୍‌ ଡାଏରିରେ ଆଞ୍ଚଳିକ କଲେଜ, ମହାଲିଙ୍ଗରେ ସେକ୍ସ ରୢାକେଟ୍ ଚାଲୁଥିବା ନେଇ ଉଲ୍ଲେଖ କରିଥିଲେ ହେଁ କାହିଁକି ଏନେଇ ତଦନ୍ତ କରୁନାହିଁ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ପୁଲିସ ବଙ୍ଗମୁଣ୍ଡା କୋର୍ଟରେ ଦାଖଲ କରିଥିବା କେସ୍‌ ରେକର୍ଡରେ କହିଛି ଯେ ସନ୍‌ସାଇନ୍ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ଆଞ୍ଚଳିକ ମହାବିଦ୍ୟାଳୟ, ମହାଲିଙ୍ଗମ୍ ଛାତ୍ରୀନିବା‌ସରେ ରହୁଥିଲେ। ସେଠାରେ ଛାତ୍ରୀ ଓ କଲେଜର କର୍ମଚାରୀଙ୍କୁ ଗୋବିନ୍ଦ ସାହୁ ଯୌନଶୋଷ କରୁଥିଲା। ଏ ସମ୍ପର୍କରେ ମମିତା ଜାଣିବା ପରେ ବିରୋଧ କରିଥିଲେ। ପୁଲିସ ରେକର୍ଡ ଏହା କହୁଛି। ହେଲେ ପୁଲିସ ଏହି ସେକ୍ସ ରୢାକେଟ୍ ନେଇ ତଦନ୍ତ କାହିଁକି କରୁନି? ଗୋବିନ୍ଦ ସାହୁକୁ କାହିଁକି ଏ ବିଷୟରେ କିଛି ପଚରାଯାଉନି? ହଷ୍ଟେଲରେ ଯଦି ସେକ୍ସ ରୢା‌େକଟ୍ ଚାଲୁଥିଲା, ଏଥିରେ କିଏ କିଏ ସମ୍ପୃକ୍ତ ଥିଲେ? କିଏ କିଏ ଯାଉଥିଲେ? କେବେଠୁ ଚାଲୁଥିଲା ସେ ସମ୍ପର୍କରେ କେସ୍‌ ଡାଏରିରେ କାହିଁକି କିଛି ଉଲ୍ଲେଖ କରାଯାଇନି?

କେବଳ ଏତିକି ନୁ‌େହଁ, ପୁଲିସ ତା’ର କେସ୍‌ ଡାଏରିରେ ଗୋବିନ୍ଦ ସାହୁ ସ୍ବୀକାର କରିଛି ବୋଲି ‌ଉଲ୍ଲେଖ କରିଛି। କନଫେସନ୍ ବୋଲି ଲେଖିନି। ଯାହା ସଂପୂର୍ଣ୍ଣ ଭିନ୍ନ। ଗୋବିନ୍ଦ ସାହୁ ହତ୍ୟା କରିଛି ବୋଲି ସ୍ବୀକାର କରିଛି, ଆମକୁ ଘଟଣାସ୍ଥଳକୁ ନେଇଛି, କେଉଁଠି କେମିତି ମାରିକି ପୋତିଛି ତାହା କହିଛି ବୋଲି ଲେଖା ହୋଇନି। ଗୋବିନ୍ଦ ସାହୁ ବିଷୟରେ ମାତ୍ର ଦୁଇ ଧାଡ଼ି ଉଲ୍ଲେଖ କରାଯାଇଛି। ଏଥିରୁ ଜଣାପଡ଼ୁଛି ଯେ, ପୁଲିସ କେସ୍‌କୁ ଦୁର୍ବଳ କରୁଛି। ଗୋବିନ୍ଦ ସାହୁକୁ ଖସାଇବାକୁ ବାଟ କରିଛି।

ଶ୍ରୀ ମହାପାତ୍ର କହିଛନ୍ତି ଯେ ମମିତା ମେହେର ହତ୍ୟା ଘଟଣାରେ ହୋଇଥିବା ଏଫ୍‌ଆଇଅାର୍‌କୁ ଆଜିକୁ ମାସେ ପୂରିଲା। କିନ୍ତୁ ଜାଣିବାକୁ ମିଳିଛି ଯେ ସିନ୍ଧେକେଲା ଥାନାରେ ୧୩ତାରିଖରେ ଏଫ୍‌ଆଇଆର୍‌ ହୋଇଥିଲେ ହେଁ ପୁଲିସ ଏହାର ତିନି ଦିନ ପରେ ଅର୍ଥାତ୍ ୧୬ତାରିଖରେ ବଙ୍ଗମୁଣ୍ଡା କୋର୍ଟରେ କେସ୍‌ ଡାଏରି କରିଛି। ନିୟମ ଅନୁଯାୟୀ ଏଫ୍ଆଇଆର୍‌ ହେବା ସଙ୍ଗେ ସଙ୍ଗେ କୋର୍ଟରେ କେସ୍‌ ଡାଏରି ହେବା କଥା। କିନ୍ତୁ ମାତ୍ର ୧ଘଣ୍ଟାର ବାଟରେ ଥିବା କୋର୍ଟରେ ପୁଲିସ କାହିଁକି ତିନି ଦିନ ପରେ କେସ୍‌ ଡାଏରି ଦାଖଲ କଲା। ଏଥିରେ କିଏ ବାଧକ ସାଜିଲା? ପୁଲିସ କେସ୍‌ ଡାଏରି କରିବାକୁ ଯେଉଁ ତିନି ଦିନ ସମୟ ନେଲା ସେବେଠାରୁ ପୁଲିସର ଭୂମିକା ସନ୍ଦେହ ଘେରକୁ ଆସିଛି। ପୁଲିସ ଯଦି ତିନି ଦିନ ‌ସମୟ ନେଲା ତେବେ କୋର୍ଟରେ କାହିଁକି ଏନେଇ ଯୁକ୍ତିଯୁକ୍ତ କାରଣ ଦାଖଲ କଲାନି। ପୁଲିସ ଏହି ମାସକ ମଧ୍ୟରେ ତଦନ୍ତକୁ ବାଟବଣା କରିଥିବା ସ୍ପଷ୍ଟ ପ୍ରମାଣ ମିଳୁଛି।

ଏପରିକି ଏବେ ପୁଲିସ ମାମଲାକୁ ଆହୁରି ଦୁର୍ବଳ କରିବାକୁ ସବୁ ପ୍ରକାରର ଉଦ୍ୟମ କରୁଛି। ପୁଲିସ୍‌ ଯାହା କହିଛି ସାକ୍ଷୀଙ୍କ ବୟାନ ତାହା ରେକର୍ଡ କରାଯାଇଛି। ୪ ସାକ୍ଷୀଙ୍କ ବୟାନ ଲାଗି ଗୋଟିଏ ଡ୍ରାଫ୍ଟ ହୋଇଛି।

ଏହାବାଦ୍ ମମିତାଙ୍କ ଚରିତ୍ର ସଂହାର କରାଯାଉଥିବା ନେଇ ବିରୋଧୀଙ୍କ ବାବଦରେ ଯେଉଁ ସବୁ ଅଭିଯୋଗ ଅଣାଯାଉଛି ତାହା ଭିତ୍ତିହୀନ। ସତ୍ୟ ଉନ୍ମୋଚନ ପାଇଁ ମମିତା ବଳିଦାନ ଦେଇଛନ୍ତି।ସେ ଏବେ ସାରା ଓଡ଼ିଶାର ଝିଅ। ଜଣେ ସାହସୀ ଯୁବତୀ ଭାବେ ସେ ସବୁଦିନ ପାଇଁ ମନେ ରହିବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର