ମମିତା ହତ୍ୟା ମାମଲା: ଦୋଷୀଙ୍କ ଖସିବା ବାଟ ପ୍ରସ୍ତୁତ କରୁଛି ପୁଲିସ

ହାଇକୋର୍ଟ ବିଚାରପତିଙ୍କ ନେତୃତ୍ବରେ ଏସ୍‌ଆଇଟି ତଦନ୍ତ ପାଇଁଁ କଂଗ୍ରେସର ଦାବି

ଦିବ୍ୟଶଙ୍କରଙ୍କ ସଂପତ୍ତି ୮କୋଟି ନୁହେଁ, ୭୫ କୋଟି

ଭୁବନେଶ୍ବର : ବହୁ ଚର୍ଚ୍ଚିତ ମମିତା ହତ୍ୟା ଘଟଣାରେ ପୁଲିସ ଉପଯୁକ୍ତ ତଦନ୍ତ କରୁନାହିଁ। ଘଟଣାରେ ସଂପୃକ୍ତ ପୃଷ୍ଠପୋଷକମାନଙ୍କୁ ଖସାଇଦେବା ଲାଗି ବାଟ ତିଆରି କରୁଛି। ପୁଲିସର ତଦନ୍ତ ନିରପେକ୍ଷ ନୁହେଁ। ତେଣୁ ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ବାବଧାନ‌ରେ ଏସ୍‌ଆଇଟି ତଦନ୍ତ କରିବା ସହିତ ଗୃହ ରାଜ୍ୟମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ରାଜ୍ୟ କଂଗ୍ରେସ।

ମଙ୍ଗଳବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋଜ ମହାପାତ୍ର କହିଲେ, ମମିତା ହତ୍ୟା ଘଟଣାରେ ପୁଲିସ ତଦନ୍ତ ସନ୍ଦେହ ସୃଷ୍ଟି କରିଛି। ପୁଲିସ୍ ଯେଉଁ ତଥ୍ୟ ପ୍ରମାଣ ସଂଗ୍ରହ କରି କୋର୍ଟରେ ଦାଖଲ କରିଛି ତାହା ପରସ୍ପର ବିରୋଧୀ। ତେଣୁ ଘଟଣାରେ ହତ୍ୟାକାରୀ ଖସିଯିବା ଭଳି ଆଶଙ୍କା ସୃଷ୍ଟି ହେଲାଣି। ଘଟଣା ପଛରେ ଲୁଚି ରହିଥିବା ସେକ୍ସ ରୢାକେଟ ଓ ମନ୍ତ୍ରୀଙ୍କ ସଂପୃକ୍ତି ଅଭିଯୋଗ ଉପରେ ପୁଲିସ ତଦନ୍ତ ଆଗଉନି। ମମିତାଙ୍କ ପରିବାରକୁ ନ୍ୟାୟ ମିଳିବ କି ନାହିଁ ତାହାକୁ ନେଇ ସନ୍ଦେହ ଦେଖା ଦେଲାଣି। ରାଜ୍ୟ ସରକାର ଯଦି ଏସ୍‌ଆଇଟି ଦାବି ନେଇ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତାହାଲେ ଦଳ ପକ୍ଷରୁ ହାଇକୋର୍ଟରେ ମାମଲା ଦାୟର କରାଯିବ।

ସେହିପରି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ୨୦୧୪ ନିର୍ବାଚନ ସମୟରେ ତାଙ୍କର ସଂପତ୍ତି ୨କୋଟି ଟଙ୍କା ଥିବା ସତ୍ୟପାଠରେ କହିଥିଲେ। ୨୦୧୯ରେ ଏହା ବୃଦ୍ଧି ପାଇ ୮ କୋଟି ଟଙ୍କାରେ ପହଞ୍ଚିଛି। ମାତ୍ର ତାଙ୍କର ପ୍ରକୃତ ସଂପତ୍ତିର ମୂଲ୍ୟ ୭୫ କୋଟିରୁ ଅଧିକ ହେବ। ସ୍ଥାନୀୟ ଅଞ୍ଚଳରେ ମନ୍ତ୍ରୀ ଓ ତାଙ୍କର ସଂପର୍କୀୟ ୨ଶହ ଦଳିତ ପରିବାରର ଜମିକୁ ନିଜର ରାଜନୈତିକ ପ୍ରଭାବ ଓ ପତିଆରା ଜରିଆରେ ଶାଗମାଛ ମୂଲ୍ୟରେ କିଣି ନେଇଛନ୍ତି। କଳାହାଣ୍ଡିରେ ମନ୍ତ୍ରୀଙ୍କ ଛତ୍ରଛାୟା ତଳେ ଏକ ବିରାଟ ଜମି ହଡ଼ପ ରୢାକେଟ୍‌ କାର୍ଯ୍ୟ କରୁଛି। ଗୋପାଳପୁର ବିଧାୟକଙ୍କୁ ଜନବିରୋଧୀ କହି ତାଙ୍କ ବିରୋଧରେ ଲୋକାୟୁକ୍ତ ତଦନ୍ତ ପାଇଁ ସରକାର ସୁପାରିସ କରିଥିଲେ। ମାତ୍ର ଏତେ କମ୍ ସମୟ ଭିତରେ ଅମାପ ସଂପତ୍ତିର ମାଲିକ ହୋଇଥିବା ଦିବ୍ୟଶଙ୍କରଙ୍କ ବିରୋଧରେ ଲୋକାୟୁକ୍ତ କିମ୍ବା ପ୍ରବର୍ତ୍ତନ ନିର୍ଦେଶାଳୟ ଜରିଆରେ ତଦନ୍ତ ପାଇଁ ସରକାର କେବେ ଲେଖିବେ ? ଏହାସହ ଯେଉଁ ଦଳିତମାନଙ୍କ ଜମିକୁ ହଡ଼ପ କରାଯାଇଛି ତାହାକୁ ଫେରାଇ ଆଣିବା ଲାଗି ରାଜ୍ୟ ସରକାର ଓଡ଼ିଶା ଭୂସଂସ୍କାର ଆଇନ ଅନୁଯାୟୀ ନିର୍ଦେଶ ଦିଅନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତି। ସେ କହିଛନ୍ତି ଯେ ନିକଟରେ ଉପ-ବାଚସ୍ପତି ମୁଖ୍ୟମନ୍ତ୍ରୀ ସାଢ଼େ ୪ କୋଟି ଓଡ଼ିଆଙ୍କ ଠାକୁର ବୋଲି କହିଥିଲେ। ଓଡ଼ିଆଙ୍କ ଠାକୁର ହେଉଛନ୍ତି ପ୍ରଭୁ ଜଗନ୍ନାଥ। ଉପ-ବାଚସ୍ପତିଙ୍କ ଏହି ମନ୍ତବ୍ୟ ସବୁ ଓଡ଼ିଆଙ୍କ ପ୍ରତି ଅସମ୍ମାନ। ତେଣୁ ଉପ-ବାଚସ୍ପତି ତୁରନ୍ତ ଏଥିପାଇଁ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି କଂଗ୍ରେସ ଦଳ ପକ୍ଷରୁ ଦାବି କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମନୋରଂଜନ ଦାଶ, ପ୍ରଦେଶ କଂଗ୍ରେସ ଲିଗାଲ ସେଲ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ କର ଓ ପ୍ରକାଶ ହରପାଲ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର