ମମିତା ହତ୍ୟା ମାମଲା: ଷ୍ଟାଟସ୍ ରିପୋର୍ଟ ମାଗିଲେ ହାଇକୋର୍ଟ

ମମିତାଙ୍କ ପରିବାର ପକ୍ଷରୁ ମାମଲା ରୁଜୁ‌ ହୋଇଛି

ତୁରନ୍ତ ଚୂଡ଼ାନ୍ତ ଚାର୍ଜସିଟ୍‌ ଦାଖଲ ପାଇଁ ଆବେଦନ
ମୌଳିକ ଅଧିକାରକୁ ସୁରକ୍ଷିତ ରଖାଯାଉ

କଟକ : ମମିତା ମେହେର ହତ୍ୟା ମାମଲାରେ ତଦନ୍ତର ଅଗ୍ରଗତି ସଂପର୍କରେ ହାଇକୋର୍ଟ ର‌ିପୋର୍ଟ ତଲବ କରିଛନ୍ତି। ପରବର୍ତ୍ତୀ ଶୁଣାଣି ସମୟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବା ଲାଗି ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍‌ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ମମିତାଙ୍କ ବାପା ସୁଚନ୍ଦ୍ର ମେହେର ଓ ଭାଇ ବଣ୍ଟି ମେହେରଙ୍କ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଡିସେମ୍ବର ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି।

ମମିତା ମୃତ୍ୟୁ ଘଟଣାର ତଦନ୍ତ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସାରିବାକୁ ଗତ ୧୫ ତାରିଖରେ ହାଇକୋର୍ଟରେ ମାମଲା ରୁଜୁ କରାଯାଇଛି। ମମିତାଙ୍କ ପରିବାର ପକ୍ଷରୁ ଦାୟର୍‌ କରାଯାଇଥିବା ଆବେଦନରେ ଦର୍ଶାଯାଇଛି ଯେ ସିନ୍ଧେକେଲା ଥାନାରେ ରୁଜୁ ହୋଇଥିବା ମମିତା ହତ୍ୟା ମାମଲାର ତଦନ୍ତ ଚାଲିଛି। ଏହି ଘଟଣାରେ ଅକ୍ଟୋବର ୨୦ରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଗିରଫ ହୋଇଥିଲା। ଏଥିସହିତ ରାଧେଶ୍ୟାମକୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଥିଲା। ଅପରାଧରେ ଅଭିଯୁକ୍ତ ଗୋବିନ୍ଦ ସଂପୃକ୍ତ ଥିବା ନେଇ ସ୍ବୀକାର ବି କରିଥିଲା। ଏହି ଘଟଣାକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ମୃତ ପୀଡ଼ିତାଙ୍କ ଚରିତ୍ରକୁ ନେଇ ଅପମାନଜନକ ମନ୍ତବ୍ୟ ଦିଆଯାଇଥିଲା। ଏଥିସହିତ ସମଗ୍ର ମାମଲାରେ ରାଜନୈତିକ ଦଳଗୁଡ଼ିକ ରାଜନୀତିକରଣ କରିଛନ୍ତି। ଫଳରେ ପୀଡ଼ିତା ଓ ଶୋକସନ୍ତପ୍ତ ପରିବାରର ମର୍ଯ୍ୟାଦା ହାନି ହୋଇଛି।

 

Image Courtesy of The New Indian Express

ଅପରପକ୍ଷେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ପୁଲିସ ଚାର୍ଜସିଟ୍ ଦାଖଲ କରିନାହିଁ। ତଦନ୍ତ ଚାଲିଥିବା ସ୍ଥିତିକୁ ରାଜନୈତିକ ଦଳ ଓ ଗଣମାଧ୍ୟମ ବ୍ୟବହାର କରୁଛନ୍ତି। ଘର ବାହାରେ ଗଣମାଧ୍ୟମ ଭ୍ୟାନ୍ ଗୁଡିକ କ୍ୟାମ୍ପ୍ କରି ଆବେଦନକାରୀଙ୍କ ମତାମତ ନେବାକୁ ଉଦ୍ୟମ କରୁଛନ୍ତି। ଆବେଦନକାରୀଙ୍କ ଭାବନାକୁ ବିଚାରକୁ ନିଆଯାଉନାହିଁ। ଆବେଦନକାରୀଙ୍କ ବ୍ୟକ୍ତିଗତ ‌ଜୀବନରେ ହସ୍ତକ୍ଷେପ କରିବାରୁ ଗଣମାଧ୍ୟମକୁ ନିବୃତ୍ତ ରଖିବା ପ୍ରସଂଗରେ ପଦକ୍ଷେପ ନେବାକୁ ସ୍ଥାନୀୟ ପ୍ରଶାସନକୁ ବାରମ୍ବାର ଅନୁରୋଧ କରାଯାଇଥିଲେ ମଧ୍ୟ ଏ ନେଇ କୌଣସି ସହଯୋଗ ମିଳୁନାହିଁ। ଏଭଳି ସ୍ଥିତିରେ ପୀଡ଼ିତାଙ୍କ ବାପା‌ ଓ ଭାଇ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ବାଧ୍ୟ ହୋଇଛନ୍ତି। ଯଥାଶୀଘ୍ର ଘଟଣାର ତ୍ବରିତ୍‌ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଉ। ଏହାଦ୍ବାରା ପୀଡ଼ିତା ତ୍ବରିତ୍‌ ନ୍ୟାୟ ପାଇପାରନ୍ତି ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି।

ଏଥିସହିତ ବ୍ୟକ୍ତିଗତ ଗୋପନୀୟତା ପ୍ରସଙ୍ଗରେ ଆବେଦନକାରୀଙ୍କ ମୌଳିକ ଅଧିକାର ସୁରକ୍ଷିତ ରଖିବା ତଥା ରାଜନୈତିକ ଦଳ ନିକଟରୁ ପୀଡ଼ିତ ପରିବାରକୁ ସୁରକ୍ଷା ଦେବାପାଇଁ ପଦକ୍ଷେପ ଗ୍ରହଣ ଲାଗି ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ଆବେଦନକାରୀ ଓ ପୀଡ଼ିତା ପରିବାର ସଦସ୍ୟଙ୍କ ବ୍ୟକ୍ତିଗତ ଗୋପନୀୟତା ଅଧିକାର ସୁରକ୍ଷିତ ରଖିବା ପ୍ରସଙ୍ଗରେ ଅନ୍ତରୀଣ ନିର୍ଦ୍ଦେଶ ପ୍ରାର୍ଥନା କରି ଏକ ଅନ୍ତରୀଣ ଆବେଦନ ମଧ୍ୟ ଦାଖଲ କରାଯାଇଛି। ମାମଲାରେ ରାଜ୍ୟ ଗୃହ ବିଭାଗ, ପୁଲିସ ଡିଜି, ବଲାଙ୍ଗୀର ଏସ୍‌ପି, ଜିଲ୍ଲାପାଳ ଓ ସି‌ନ୍ଧେକେଲା ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସୌମ୍ୟରଂଜନ ମହାନ୍ତି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର